କେବେ ସୁଧୁରିବ ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଗାଁ ରାସ୍ତା?

ଗାଁ ବୋଲି କ’ଣ ଏତେ ହୀନସ୍ତା

ସବୁଆଡ଼େ ଖୋଳିଦେଇଛି ଏଲ୍‌ ଆଣ୍ଡ୍‌ ଟି, ବର୍ଷାରେ ହୀନସ୍ତା ଲୋକେ

ଚନ୍ଦ୍ରଶେଖରପୁର: ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଏହି ୪ଟି ରାଜସ୍ୱ ଅଞ୍ଚଳକୁ ଯୋଡ଼ୁଥିବା ରାସ୍ତା ଏବେ ମରଣଯନ୍ତା। ସହରର ମୁଖ୍ୟ ରାସ୍ତାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ରାସ୍ତାର କେଉଁଠି ଆଣ୍ଠୁଏ ଖାଲ, ତ ଆଉ କେଉଁଠି ବର୍ଷା ବେଳେ ରାସ୍ତା ଓ ଗାତ ଏକାକାର। କେଉଁ ଆଡ଼େ ଗଲେ କେଉଁଠି ପହଞ୍ଚିବେ ତାହାର ଟେର୍‌ ପାଉନାହାନ୍ତି ପଥଚାରୀ। ଦିନେ କି ଦୁଇ ଦିନର ଅବସ୍ଥା ଏହା ନୁହେଁ। ବରଂ ବର୍ଷ ବର୍ଷ ଧରି ପଟିଆ ଓ ଡମଣା ରାଜସ୍ୱ ଗାଁ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ନିକଟରେ ଯେତେ ମୁଣ୍ଡ ପିଟିଲେ ବି କେହି ଶୁଣିବାକୁ ନାହାନ୍ତି। ଜନପ୍ରତିନିଧି ବି କହି କହି ଥକିଗଲେଣି। ତଥାପି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ଦୁଇ ଗାଁ ମଧ୍ୟ ଭାଗରେ ଥିବା ଲୋକେ।
ପଟିଆ ଓ ଡମଣା ଗ୍ରାମକୁ ସଂଯୋଗ କରୁଥିବା ଏହି ରାଜସ୍ୱ ରାସ୍ତା ଆଖପାଖ ଅଞ୍ଚଳରେ ଅନେକ ଆପାର୍ଟମେଣ୍ଟ ଗଢ଼ି ଉଠିଥିବାରୁ ସେଠାକାର ଲୋକେ ଏବେ ଏକପ୍ରକାର ଯନ୍ତ୍ରଣାର ଶିକାର ହେଉଛନ୍ତି। ପଟିଆରୁ ଶ୍ରୀବିହାର ଦେଇ ଶବର ସାହିକୁ ଯୋଗାଯୋଗ କରୁଥିବା ରାସ୍ତାରେ ସ୍ୱରେଜ କାମ ଚାଲିଛି ଯେ ସରୁନି। ପ୍ରଥମେ ଜାଇକା କାମ କରୁଥିବା ସମୟରେ ବିଭିନ୍ନ ସ୍ଥାନରେ ସ୍ୱରେଜ ପାଇପ୍‌ ପକାଇବା ଲାଗି ଖୋଲିଥିଲା। ଆଉ ଏବେ ଏଲ୍‌ ଆଣ୍ଡ ଟି ଖୋଳିଥିଲେ ମଧ୍ୟ ଯେଉଁଭଳି କାମ କରିବା କଥା କରୁ ନାହାନ୍ତି। ମନ୍ଥରଗତିରେ କାମ ଚାଲିଥିବାରୁ ଲୋକଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। ଲକ୍ଷ୍ମୀନାରାୟଣ ମନ୍ଦିର ଓ ଏହା ନିକଟ ଅଞ୍ଚଳକୁ ଯୋଗାଯୋଗ ରାସ୍ତାରେ ମଧ୍ୟ ସମାନ ସ୍ଥିତି ଲାଗିରହିଛି। ୩୦ରୁ ୪୦ ଫୁଟର ଚାମ୍ବର ଖୋଳାଯାଇଥିବାରୁ ସ୍ଥିତି ଏବେ ଅଧିକ ବିଗିଡ଼ି ଯାଇଛି। ଚିନ୍ତାର କାରଣ ହେଉଛି ଯେ ଜାଗା ବିବାଦ ଯୋଗୁ ଡମଣା ଗାଁ ପୋଖରୀ ନିକଟ ରାସ୍ତା କାମ ଆଗେଇ ପାରୁନାହିଁ। ମନ୍ଦିର ଓ ପୋଖରୀର ଉନ୍ନତୀକରଣ ହୋଇଛି ସତ। ମାତ୍ର ଅଣଓସାରିଆ ରାସ୍ତା ଏଠାରେ ସମସ୍ୟା ସୃଷ୍ଟି କରିଛି। ରାସ୍ତା କରିବାକୁ ଜନପ୍ରତିନିଧିମାନେ ଅଣ୍ଟା ଭିଡ଼ିଥିଲେ ମଧ୍ୟ ଜାଗା ବିବାଦ ଏବେ ଲକ୍ଷାଧିକ ଲୋକଙ୍କ ଯିବା ଆସିବା ବାଟ ବନ୍ଦ କରିଦେଇଛି। କୋର୍ଟରେ ମାମଲା ଚାଲିଥିବାରୁ ଜାଗା ମିଳୁନି କି କାମ ଆଗେଇ ପାରୁନାହିଁ। ବର୍ଷା ସମୟରେ ଏହି ରାସ୍ତାରେ ଛୋଟ ଛୋଟ ପୋଖରୀର ଭ୍ରମ ସୃଷ୍ଟି ହେଉଛି। କେଉଁଠି ପାଣି, କେଉଁଠି ରାସ୍ତା ପଥଚାରୀମାନେ ଜାଣିପାରୁ ନାହାନ୍ତି।
୨୦୨୧ରେ ଦୁଇଟି ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୁରବସ୍ଥା ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀମାନେ ସ୍ଥାନୀୟ ବିଧାୟକଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଥିଲେ। ତାହାକୁ ଆଧାର କରି ବିଧାୟକ ତତ୍ପରତା ପ୍ରକାଶ କରିବା ସହ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରି ପଡ଼ି ରହିଥିବା ଏହି କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଏମ୍‌ସି ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଆସୁଥିବା ପଟିଆ ଗ୍ରାମର ପୁରୁଷୋତ୍ତମ ମହାନ୍ତିଙ୍କ ଘରଠାରୁ ଡମଣା ଶିବ ମନ୍ଦିର ପର୍ଯ୍ୟନ୍ତ ୧.୧୧୦ କିମି ରାସ୍ତା ନିର୍ମାଣ ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଦୁଇ ବର୍ଷ ହେଲା ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ କାମ ଶେଷ ହୋଇ ନାହିଁ। ଅଧାରୁ ଅଧିକ କାମ ସରିଛି। ବାକି କାମ ପାଇଁ ଏବେ ଆର୍‌ ଆଣ୍ଡ ବି ପକ୍ଷରୁ ଟେଣ୍ଡର ହେବାକୁ ଯାଉଛି। ୩ ନମ୍ବର ୱାର୍ଡ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ କହିବାନୁଯାୟୀ ରାସ୍ତା ଉନ୍ନୟନ କାମ ଚାଲିଛି। ବିଧାୟକଙ୍କ ସମେତ ବିଏମ୍‌ସି ମେୟର ଓ କମିସନର ବିଭିନ୍ନ ସମୟରେ ଅଞ୍ଚଳ ପରିଦର୍ଶନ କରିବା ସହ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସ୍ବରେଜ କାମ ବିଳମ୍ବ ହେଉଥିବାରୁ ‌ବର୍ଷା ‌ଦିନେ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏନେଇ କାମ କରୁଥିବା ଏଲ୍‌ ଆଣ୍ଡ୍‌ ଟି ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କାମ ଶୀଘ୍ର ଶେଷ କରିବାକୁ କୁହାଯାଇଛି।

Share Now:

Kalinga News Beuro

Next Post

୪ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣା : ଗିରଫ ହେଲେ ହାଇସ୍କୁଲର ସଭାପତି

Wed Aug 9 , 2023
କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। ଛାତ୍ରୀଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ବିଦ୍ୟାଲୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରୁଛନ୍ତି। ହେଲେ ବୁରୋମାଲ ହାଇସ୍କୁଲରେ ମଙ୍ଗଳବାର ଦିନ ଯେଉଁ ଅଭାବନୀୟ ଅଘଟଣ […]
ଗିରଫ ହେଲେ ହାଇସ୍କୁଲର ସଭାପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial