ସ୍କ୍ରବ ଟାଇଫସ୍ କୀଟ ଆତଙ୍କ : ବରଗଡରେ ୫ ଜଣଙ୍କ ମୃତ୍ୟୁ

ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ

ବରଗଡ଼: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସ୍କ୍ରବ ଟାଇଫ୍‌ସ ସଂକ୍ରମଣ। ଜୀବନ ନେଉଛି ସ୍କ୍ରବ ଟାଇଫ୍‌ସ। ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଏହି ବିଶାକ୍ତ କୀଟକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷକରି ଚାଷ ଜମିରେ ସ୍କ୍ରବ ଟାଇଫସ କୀଟ ଦେଖିବାକୁ ମିଳିଛି। ଚାଷ କାର୍ଯ୍ୟ ପାଇଁ ଚାଷୀ ବିଲକୁ ଯାଉଥିବାରୁ ସେମାନେ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି। ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।
ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ୱର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ। ଯାହାକୁ ଏସ୍ଚର ଭାବେ ବିବେଚନା କରାଯାଉଛି। ଚଳିତବର୍ଷ ରାଜ୍ୟର ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦୁଝରରୁ ସର୍ବାଧିକ ମାମଲା ଆସିଥିବା ସୂଚନା ମିଳିଛି। ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେ‌ଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।

Share Now:

Kalinga News Beuro

Next Post

ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Wed Sep 13 , 2023
ଭୁବନେଶ୍ୱର: ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି। ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏ ଏସିଆନ ଗେମ୍ସ ଅନୁଷ୍ଠିତ ହେବ ବୋଲି ସୂଚନା […]
ଏଥର ଜନ୍ମଦିନ ପାଳିବେନି ନବୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial