ଡେଙ୍ଗୁରେ ଶିଶୁ ମୃତ୍ୟୁ ଅଭିଯୋଗ : ଘରୋଇ ଡାକ୍ତରଖାନାରେ ଉତ୍ତେଜନା

ଡେଙ୍ଗୁରେ ଶିଶୁ ମୃତ୍ୟୁ ଅଭିଯୋଗ

ବର୍ଷାରେ ସରୁନି ସ୍ୱେରେଜ କାମ, ଜମିଥିବା ପଚା ପାଣି ବଢ଼ାଉଛି ଡେଙ୍ଗୁ ମଶା

ଭୁବନେଶ୍ୱର: ରାଜଧାନୀ ଜାଗମରାସ୍ଥିତ ଉପରସାହିର ସାଇସ୍ମିତା ସାହୁ ଓରଫ୍‌ ପିହୁ(୬)ଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ସ୍ଥାନୀୟ ଘରୋଇ ଡାକ୍ତରଖାନା ଆମ୍ରି ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଅପରାହ୍‌ଣ ୪ଟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ଶୁକ୍ରବାର ରାତିରୁ ପିହୁଙ୍କ ମୃତ୍ୟୁ ହୋଇସାରିଥିଲା। କେବଳ ଟଙ୍କା ପାଇଁ ତାଙ୍କୁ ଅଧିକ ସମୟ ରଖାଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ମୃତଦେହ ହସ୍ତାନ୍ତରିତ ହୋଇଥିଲା। ରାଜଧାନୀରେ ଚଳିତ ବର୍ଷ ଏହା ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଚାଳକ କାର୍ଯ୍ୟ କରୁଥିବା ପ୍ରଶାନ୍ତ ସାହୁ ଏବଂ ଗୃହିଣୀ ଲିପିକାଙ୍କ ଏକମାତ୍ର ଝିଅ ଅଟନ୍ତି ପିହୁ। ସେ ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଥିଲେ। ପରିବାରର ସୂଚନାନୁସାରେ କିଛି ଦିନ ହେଲା ପିହୁଙ୍କୁ ଜ୍ୱର ହେଉଥିଲା। ଗୁରୁବାର ସରସ୍ୱତୀ ସ୍କ୍ରିନିଂରେ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଏହା ଡେଙ୍ଗୁ ବୋଲି ଜଣା ପଡ଼ିଥିଲା। ସେଠାରେ ଡାକ୍ତର ଦେଖାଇ ପରାମର୍ଶ ଅନୁସାରେ ତାଙ୍କୁ ଔଷଧ ଦିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଶୁକ୍ରବାର ସକାଳୁ ତାଙ୍କୁ ଆମ୍ରିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ବାବଦରେ ପରିବାର ଲୋକେ ୪୫ ହଜାର ଟଙ୍କା ପଇଠ କରିଥିଲେ। ପରିବାରର ଅଭିଯୋଗ ଅନୁସାରେ, ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ପିହୁଙ୍କ ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଅନ୍ୟ କୌଣସି ଡାକ୍ତରଖାନା ନେବା ପାଇଁ ସେମାନେ ଚାହୁଁଥିଲେ। ମାତ୍ର ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ଯେ ପିହୁଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଶନିବାର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏପରିକି ୨ ଲକ୍ଷ ଟଙ୍କା ନ ଦେଲେ ମୃତଦେହ ଛଡ଼ାଯିବ ନାହିଁ ବୋଲି ଆମ୍ରି ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଅପ୍ରୀତିକର ସ୍ଥିତି ସୃଷ୍ଟି ଆଶଙ୍କାରେ ପରେ ଶବ ଛଡ଼ା ଯାଇଥିଲା।
ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ କେବଳ ପିହୁ ନୁହେଁ, ଜାଗମରା ଉପରସାହିର ଅନେକ ବ୍ୟକ୍ତି ବର୍ତ୍ତମାନ ଜ୍ୱରରେ ପୀଡ଼ିତ ଅଛନ୍ତି। ଏଠାରେ ଅନେକ ଦିନ ହେଲା ସ୍ୱେରେଜ କାର୍ଯ୍ୟ ଚାଲୁ ରହିଛି। ଏଥିଯୋଗୁଁ ବର୍ଷା ପାଣି ଜମି ରହୁଛି। ବିଏମ୍‌ସି ପକ୍ଷରୁ ଉପଯୁକ୍ତ ସଫେଇ କିମ୍ବା ମଶା ମାରିବା ପାଇଁ ବ୍ୟବସ୍ଥା କରାଯାଉ ନାହିଁ। ଆଜି ପିହୁଙ୍କ ମୃତ୍ୟୁ ପରେ ମଶା ମାରିବା ପାଇଁ ଗାଡ଼ି ପହଞ୍ଚିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଅଞ୍ଚଳର ସଫେଇ ନେଇ କର୍ପୋରେଟର ମଧ୍ୟ ଉଦାସୀନ ଥିବା ଅଭିଯୋଗ ହୋଇଛି। ରାଜଧାନୀରେ ଡେଙ୍ଗୁରେ ଶିଶୁ ମୃତ୍ୟୁ ପ୍ରଶାସନ ପାଇଁ ବିପଦ ଘଣ୍ଟି। ଏଥିପାଇଁ ଏବେଠାରୁ ସାବଧାନ ନହେଲେ, ଆଗାମୀ ଦିନରେ ଆହୁରି ଜଟିଳ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସଙ୍ଗିନ୍‌ ସ୍ଥିତି : ୨୦୦ ଛୁଇଁଲା ଡେଙ୍ଗୁ, ୧୦ ବେଡ୍‌, ୩୦ ଆକ୍ରାନ୍ତ

Sun Jul 23 , 2023
ଭୁବନେଶ୍ୱର: ଡେଙ୍ଗୁକୁ ନେଇ ବିଏମ୍‌ସି ଯେତିକି ତତ୍ପର ହେଉଛି ଏହି ରୋଗ ସେତିକି ବଢ଼ି ବଢ଼ି ଚାଲିଛି। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଥିବା ବେଳେ ଗଳିକନ୍ଦି ବୁଲି କର୍ମଚାରୀ ମଶାଙ୍କ ଉତ୍ପତ୍ତିସ୍ଥଳ ଖୋଜିବା ସହ ନଷ୍ଟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ପ୍ଲାଟ୍‌ଫର୍ମରେ ସଚେତନତା ବାର୍ତ୍ତା ବାଣ୍ଟୁଛି ବିଏମ୍‌ସି। ଆଜି (ଶନିବାର) ‘ଡ୍ରାଏ ଡେ’ ମଧ୍ୟ ପାଳନ କରାଯାଇଛି। ଏଣେ କିନ୍ତୁ ଡେଙ୍ଗୁ ଡେଇଁବାରେ ଲାଗିଛି। ଆଜି ଡେଙ୍ଗୁ […]
କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସ୍ଥିତି ସଙ୍ଗିନ୍‌

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial