ଭୁବନେଶ୍ୱର : ବୋହୂର ଥିଲା ପରପୁରୁଷ ସହ ସଂପର୍କ। ସେ କଥା ଜାଣିଥିଲେ ଘରେ ଅସୁସ୍ଥ ହୋଇ ପ୍ରାୟତଃ ବିଛଣାରେ ପଡ଼ି ରହୁଥିବା ଶାଶୂ। ତା’ ପରପୁରୁଷ ସଂପର୍କ କଥା ଶାଶୂ ଅନ୍ୟମାନଙ୍କୁ କହିଦେବେ ବୋଲି ଏକ ସମୟରେ ବୋହୂ ନିଶ୍ଚିତ ହୋଇଗଲା। ବ୍ୟସ୍ତ ହୋଇ ଶେଷରେ ସେ ଶାଶୂଙ୍କୁ ବାଟରୁ ହଟାଇ ଦେବାଲାଗି ନିଷ୍ପତି ନେଲା। ଯୋଜନାବଦ୍ଧ ଭାବେ ଦିନେ ସନ୍ଧ୍ୟାବେଳେ ଘରେ କେହି ନଥିବାବେଳେ ଶଯ୍ୟାଶାୟୀ ଶାଶୂ ବେକରେ ଚଳାଇ ଦେଲା ଛୁରି। ଶାଶୂଙ୍କ ଜୀବନ ବାହାରି ଯିବାପରେ କେହି ଯେମିତି ତା’କୁ ସନ୍ଦେହ କରିବେନି, ସେଥିପାଇଁ ନିଜ ଚୁନିକୁ ନିଜ ବେକରେ ଗୁଡ଼ାଇ ଅଚେତ ହେବାଭଳି ନାଟକ କରି ତଳେ ପଡ଼ି ରହିଲା। ଏ ନାଟକ ଜରିଆରେ ସେ ପ୍ରମାଣ କରିବାକୁ ଚାହିଥିଲା ଯେ ଶାଶୂ , ବୋହୂ ଘରେ ଥିବାବେଳେ ଦୁଇଜଣ ଆତତାୟୀ ଘରେ ପଶି ଶାଶୂଙ୍କୁ ହତ୍ୟା କରିବାସହ ବୋହୂ ବେକକୁ ଚୁନିରେ ଚାପି ମାରିବାକୁ ଚେଷ୍ଟା କରିଥିଲେ। ହେଲେ ହତ୍ୟାକାରୀ ବୋହୂର ଏ ଚାଲ୍ କାମ ଦେଲାନି। ପ୍ରଥମରୁ ହାବଭାବରୁ ବୋହୂକୁ ସନ୍ଦେହ କରୁଥିବା ପୁଲିସ ହତ୍ୟାକାଣ୍ଡର ୭ ଦିନ ପରେ ହତ୍ୟାକାଣ୍ଡର ପର୍ଦଫାସ କରିଛି। ଆଜି ଭରତପୁର ଥାନା ପୁଲିସ ହତ୍ୟାକାଣ୍ଡର ଗୁମର ଖୋଲି ଚମକାଇ ଦେବାଭଳି ଏହି ସାଂଘାତିକ ତଥ୍ୟ ଦେଇଛି। ଶାଶୂ ମଦାଙ୍କ ହତ୍ୟା ଘଟଣାରେ ପୁଲିସ ବୋହୂ ବୈଶାଖୀ ପଲେଇକୁ ଗିରଫ କରିବାସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରିଛି। ଜେରା ପରେ ତା’କୁ କୋର୍ଟ ଚାଲାଣ କରାଯାଇଛି।
ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା : ଶାଶୂ ହତ୍ୟାକାରୀ ବୋହୂ ଗିରଫ

Share Now: