କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସଙ୍ଗିନ୍‌ ସ୍ଥିତି : ୨୦୦ ଛୁଇଁଲା ଡେଙ୍ଗୁ, ୧୦ ବେଡ୍‌, ୩୦ ଆକ୍ରାନ୍ତ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସ୍ଥିତି ସଙ୍ଗିନ୍‌

ଭୁବନେଶ୍ୱର: ଡେଙ୍ଗୁକୁ ନେଇ ବିଏମ୍‌ସି ଯେତିକି ତତ୍ପର ହେଉଛି ଏହି ରୋଗ ସେତିକି ବଢ଼ି ବଢ଼ି ଚାଲିଛି। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଥିବା ବେଳେ ଗଳିକନ୍ଦି ବୁଲି କର୍ମଚାରୀ ମଶାଙ୍କ ଉତ୍ପତ୍ତିସ୍ଥଳ ଖୋଜିବା ସହ ନଷ୍ଟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ପ୍ଲାଟ୍‌ଫର୍ମରେ ସଚେତନତା ବାର୍ତ୍ତା ବାଣ୍ଟୁଛି ବିଏମ୍‌ସି। ଆଜି (ଶନିବାର) ‘ଡ୍ରାଏ ଡେ’ ମଧ୍ୟ ପାଳନ କରାଯାଇଛି। ଏଣେ କିନ୍ତୁ ଡେଙ୍ଗୁ ଡେଇଁବାରେ ଲାଗିଛି। ଆଜି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ପୂର୍ବରୁ ହଟ୍‌ସ୍ପଟ୍‌ ପାଲଟିଥିବା ନୂଆପଲ୍ଲୀ ଅଞ୍ଚଳରୁ ଡେଙ୍ଗୁ ଛାଡ଼ି ଯାଉ ନାହିଁ। କେଉଁ କାରଣରୁ ଏହି ଗୋଟିଏ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି ତାହା ବିଏମ୍‌ସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ଧରି ପାରୁ ନାହାନ୍ତି। ଏଠାରୁ ଆଜି ଆଉ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହି, ଜୟଦେବ ବିହାର ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳ ମଧ୍ୟ ପୂର୍ବବତ୍‌ ବିଏମ୍‌ସିର ଡେଙ୍ଗୁ ପ୍ରଭାବିତ ତାଲିକାର ଶୀର୍ଷରେ ରହିଛନ୍ତି। ଏଥିରେ ଯୋଡ଼ି ହୋଇଛନ୍ତି ଖଣ୍ଡଗିରି, ଜାଗମରା, ଡୁମୁଡୁମା, ସରକନ୍ତରା। ପ୍ରତ୍ୟେକ ଅଞ୍ଚଳରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ସହ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଏମ୍‌ସି ଏହି ତଥ୍ୟ ଲୁଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି। ଏସବୁ ତଥ୍ୟ ସର୍ବସାଧାରଣ ହେଲେ ବିଏମ୍‌ସି କରୁଥିବା ସଚେତନତା, ଔଷଧ ପାଇଁ ଖର୍ଚ୍ଚ, ମଶା ଧୂଆ ପାଇଁ ଖର୍ଚ୍ଚ ସବୁ ବ୍ୟର୍ଥ ବୋଲି ପ୍ରମାଣିତ ହୋଇଯିବା ଭୟରେ କାହାକୁ କୌଣସି ନ ଦେବା ପାଇଁ ଫତୱା ଜାରି ହୋଇଛି।
ଏଣେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ସ୍ଥିତି ସାଂଘାତିକ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ମାତ୍ର ୧୦ଟି ବେଡ୍‌ ରହିଥିବା ବେଳେ ଆଜି ରାତି ସୁଦ୍ଧା ଏଠାରେ ୩୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଆଡ୍‌ମିଟ୍‌ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି। କିନ୍ତୁ ସମର୍ପିତ ବେଡ୍‌ ନ ଥିବାରୁ ସେମାନଙ୍କୁ ଭେଷଜ ତଥା ଅନ୍ୟାନ୍ୟ ୱାର୍ଡରେ ଭର୍ତ୍ତି କରାଯାଇଛି। ଏବେ ଭୁବନେଶ୍ୱରରେ ୬୫ରୁ ୭୦ ଆକ୍ରାନ୍ତ ଆକ୍ଟିଭ୍‌ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ବିଏମ୍‌ସି ସଚେତନତା ଜାରି ରଖିଛି। ଆଜି ୧୨ଟି ୱାର୍ଡରେ ସଚେତନତା କରାଯାଇଥିବା ବେଳେ ପ୍ରାୟ ୧୫୦ ଉତ୍ସରୁ ପାଣି ଖାଲି କରାଯାଇଛି। ଟାୟାର, ଫୁଲକୁଣ୍ଡ, ଅବ୍ୟବହୃତ ଗାଡ଼ି ପ୍ରଭୃତି ଯାଞ୍ଚ କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ଛିଞ୍ଚାଯିବା ସହ ଆଣ୍ଟି-ଲାର୍ଭା ଔଷଧ ଓ ମଶା ଧୂଆଁ ସ୍ପ୍ରେ କରାଯାଇଛି। ସେହିଭଳି ତିନିଟି ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି। ଆଗକୁ ଏଭଳି ସଚେତନତା ଓ ମଶା ଲାର୍ଭା ଉତ୍ସ ନଷ୍ଟ କାର୍ଯ୍ୟକ୍ରମକୁ ତ୍ୱରିତ କରାଯିବ ବୋଲି ବିଏମ୍‌ସି କହିଛି।

Share Now:

Kalinga News Beuro

Next Post

ଫେରାର ହେଲା ଛୁଆ ମାଙ୍କଡ଼ : କୋର୍ଟ କର୍ମଚାରୀ ନାକେଦମ

Mon Jul 24 , 2023
ନୂଆଦିଲ୍ଲୀ: ପାକିସ୍ତାନର କରାଚିରେ ଗତ ଗୁରୁବାର ମାଙ୍କଡ଼ ଚାଲାଣ କରୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପୁଲିସ କୋର୍ଟରେ ପ୍ରମାଣ ଆଧାରରେ ୧୪ଟି ଛୁଆ ମାଙ୍କଡ଼ଙ୍କୁ ହାଜର କରିଥିଲା। ଏଥିମଧ୍ୟରୁ ଗୋଟିଏ ମାଙ୍କଡ଼ ଫେରାର ହୋଇଯାଇଥିଲା।ଏହାପରେ କୋର୍ଟ ପରିସରରେ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫେରାର ମାଙ୍କଡ଼ ଯାଇ କୋର୍ଟ ପରିସରରେ ଥିବା ଗଛରେ ଚଢ଼ି ଯାଇଥିଲା। ଉକ୍ତ […]
କୋର୍ଟ କର୍ମଚାରୀ ହେଲେ ନାକେଦମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial