ନବୀନଙ୍କ ପଛରେ ଥିଲେ ବାଜପେୟୀ

ଭୁବନେଶ୍ୱର : ବିଜେଡି ଏବଂ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇ ଦଶକର ରାଜନୈତିକ ଜୀବନରେ ସବୁଠାରୁ ବୋଧହୁଏ ସଙ୍କଟମୟ ସମୟ ଥିଲା ୨୦୦୨। ବିଦ୍ରୋହୀ ଭାବେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି। ବିଜେଡି ସଂସଦୀୟ ଦଳ ମଧ୍ୟ ବିଭାଜନ ମୁହାଁ ହୋଇସାରିଥାଏ। ଏପରିକି ଗୋଟିଏ ଗୋଷ୍ଠୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେତା ନିର୍ବାଚିତ କରିସାରିଥାନ୍ତି। ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ଯଦି କେହି ତାଙ୍କ ପଛରେ ପାହାଡ଼ ଭଳି ଛିଡା ହୋଇ ଅଭୟ ଦେଇଥିଲେ, ସେ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀ ଏବଂ ତାଙ୍କର ସହଯୋଗୀ ଲାଲକୃଷ୍ଣ ଆ଼ଡଭାନୀ।

ଏହା ସେ ସମୟରେ କେବଳ ମେଣ୍ଟ ସରକାରକୁ ସଙ୍କଟରୁ ଉଦ୍ଧାର କରିଥିଲା ତା ନୁହେଁ, ନବୀନଙ୍କ ନେତୃତ୍ୱର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିଥିଲା। ନବୀନଙ୍କୁ ସତର୍କ କରିଥିଲା, ଦୃଢ଼ ବି କରିଥିଲା। ସେହି ସଙ୍କଟ ସମୟରେ ଯଦି ବାଜପେୟୀ ସହାୟକ ହୋଇନଥାନ୍ତେ, ତେବେ ହୁଏତ ଓଡ଼ିଶା ରାଜନୀତିର ଧାରା ଭିନ୍ନ ହୋଇଥାନ୍ତା।

୨୦୦୨ର ବହୁଚର୍ଚ୍ଚିତ ଏହି ଘଟଣା ପୂର୍ବରୁ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଅବର୍ତମାନରେ ଯେତେବେଳେ ବିଜେଡି ଗଠନ ହେଲା, ସେ ସମୟରେ ବାଜପେୟୀଙ୍କ ସଦିଚ୍ଛା ଥିଲା ନବୀନଙ୍କ ଉପରେ। ବିଜେପିର ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଜରିଆରେ ବିଜେଡି ଗଠନ ସଂପର୍କରେ ଟିକିନିଖି ଖବର ରଖୁଥିଲେ ବାଜପେୟୀ। ଆଉ ବିଜେପି-ବିଜେଡି ମେଣ୍ଟ ଗଠନ ସଂପର୍କରେ ଘୋଷଣା ଦିନ ଘଣ୍ଟାଏ ଆଗରୁ ଆସି ପ୍ରସ୍ତୁତି କରିଥିଲେ ବାଜପେୟୀ। ନିଜେ ଉପସ୍ଥିତ ରହି ସେ ସମୟର ଏହି ବଡ଼ ଖବର ସଂପର୍କରେ ସୂଚନା ଦେଇଥିଲେ।

୨୦୦୦ରେ ମେଣ୍ଟ କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଓ ପରବର୍ତୀ ସମୟରେ ଅନ୍ତତଃ ୨୦୦୪ ଯାଏ ଓଡ଼ିଶାରେ ମେଣ୍ଟକୁ ଅତୁଟ ରଖିବାରେ ବାଜପେୟୀ ଥିଲେ ଅନ୍ୟତମ ବିନ୍ଧାଣୀ।

ଓଡ଼ିଶାକୁ ଆସିବା ପୂର୍ବରୁ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦରେ ଶିକ୍ଷାନବିଶ ଭାବେ ନବୀନ ଯେଉଁ ଅଭିଜ୍ଞତା ଓ ଶିକ୍ଷା ପାଇଥିଲେ, ତାହା ନିଶ୍ଚିତ ଭାବେ ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାରେ ନବୀନଙ୍କୁ ସହାୟକ ହୋଇଥିଲା। କୁହାଯାଇପାରେ, ଉଭୟ ରାଜନୀତି ଓ ପ୍ରଶାସନରେ ବାଜପେୟୀ ଥିଲେ ନବୀନଙ୍କର ପିତୃତୂଲ୍ୟ ପ୍ରଶିକ୍ଷକ।

ପ୍ରକାଶଥାଉକି, ୨୦୧୪ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦୀ କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ ଦେଲେ। କିନ୍ତୁ ଏହାର ଦେଢ ଦଶନ୍ଧି ପୂର୍ବରୁ ମେଣ୍ଟ ରାଜନୀତିର ଏକ ସ୍ଥିର ନିଶ୍ଚିତ ଅଧ୍ୟାୟ ଆରମ୍ଭ କରି ବିନା କୌଣସି ସ୍ଲୋଗାନରେ କଂଗ୍ରେସ ହଟାଅ ଅଭିଯାନର ମୂଳଦୁଆ ପକାଇଥିଲେ ବାଜପେୟୀ। ଏହାକୁ ସଂଯୋଗ ବୋଲି କୁହାଯାଇପାରେ। କିନ୍ତୁ ବାସ୍ତବତା ହେଉଛି, ବିଜେପି-ବିଜେଡି ମେଣ୍ଟ ହେବା ଦିନଠାରୁ କଂଗ୍ରେସ ଓଡ଼ିଶାରେ ଆଉ କ୍ଷମତାକୁ ଫେରି ପାରିନାହିଁ।

ବାଜପେୟୀ ଥିଲେ, ଜାତୀୟସ୍ତର ମେଣ୍ଟ ସରକାରରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ। ବାଜପେୟୀଙ୍କ ଉଦାରତା, ନୀତି ନୈତିକତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୀତିର ଫଳ ଥିଲା ଏନ୍‌ଡିଏ ଓ ପ୍ରଥମ ଏନ୍‌ଡିଏ ସରକାର। ଆଜି ବି ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଏ, ବାଜପେୟୀ କେମିତି ମେଣ୍ଟ ସରକାରରେ ପୂରା କାର୍ଯ୍ୟକାଳ ସମ୍ପୂର୍ଣ୍ଣ କଲେ?

ଏହାର ଉତ୍ତରରେ ପ୍ରଖ୍ୟାତ ସାମ୍ବାଦିକ ହିନ୍ଦୁସ୍ଥାନ ଟାଇମ୍‌ସ ପୂର୍ବତନ ସଂପାଦକ ଏଚ୍‌ କେ ଦୁଆ ଗତବର୍ଷ ‘ସମ୍ବାଦ’ ବାର୍ଷିକ ଉତ୍ସବ ଅବସରରେ ଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କ ସହିତ ତାଙ୍କ ଅଭିଜ୍ଞତା ସଂପର୍କରେ ଯାହା କହିଥିଲେ, ତାହା ଏଠାରେ ଉଲ୍ଲେଖ କରାଯାଇପାରେ। ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ଦୁଆଙ୍କୁ ତାଙ୍କର ମିଡିଆ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇ ଦୁଆ ପଚାରିଥିଲେ, ମୁଁ ତ ଜଣେ ଜଣାଶୁଣା ବିଜେପି ଓ ଆର୍‌ଏସ୍‌ଏସ୍‌ ଆଦର୍ଶ ବିରୋଧୀ ସାମ୍ବାଦିକ। ତଥାପି ଆପଣ କେମିତି, ମୋତେ ଆପଣଙ୍କର ମିଡିଆ ପରାମର୍ଶଦାତା କରିବାକୁ ଚାହୁଁଛନ୍ତି। ଏଥିରେ ବିଜେପିରେ କଣ ଅସନ୍ତୋଷ ହେବ ନାହିଁ? ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ବିଜେପିର ପ୍ରଧାନମନ୍ତ୍ରୀ ନୁହେଁ। ମୁଁ ଏନ୍‌ଡିଏର ପ୍ରଧାନମନ୍ତ୍ରୀ।’

ପ୍ରକୃୃତରେ ସେ ଶେଷ ପର୍ଯ୍ୟନ୍ତ କେବଳ ରାଜଧର୍ମ ନୁହେଁ, ମେଣ୍ଟ ଧର୍ମ ମଧ୍ୟ ପାଳନ କରୁଥିଲେ। ସେଥିପାଇଁ ସେ କେବଳ ସହଯୋଗୀଙ୍କୁ ନୁହେଁ, ବିରୋଧୀଙ୍କର ମଧ୍ୟ ଆସ୍ଥା ଓ ବିଶ୍ୱାସ ଜିଣିଥିଲେ।

Share Now:

Kalinga News Beuro

Leave a Reply

Next Post

ମିଳିଲା ସୁଡ଼ଙ୍ଗ ଗ୍ୟାଙ୍ଗ୍‌ର ସନ୍ଧାନ

Fri Aug 17 , 2018
ଅଧ କେଜି ସୁନା, ୫ କେଜି ରୁପା, ଲକ୍ଷେ ଟଙ୍କା ଜବତ, ଜଟଣୀ ସମେତ ଭୁବନେଶ୍ୱରରେ କରିଥିଲେ ଚୋରି ଭୁବନେଶ୍ୱର: ସଟର୍‌ କିମ୍ବା ଗ୍ରିଲ କାଟୁ ନ ଥିଲେ। ସିଧା ସୁଡ଼ଙ୍ଗ କରି ଭିତରକୁ ପଶୁ ଥିଲେ। ଟାର୍ଗେଟ୍‌ରେ ଥିଲା କେବଳ ସୁନାଗହଣା ଦୋକାନ। ଗୋଟିଏ ରାତିରେ କଳାକନା ବୁଲାଇ ଲୁଟି ନେଉଥିଲେ କୋଟି କୋଟି ଟଙ୍କାର ସୁନ ଅଳଙ୍କାର। ଜଟଣୀ, ଖାରବେଳନଗର ଭଳି ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial