ନୂଆ ରୂପ ପାଇବ ରାମେଶ୍ୱର ମନ୍ଦିର : ଝଟକିବ ଖୋଣ୍ଡଲାଇଟ୍‌ ପଥରର ନୂଆ ଦଧିନଉତି

ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର

ପୁରୁଣା ଭୁବନେଶ୍ୱର: ନୂଆ ରୂପ ପାଇବ ରାମେଶ୍ୱର ମନ୍ଦିର। ଏବେ ମନ୍ଦିର ଚତୁପାର୍ଶ୍ଵର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଭାଙ୍ଗିପଡ଼ିଥିବା ଦଧିନଉତି ନୂଆ ତିଆରି ହେବ। ତେବେ ଦଧିନଉତିକୁ ରାଜସ୍ଥାନରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍‌ ପଥରରେ ନିର୍ମାଣ କରାଯିବ। ଏଥର ଦଧିନଉତିର ଆକାର ବଡ଼ ହେବ ବୋଲି ସୂଚନା ମିଳିଛି। ତେବେ ନୂଆ ଦଧିନଉତି ନିର୍ମାଣ ହେବା ପର୍ଯ୍ୟନ୍ତ ବାଲିବସ୍ତାରେ ପତାକା ରହିବ ବୋଲି କୁହାଯାଇଛି। ଏହି ମନ୍ଦିର ଦାୟିତ୍ଵରେ ଥିବା ଏଏସ୍ଆଇର ଜଣେ ଅଧିକାରୀଙ୍କ କହିବା କଥା ବହୁ ପୂର୍ବରୁ ଏଠାରେ ବଡ଼ ଦଧିନଉତି ଥିଲା। ପରେ ଭାଙ୍ଗିପଡ଼ିବାରୁ ଛୋଟ ଆକାରର ନୂଆ ଦଧିନଉତି ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ତାହା ପୁଣି ଭାଙ୍ଗି ପଡ଼ିଛି। ସମ୍ପ୍ରତି ମନ୍ଦିରର ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିବାରୁ ଦଧିନଉତିକୁ ମନ୍ଦିରର ମୂଳ ଆକାର ଦିଆଯିବ। ପ୍ରଥମରୁ ରାମେଶ୍ୱର ମନ୍ଦିର ଚୂଳରେ ଦଧିନଉତି ତଳେ ଦୁଇଟି ପଥରସ୍ତର ଥିଲା। ଭାଙ୍ଗିପଡ଼ିବା ପରେ ଉକ୍ତ ପଥରସ୍ତର ଦିଆଯାଇନଥିଲା। ଏବେ କିନ୍ତୁ ସ୍ୟାଣ୍ଡ୍‌ ଷ୍ଟୋନ୍‌ରେ ପୁଣି ସେହି ପୁରୁଣା ପଥରସ୍ତର କାମ ଆରମ୍ଭ ହୋଇଛି।
ଏହା ଉପରେ ବଡ଼ ଆକାରର ଦଧିନଉତି ପ୍ରତିଷ୍ଠା ହେବ। ଏହା ଖଣ୍ଡୋଲାଇଟ୍‌ ପଥରରେ କରାଯିବ। ଏଥିପାଇଁ ଖଣ୍ଡୋଲାଇଟ୍‌ ପଥର ବରାଦ କରାଯାଇଛି। ତେଣୁ ପୁରୁଣା‌ ଦଧିନଉତିଠାରୁ ବଡ଼ ଓ ବହୁ ସୁନ୍ଦର ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସେହିପରି ମନ୍ଦିରରେ ଖୁବ୍‌ ଶୀଘ୍ର ଆର୍ଥିଂ ବ୍ୟବସ୍ଥା କରାଯିବ। ଆର୍ଥିଂ ବ୍ୟବସ୍ଥା ନଥିବାରୁ ବାରମ୍ବାର ବଜ୍ରାପାତରେ ଦଧିନଉତି ଭାଙ୍ଗୁଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଗତ ଶନିବାର ଅପରାହ୍ଣରେ ବଜ୍ରପାତ ଯୋଗୁ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧିନଉତିଟି ସମ୍ପୂର୍ଣ ଭାଙ୍ଗି ପଡ଼ି ମନ୍ଦିର ପରିସର ଚଟାଣରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଏଏସ୍‌ଆଇ କର୍ମଚାରୀମାନେ ଏହି ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ସଂଗ୍ରହାଳୟରେ ସାଇତି ରଖିଛନ୍ତି। ଏଣେ ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ହେବା ପାଇଁ ଅସ୍ଥାୟୀଭାବେ ମନ୍ଦିର ଚୁଡ଼ାରେ ବାଲିବସ୍ତା ରଖାଯାଇଛି ଏବଂ ସେଥିରେ ପତାକା ପୋତା ଯାଇଛି। ସୂଚନାଯୋଗ୍ୟ ଯେ ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରାଚୀନ ପୂଜାସ୍ଥଳ ରାମେଶ୍ୱର ମନ୍ଦିରର ନୂଆ ରୂପ ପାଇଁ ରାଜସ୍ଥାନରୁ ସ୍ୱତନ୍ତ୍ର ବାଲୁକା ପଥର(ସ୍ୟାଣ୍ଡ ଷ୍ଟୋନ୍‌) ଆସିଛି। ସ୍ୱତନ୍ତ୍ର କାରିଗର ବା ଶିଳ୍ପୀମାନେ ସୌନ୍ଦର୍ଯ୍ୟୀକରଣ କାମରେ ଲାଗିଛନ୍ତି। ମନ୍ଦିର ପ୍ରବେଶ ପଥର ପାହାଚ, ଗର୍ଭଗୃହ, ଚଟାଣ ଓ ପୁଷ୍କରିଣୀରେ ମଧ୍ୟ ରାଜସ୍ଥାନ ବାଲୁକା ପଥର ବ୍ୟବହାର କରାଯାଉଛି। ସେହିଭଳି ମନ୍ଦିର ପରିସରରେ ଥିବା ବାମ୍ଫି, ପୁଷ୍କରିଣୀ ଓ ପାର୍କ ଆଦିକୁ ନୂଆ ରୂପ ଦେବାକୁ କାମ ଜାରି ରହିଛି। ଏହି ସୌନ୍ଦର୍ଯ୍ୟୀକରଣ କାମ ପାଇଁ ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ବର୍ଷା ହେଲେ ମନ୍ଦିରରୁ ପାଣି ଗଳୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାଉଟିଙ୍ଗ୍‌ କରାଯିବ। ପାଣି ଗଳୁଥିବା ସ୍ଥାନରେ ଛୋଟ ଛୋଟ କଣା କରାଯାଇ ସେଥିରେ ପଲିମର ଗ୍ରାଉଟିଙ୍ଗ୍‌ ମସଲା ଦେଇ ପ୍ୟାକ୍‌ କରାଯିବ। ତା’ପରେ ଏହା ଉପରେ ପଏଣ୍ଟିଂ କରାଯିବ। ମନ୍ଦିରର ପ୍ରବେଶ ପଥ, ଗର୍ଭଗୃହ, ଚଟାଣ ସବୁ ଖଣ୍ଡିଆଖାବରା ହୋଇଥିବାରୁ ରାଜସ୍ଥାନ ସ୍ୟାଣ୍ଡ୍‌ ଷ୍ଟୋନ୍‌ ଲଗାଇ ଏହାକୁ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ବଡ଼କଥା ହେଉଛି ମନ୍ଦିର ଚାରିପଟେ ୧୫ଟି ସୋଲାର ଲାଇଟ୍‌ ଲଗାଯିବ। ଏହା ନିକଟରେ ଥିବା ପିଇବା ପାଣି ବ୍ୟବସ୍ଥା ଠିକ ନଥିବାରୁ ପୁରୁଣା ମେସିନ୍‌କୁ ମରାମତି କରାଯିବ।

Share Now:

Kalinga News Beuro

Next Post

ଡାକ୍ତର ହେଉଛନ୍ତି ନରରୂପୀ ନାରାୟଣ : ରାଷ୍ଟ୍ରପତି

Wed Jul 26 , 2023
କଟକ: ଗାଁ ଗହଳିରେ ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। କିନ୍ତୁ ଡାକ୍ତରମାନେ ତାଙ୍କର ସେବା ବଳରେ ରୋଗୀଙ୍କୁ ଭଲ କରନ୍ତି। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ। ତେଣୁ ସେବା କରିବା ପାଇଁ ଡାକ୍ତରଙ୍କ ମନରେ ଦରଦ ରହିବା ଦରକାର। […]
ଡାକ୍ତରୀ ଏକ ବୃତ୍ତି ନୁହେଁ ବରଂ ଏହା ଏକ ବ୍ରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial