ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ

କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ବାଲି ମାଫିଆଙ୍କ ଭୂସ୍ବର୍ଗ

ଭ୍ୟାକ୍ୟୁମ୍ ମେସିନ୍ ପାଇଁ ଲୋପ ପାଉଛନ୍ତି ମାଛ, କଙ୍କଡ଼ା

ବାଲିଅନ୍ତା : ରାଜଧାନୀ ଉପକଣ୍ଠରେ ପ୍ରବାହିତ କୁଆଖାଇ, ଭାର୍ଗବୀ ଓ କୁଶଭଦ୍ରା ନଦୀ ଏବେ ବାଲିମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏହି ସବୁ ନଦୀରୁ ହଜାର ହଜାର ଟ୍ରିପ୍‌ ବାଲି ଚାଲାଣ ହେଉଛି। ନଦୀଶଯ୍ୟାକୁ ୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳିବା ନିୟମ ଥିଲେ ହେଁ ବାଲିମାଫିଆମାନେ ଏହି ଗାଇଡ୍‌ଲାଇନକୁ ମାନୁ ନାହାନ୍ତି। ନଦୀଶଯ୍ୟା ପ୍ରାୟ ୩୦ଫୁଟ୍‌ ଗଭୀର ହୋଇଗଲାଣି। ନଦୀରେ କୃତ୍ରିମ ଗଣ୍ଡ ସଦୃଶ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକେ ଗଭୀର ଜଳରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହେଉଛି। ବେଆଇନ ବାଲି ଖନନ ସ୍ଥାନୀୟ ଲୋକଙ୍କୁ ଯେତିକି ସମସ୍ୟାରେ ପକାଉଛି, ଚାଲାଣ ଯୋଗୁଁ ମଧ୍ୟ ସ୍ଥାନୀୟ ଜନସାଧାରଣ ତା’ଠାରୁ ଅଧିକ ବିପଦରେ ପଡ଼ୁଛନ୍ତି। ଶହଶହ ଟ୍ରିପ୍‌ ବାଲି ଚାଲାଣ ହେଉଥିବାରୁ ନିକଟସ୍ଥ ରାସ୍ତାରେ ଆଂଠୁଏ ବହଳର ବାଲିସ୍ତର ଜମି ଗଲାଣି। ବାଲି ଆସ୍ତରଣରେ ରାସ୍ତା ଲୁଚି ଯାଇଛି। ଫଳରେ ଏହି ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେଶୁରା, ପାଣ୍ଡରା ଓ ବାଙ୍କୁଆଳ ରାସ୍ତାରେ ୧୦ ଇଞ୍ଚ ମୋଟାର ବାଲି ସ୍ତର ଜମି ରହିଛି। ନିୟମ ଥିଲେ ହେଁ ବାଲିଘାଟ ନିଲାମଧାରୀମାନେ ରାସ୍ତାରୁ ବାଲି ସଫା କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ବାଇକ୍‌ ଆରୋହୀ ଓ ଅନ୍ୟ ଗାଡ଼ି ଚାଳକମାନେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀର ପ୍ରବେଶ ପଥ କୁହାଯାଉଥିବା ଟଙ୍କପାଣି ବ୍ରିଜ୍‌ ପ୍ରତି ଏବେ ବିପଦ ଦେଖାଦେଇଛି। ମାଫିଆମାନେ ବ୍ରିଜ୍‌ ନିକଟରୁ ବି ବାଲି ଖୋଳି ବିକୁଛନ୍ତି। ତେଣୁ ଭବିଷ୍ୟତରେ ଏହା ବ୍ରିଜ୍‌ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ବଡ଼ ସମସ୍ୟା ହେଉଛି ଏଠାରେ ମାଫିଆମାନେ ଡଙ୍ଗାରେ ଭ୍ୟାକ୍ୟୁମ୍‌ ମେସିନ୍‌ ନେଇ ପାଣିରୁ ବାଲି ଉତ୍ତୋଳନ କରୁଛନ୍ତି ଓ ନଦୀପଠାରେ ପାହାଡ଼ ସଦୃଶ ବାଲିଗଦା କରିଛନ୍ତି। ନଦୀଜଳରେ ଭ୍ୟାକ୍ୟୁମ୍‌ ମେସିନ୍‌ ବ୍ୟବହାର ଦ୍ବାରା ମାଛ କଙ୍କଡ଼ା ଭଳି ଜଳଜୀବଙ୍କର ମୃତ୍ୟୁ ଘଟୁଛି। ଫଳରେ ଗତ କିଛି ବର୍ଷ ହେଲା ଏହି ତିନି ନଦୀରେ ବହୁ ପ୍ରଜାତିର ମାଛ ଲୋପ ପାଇ ଯାଇଥିବା ଦେଖିବାକୁ ମିଳିଛି।

ବାଲିସ୍ତରରେ ଲୁଚିଗଲାଣି ଢଳେଇ ଓ ପିଚୁରାସ୍ତା
ନଦୀରୁ ବାଲି ଉଠାଉଥିବା ବେଳେ ଟ୍ରକ୍‌, ଟିପର୍‌ ଓ ହାଇୱାମାନେ ଉପରେ ପଲିଥିନ୍‌ ପାଲ ପକାଉ ନାହାନ୍ତି। ଫଳରେ ଡାଲାରୁ ଓଦା ବାଲି ଖସି ରାସ୍ତା ସାରା ଜମା ହେଉଛି। ଟଙ୍କପାଣି ବ୍ରିଜ୍‌ ଉପରେ ପ୍ରାୟ ଫୁଟେ ଉଚ୍ଚରେ ବାଲି ସ୍ତର ଜମିଛି। ଓଦା ବାଲି ଯୋଗୁଁ ରାସ୍ତାରେ କାଦୁଅ ସୃଷ୍ଟି ହେଉଛି। ଫଳରେ ବାଇକ୍‌ ଓ ଅନ୍ୟ ଛୋଟ ଗାଡ଼ିଗୁଡ଼ିକ ଯାତାୟାତ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମୁଖୀନ ହେଉଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ଅନେକ ମୁଣ୍ଡ ଗଡ଼ିଲାଣି। ତଥାପି ପ୍ରଶାସନର ଚେତା ପଶୁନାହିଁ ବୋଲି ଅଭିଯୋଗ ହେଉଛି। ସମାନ ଅବସ୍ଥା ବାସୁଆଘାଇ, ବାଙ୍କୁଆଳ, କେଶୁରା, ପାଣ୍ଡରା ଓ ହାଇଟେକ୍‌ ରାସ୍ତାରେ। ବାଲିସ୍ତର ଭିତରେ ପିଚୁ ଓ କଂକ୍ରିଟ୍‌ ଢଳେଇ ଲୁଚି ଗଲାଣି।
ଚାଲାଣ ଫର୍ମ ନଦେଇ ଟିକସ ଫାଙ୍କୁଛନ୍ତି ମାଫିଆ
ବାଲିଘାଟ ନିଲାମ ନେଇଥିବା କିଛି ବ୍ୟବସାୟୀ ବାଲି ଚାଲାଣ କରୁଥିବା ଗାଡ଼ିକୁ ଉପଯୁକ୍ତ ଚାଲାଣ ଫର୍ମ ଦେଉଛନ୍ତି। କିନ୍ତୁ ଅନେକ ନିଲାମଧାରୀ ବିନା ଚାଲାଣ ଫର୍ମରେ ବାଲି ବିକୁଛନ୍ତି। ଫଳରେ ଏହି ବାଲି କଳାବଜାର ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ଅଭିଯୋଗ ହେଉଛି। କିଛି ବାଲି ଚାଲାଣ କରୁଥିବା ଗାଡ଼ି ମାଲିକମାନଙ୍କ କହିବା କଥା, ନିଲାମଧାରୀମାନେ ଉପଯୁକ୍ତ ଚାଲାଣ ଫର୍ମ ଦେଉନାହାନ୍ତି। ଏମିତିକି ମାଗିଲେ, ସେମାନେ ବାଲି ବିକିବାକୁ ମନା କରି ଦେଉଛନ୍ତି। ନଚେତ୍ ଫର୍ମ ବାବଦରେ ବହୁ ଅଧିକ ଦାମ୍‌ ଦାବି କରୁଛନ୍ତି। ସେମାନେ ଚାଲାଣ ଫର୍ମ ବାବଦରେ ଯେତିକି ଅର୍ଥ ଦାବି କରୁଛନ୍ତି, ସେତିକି ଅର୍ଥ ପଇଠ କରି ବାଲି ନେଲେ ବଜାରରେ ବିକ୍ରି ହୋଇପାରିବ ନାହିଁ। ଯେଉଁମାନେ ବିନା ଚାଲାଣ ଫର୍ମରେ ବଜାରକୁ ବାଲି ନେଉଛନ୍ତି, ସେମାନେ କମ୍‌ ଦାମ୍‌ରେ ବିକି ପାରିବେ। ତେଣୁ ବେପାର ଚାଲୁ ରଖିବାକୁ ହେଲେ ଏମିତି ଗଳାବାଟ ଖୋଜିବାକୁ ପଡ଼ୁଛି। ପ୍ରଶାସନ ଠିକ୍‌ ପଦକ୍ଷେପ ଗ୍ରହଣ କଲେ, ଏହି ସମସ୍ୟା ରହନ୍ତା ନାହିଁ ବୋଲି ସେମାନେ କହିଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ବାଲିଘାଟ ନ ଜଗି ରାସ୍ତାରେ ବାଲି ଗାଡ଼ିକୁ ଭାରି ଜରିମାନା କରୁଛି। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନୀତିରେ ଜିଲ୍ଲା ପ୍ରଶାସନ ମାଫିଆଙ୍କ ପାଖକୁ ନ ଯାଇ ରାସ୍ତାରେ ଗାଡ଼ିଗୁଡ଼ିକୁ ହନ୍ତସନ୍ତ କରୁଛି ବୋଲି ସେମାନେ କହିଛନ୍ତି। ତେଣୁ ବାଲି ଚୋରି ରୋକିବାକୁ ହେଲେ ପ୍ରଶାସନ ଘାଟରେ ଜଗୁ ବୋଲି ସେମାନେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଥାନା ହାଜତରେ କୁକୁଡ଼ା : ଦାନା ଖୁଆଉଛନ୍ତି ପୁଲିସ ବାବୁ

Sun Feb 7 , 2021
ହାଇଦ୍ରାବାଦ: ଥାନା ହାଜତରେ ଅପରାଧୀଙ୍କ ବଦଳରେ ଅଛନ୍ତି ଦୁଇଟି କୁକୁଡ଼ା। ଆଉ କୁକୁଡ଼ାଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିଛନ୍ତି ଥାନା କର୍ମଚାରୀ। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ। ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାର ମୁଦିଗୋଣ୍ଡା ଜିଲ୍ଲାର ଏକ ପୁଲିସ ଥାନାର ଦୁଇଟି କୁକୁଡ଼ାଙ୍କୁ ତାଲା ପକାଇ ରଖାଯାଇଛି। ଖବର ଅନୁଯାୟୀ, ମକର ସଂକ୍ରାନ୍ତିର କିଛି ଦିନ ତଳେ ମୁଦିଗୋଣ୍ଡାର ସବ୍-ଇନ୍ସପେକ୍ଟର ଟି.ନରେଶଙ୍କୁ ବନାପୁରମ୍ ଗାଁରେ […]
ଥାନା ହାଜତରେ କୁକୁଡ଼ା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial