ଡାକ୍ତର ହେଉଛନ୍ତି ନରରୂପୀ ନାରାୟଣ : ରାଷ୍ଟ୍ରପତି

ଡାକ୍ତରୀ ଏକ ବୃତ୍ତି ନୁହେଁ ବରଂ ଏହା ଏକ ବ୍ରତ

କଟକ: ଗାଁ ଗହଳିରେ ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। କିନ୍ତୁ ଡାକ୍ତରମାନେ ତାଙ୍କର ସେବା ବଳରେ ରୋଗୀଙ୍କୁ ଭଲ କରନ୍ତି। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ। ତେଣୁ ସେବା କରିବା ପାଇଁ ଡାକ୍ତରଙ୍କ ମନରେ ଦରଦ ରହିବା ଦରକାର। ଡାକ୍ତରୀ ଏକ ବୃତ୍ତି ନୁହେଁ,ବରଂ ଏହା ଏକ ବ୍ରତ। ଭାରତୀୟ ସଂସ୍କୃତିରେ ନରସେବାକୁ ନାରାୟଣ ସେବା ବୋଲି କୁହାଯାଇଥାଏ। କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ (ଏସ୍‌ସିବି) ଭେଷେଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।
ଏସ୍‌ସିବିର ବାର୍ଷିକ ଉତ୍ସବରେ ଯୋଗଦେଇ ବୁଧବାର ମହାମହିମ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲୋକଙ୍କର କଷ୍ଟ ଦୂର କରିବା ଡାକ୍ତରଙ୍କ ବଡ଼ କାମ। ମୁନୀଋଷିମାନେ କହିଛନ୍ତି, ଦୁଃଖି ଲୋକଙ୍କର ପାଇଁ ସେବା କରିବା ଉଚିତ। ପୂର୍ବାପେକ୍ଷା ମାତୃ ଓ ଶିଶୁ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ପାଇଛି। ଡାକ୍ତରଙ୍କ ସେବା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଉଛି। ଯେତେବେଳେ କୋଭିଡ-୧୯ ବିଶ୍ୱକୁ ଦୋହଲାଇ ଦେଇଥିଲା ସେତେବେଳେ ଭାରତୀୟ ଚିକିତ୍ସକମାନେ ନିଜ ଜୀବନକୁ ଭୃକ୍ଷେପ ନକରି ଓ ପରିବାରକୁ ଛାଡ଼ି ଦେଇ ଯେଉଁ ସେବା କଲେ, ତାହା ବାସ୍ତବରେ ପ୍ରଶଂସନୀୟ। ଭାରତ ନିଜ ଜ୍ଞାନକୌଶଳରେ ଟିକା ଉତ୍ପାଦନ କରିପାରିଛି। ଭାରତ ସମଗ୍ର ବିଶ୍ବବାସୀଙ୍କୁ ୨୨୨୦ କୋଟି ଟିକା ଦେଇପାରିଛି। କୋଭିଡ-୧୯କୁ ଭଲ ଭାବରେ ମୁକାବିଲା କରିଛି। ଏହି ମୁକାବିଲା ପାଇଁ ଚିକିତ୍ସକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତାଙ୍କୁ ଯେତେ ପ୍ରଶଂସା କଲେ ବି ଯଥେଷ୍ଟ ହେବ ନାହିଁ। ମେଡିକାଲ କ୍ଷେତ୍ରରେ ପିଲାମାନେ ଗବେଷଣା କ୍ଷେତ୍ରକୁ ମଧ୍ୟ ଆସିବା ଦରକାର। ପିଲାମାନେ ଭଲ ଗବେଷଣା କରିପାରିଲେ ନୋବେଲ ପୁରସ୍କାର ପାଇପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୪୭ରେ ଭାରତ ଶତବାର୍ଷିକ ପାଳନ କରିବ। ସେତେବେଳେକୁ ଭାରତ ପୂର୍ଣ୍ଣ ବିକଶିତ ଦେଶ ହେବା ଲକ୍ଷ୍ୟରେ କାମ କରିବା ଦରକାର।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଏସ୍‌ସିବିର ବାର୍ଷିକ ଉତ୍ସବ ‘‘ଅରୋରା’’ରେ ଯୋଗଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଶୁଣିବାକୁ ପାଇଲି ଯେ, ମରାଠୀ ଶାସନ କାଳରେ ଏଠାରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ମେଡିକାଲ ଥିଲା। ଏହି ମେଡିକାଲ କଲେଜ ପ୍ରତିଷ୍ଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେବଙ୍କର ଅବଦାନ ଅତୁଳନୀୟ ଥିଲା। ପରେ ସ୍ୱାଧୀନ ଭାରତରେ ତାଙ୍କର ନାମରେ ଏହି ମେଡିକାଲକଲେଜର ନାମକରଣ କରାଯାଇଛି। ଏକ ଛୋଟ ତୀର୍ଥଯାତ୍ରୀ ଡାକ୍ତରଖାନାରୁ ଆରମ୍ଭ ହୋଇ ଆଜି ଦେଶରେ ଏସ୍‌ସିବି ପୂରା ନାମ କରିଛି। ସବୁ ବର୍ଗର ଲୋକଙ୍କୁ ଏଠାରେ ନିଃଶୁଳ୍କ ଚିକିତ୍ସା ଦିଆଯାଉଛି। କେବଳ ଓଡ଼ିଶା ନୁହେଁ ବରଂ ଅନ୍ୟ ରାଜ୍ୟରୁ ରୋଗୀ ଏଠାକୁ ଆସୁଛନ୍ତି। ଏଠାକାର ଡାକ୍ତର ଏହି ପରଂପରା ଜାରି ରଖିବେ ବୋଲି ମୋର ଆଶା। ଏହା ଏକ ସର୍ବଭାରତୀୟ ଅନୁଷ୍ଠାନ। ଏସ୍‌ସିବି ହସ୍‌ପିଟାଲ ଏକ ମିନି ଇଣ୍ଡିଆ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରୁ ଡାକ୍ତରୀ ପଢ଼ିବାକୁ ପିଲାମାନେ ଆସୁଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ପ୍ରତ୍ୟେକଙ୍କ ଜୀବନ ମୂଲ୍ୟବାନ। ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ଏହାକୁ ସତ୍ୟତାରେ ପରିଣତ କରିବା ପାଇଁ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ଯାହାକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। ଗତ ୧୦ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପୋଷ୍ଟ ଗ୍ରାଜୁଏଟ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଛି। ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରୁ ପ୍ରତିବର୍ଷ ୨୨୦୦ ମେଡିକାଲ ଡାକ୍ତର ବାହାରିପାରୁଛନ୍ତି। ୨୦୨୪ ସୁଦ୍ଧା ସମସ୍ତ ଡାକ୍ତର ପଦବି ପୂରଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନ ଅନୁସାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ମେଡିକାଲ କଲେଜର ସୁବିଧା କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଭଳି ଉପାନ୍ତ ଅଂଚଳରେ ଦିଆଯାଇପାରୁଛି। ଏସ୍‌ସିବିରୁ ପାଠ ପଢ଼ିଥିବା ଛାତ୍ର ପୂରା ବିଶ୍ବରେ ନାମ କରିଛନ୍ତି। ଏଠାରେ ଏବେ ନୂତନ କୋଠା ନିର୍ମାଣ ଚାଲିଛି। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟାରେ ବେଡ୍‌ ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୫ଟି ଛାତ୍ରାବାସ ନିର୍ମାଣ ଚାଲିଛି। ମେଡିକାଲ କର୍ମଚାରୀଙ୍କ ପାଇଁ ଆବଶ୍ୟକ ରହିବା ବ୍ୟବସ୍ଥା କରାଯିବ। ଏସ୍‌ସିବିକୁ ଏମ୍ସ ପ୍ଲସ ହସ୍‌ପିଟାଲରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବାର୍ଷିକ ଉତ୍ସବ ଅବସରରେ ଏସସିବି ଡିନ୍‌ ତଥା ପ୍ରନ୍ସିପାଲ ଡ. ପ୍ରସନ୍ନଜିତ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆମେ ରାଷ୍ଟ୍ରପତିଙ୍କୁ ପାଇ ଗର୍ବିତ ବୋଲି ସେ କହିଥିଲେ। ଏସ୍‌ସିବି ମେଡିକାଲ କଲେଜ ତରଫରୁ ରାଷ୍ଟ୍ରପତି, ରାଜ୍ୟପାଳ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ମୁତିଫଳକ ପ୍ରଦାନ କରାଯାଇଥିଲା ଓ ବାର୍ଷିକ ବିଶେଷାଙ୍କ ସ୍ମରଣିକା ଉନ୍ମୋଚନ କରାଯାଇଥିଲା।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Wed Jul 26 , 2023
ଭୁବନେଶ୍ୱର: ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି (ବୁଧବାର) ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ରାଇସେନ, ମାଣ୍ଡଲା, ଦୁର୍ଗ ଏବଂ ପଶ୍ଚିମ କେନ୍ଦ୍ରୀୟ ତତ୍‌-ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର- ଆନ୍ଧ୍ରପ୍ରଦେଶ […]
୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial