ମିଳିଲା ସୁଡ଼ଙ୍ଗ ଗ୍ୟାଙ୍ଗ୍‌ର ସନ୍ଧାନ

ଅଧ କେଜି ସୁନା, ୫ କେଜି ରୁପା, ଲକ୍ଷେ ଟଙ୍କା ଜବତ, ଜଟଣୀ ସମେତ ଭୁବନେଶ୍ୱରରେ କରିଥିଲେ ଚୋରି

ଭୁବନେଶ୍ୱର: ସଟର୍‌ କିମ୍ବା ଗ୍ରିଲ କାଟୁ ନ ଥିଲେ। ସିଧା ସୁଡ଼ଙ୍ଗ କରି ଭିତରକୁ ପଶୁ ଥିଲେ। ଟାର୍ଗେଟ୍‌ରେ ଥିଲା କେବଳ ସୁନାଗହଣା ଦୋକାନ। ଗୋଟିଏ ରାତିରେ କଳାକନା ବୁଲାଇ ଲୁଟି ନେଉଥିଲେ କୋଟି କୋଟି ଟଙ୍କାର ସୁନ ଅଳଙ୍କାର। ଜଟଣୀ, ଖାରବେଳନଗର ଭଳି ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍‌ ଆତଙ୍କ ଖେଳାଇଥିଲା। ମାତ୍ର ମାସକ ମଧ୍ୟରେ ଏହି ସୁଡ଼ଙ୍ଗ ଗ୍ୟାଙ୍ଗ୍‌ କମିସନରେଟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲା। ଶେଷରେ ଡିସିପି ଅନୁପ ସାହୁ ନିଜେ ଏହି ସୁଡ଼ଙ୍ଗ ଗ୍ୟାଙ୍ଗ୍‌ର ସନ୍ଧାନରେ ଲାଗି ପଡ଼ିଥିଲେ। ମାତ୍ର ୩ ସପ୍ତାହ ମଧ୍ୟରେ ପୁଲିସ ଏହି ଗ୍ୟାଙ୍ଗ୍‌ର ୪ ଜଣିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଉ ସେମାନଙ୍କ ନିକଟରୁ ପୁଲିସ ଜବତ କରିଛି ଅଧ କେଜି ସୁନା, ୫ କେଜି ରୁପା ଗହଣା, ନଗଦ ଲକ୍ଷେ ଟଙ୍କା, ଦୁଇଟି। ସେମାନେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରେଙ୍ଗାଳ ଗାଁର ଜଣେ ନାବାଳକ(୧୬), ସୂର୍ଯ୍ୟକାନ୍ତ ବେହେରା(୨୨), କଟକର ରିଣ୍ଟୁଆ ସାମନ୍ତରାୟ(୪୫) ଓ ଅନୁଗୁଳର ପ୍ରଭାତ ପୋଥାଳ(୪୦)। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଡିସପି ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ଗ୍ୟାଙ୍ଗ୍‌ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।

କ’ଣ ଥିଲା ଘଟଣା
ଜୁଲାଇ ୨୨ ତାରିଖ। ଜଟଣୀ ରାଜା ବଜାରରେ ସୋନି ଜୁଏଲାରି ମାଲିକ ମହେଶ ଖାନ୍ତୁକା ଦୋକାନ ଖୋଲି ଦେଖିଥିଲେ, ଦୋକାନର ସଟର କଟା ଯାଇଥିଲା ନା ଗ୍ରିଲ, ନା କେହି ସ୍କାଏ ଲାଇଟ ଭାଙ୍ଗି ଥିଲେ। ହେଲେ ଦୋକାନ ଭିତରୁ ଏକ ସୁଡ଼ଙ୍ଗ୍‌ ବାହାରକୁ ଲମ୍ବିଛି। ୨୦ ଫୁଟ୍‌ ଲମ୍ବର ଏହି ସୁଡ଼ଙ୍ଗ ଦେଖି ଦୋକାନ ମାଲିକଙ୍କ ହୋସ ଉଡ଼ି ଯାଇଥିଲା। ଖବର ପାଇ ପୁଲିସ, ଫୋରେନସିକ୍‌ ଟିମ୍‌, ସନ୍ଧାନୀ କୁକର, ସ୍ପେସାଲ୍‌ସ୍କ୍ଵାଡ୍‌ ପ୍ରମୁଖ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ।

କେମିତି ଆରମ୍ଭ ହେଲା ତଦନ୍ତ
ସୋନି ଜୁଏଲାରିର ସିସି ଟିଭି ଖରାପ ଥିଲା। ତେଣୁ ପୁଲିସ ପ୍ରଥମେ ଭାବିଥିଲା ସୁଡ଼ଙ୍ଗ୍‌ ଖୋଳି ଲୁଟପାଟ୍‌ କରିବା କାମ ରାଜ୍ୟ ବାହାର ଲୁଟେରାଙ୍କର ବୋଲି। କିନ୍ତୁ ପୁଲିସ ସୋନି ଜୁଏଲାରିରେ ଲାଗିଥିବା ପୁରୁଣା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଥିଲା। ଏତିକିବେଳେ ପୁଲିସ ଦେଖିଥିଲା ଦୁଇ ଜଣ ଯୁବକ ଭିନ୍ନଭିନ୍ନ ଦୁଇଟି ମୋପେଡ୍‌( ହିରୋ ମାଏଷ୍ଟ୍ରୋ)ରେ ଜୁଏଲାରି ନିକଟକକୁ ବାରମ୍ବାର ଆସୁଛନ୍ତି। ସିସି କ୍ୟାମେରାରେ ଯୁବକ ଦ୍ୱୟ ଚିହ୍ନଟ ହୋଇ ପାରୁ ନ ଥିଲେ ମଧ୍ୟ ସେମାନେ ଦୋକାନ ନିକଟକୁ ଆସି ଏକ ନିର୍ଦିଷ୍ଟ ସ୍ଥାନରେ ମାଟି ଖୋଳୁଛନ୍ତି। ତେଣୁ ପୁଲିସ ସେମାନଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା।

ମୋପେଡ୍‌ ହିଁ ଦେଲା ସୁରାକ
ପୁଲିସ ପ୍ରଥମେ ସେ ଦୁଇଟି ମୋପେଡ୍‌କୁ ଟାର୍ଗେଟ କରିଥିଲା। ମୋପେଡ୍‌ ରଙ୍ଗ ଦେଖିବା ପରେ ପୁଲିସ ଜଟଣୀ, ଖୋର୍ଧା ଓ ଭୁବନେଶ୍ୱରେ ଥିବା ହିରୋ ମାଏଷ୍ଟ୍ରୋ ସୋରୁମ୍‌କୁ ଯାଇ ପଚରାଉଚରା କରିଥିଲା। ସେହି ଦୁଇଟି ରଙ୍ଗ୍‌ର ମୋପେଡ ଜଟଣୀରେ ଥିବା ସୋରୁମରୁ ଡେଲାଙ୍ଗ୍‌ ଅଞ୍ଚଳର ଦୁଇ ଜଣ ଯୁବକ କିଣିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସେହି ଦୁଇ ଯୁବକଙ୍କୁ ଖୋଜିଖୋଜି ଡେଲାଙ୍ଗରେ ପହଞ୍ଚିଥିଲା।

ଘର ଦେଖି ପୁଲିସ ତାଟକା
ଦୁଇ ଅଭିଯୁକ୍ତ(ନାବାଳକ ଓ ସୂର୍ଯ୍ୟକାନ୍ତ) ଦିନ ମଜୁରିଆ ଭାବେ କାମ କରନ୍ତି ବୋଲି ଗାଁ ଲୋକ ଜାଣିଥାନ୍ତି। କିନ୍ତୁ ଯେତେବେଳ ପୁଲିସ ଦୁହିଁଙ୍କ ଗାଁ ରେଙ୍ଗାଳରେ ପହଞ୍ଚିଥିଲା, ଦେଖିବାକୁ ପାଇଥିଲା ଉଭୟ ୩ ମାସ ହେବ ବିଶାଳ ଘର ତିଆରି କରୁଛନ୍ତି। ପୁଲିସ ମନରେ ସନ୍ଦେହ ହେଲା। ଏହା ପରେ ସ୍ପେସାଲ ସ୍କ୍ଵାଡ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବା ପରେ ସେମାନେ ସତ ସବୁ ମାନି ଯାଇଥିଲେ। ଦୁହେଁ ଚୋରି ସାମଗ୍ରୀ ରିଣ୍ଟୁଆ ଓ ପ୍ରଭାତଙ୍କୁ ବିକ୍ରି କରିଥିବା ସୂଚନା ଦେଇଥିଲେ।

୩ ଜୁଏଲାରିରେ ବୁଲାଇଛନ୍ତି କଳାକନା
ଦୁହେଁ ପୂର୍ବରୁ କୌଣସି ଅପରାଧରେ ସଂପୃକ୍ତ ନ ଥିବାରୁ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ତେବେ ସେମାନେ ପୁଲିସ ହାତରେ ଧରା ପଡ଼ିବା ପରେ ଜଟଣୀର ଗୋଲ୍‌ଡ ପ୍ଲାଜା ଓ ଖାରବେଳନଗର ଥାନା ଅଧୀନ ଏକ ଜଏଲାରି ଦୋକାନରେ ସମାନ ଢଙ୍ଗରେ ଚୋରି କରିଥିବା ମାନିଛନ୍ତି। ଏଥିପାଇଁ ପୁଲିସ ଦୁହିଁଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରୁଛି ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଡେଙ୍ଗୁ ପାଇଁ ଏସ୍‌ସିବିରେ ଖୋଲିବ ସ୍ୱତନ୍ତ୍ର ଆଇସିୟୁ

Fri Aug 17 , 2018
କଟକ : କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଆଇସିୟୁ। ସେଣ୍ଟ୍ରାଲ ଆଇସିୟୁ ପାଖରେ ଏଭଳି ଆଇସିୟୁ ବ୍ୟବସ୍ଥା କରାଯିବା ସହ ଦୁଇ/ତିନି ଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି। ଏହି ଆଇସିୟୁରେ ୮ଟି ବେଡ୍‌ ରହିବ। ଏହା ଦ୍ୱାରା ଡେଙ୍ଗୁ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଆଇସିୟୁ ସମସ୍ୟାର ସମାଧାନ ହୋଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial