ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ ମାମଲା : ଜେଲ୍‌ଗ‌ଲେ ୨ ଆକ୍ରମଣକାରୀ

ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ ମାମଲା

ଧଉଳି: ଗତ ସପ୍ତାହରେ ସ୍ଥାନୀୟ ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ଆଜି ଧଉଳି ଥାନା ପୁଲିସ ଆକ୍ରମଣକାରୀ ଗୋଷ୍ଠୀର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର, ପାନବରଜ ସାହିର ଗୋପୀନାଥ ରାଉତ(୨୧) ଓରଫ ଗୋପୀ ଏବଂ ବଡ଼ଗଡ଼ ଥାନା ଅଧୀନ ମହିଷାଖାଲବସ୍ତି ପ୍ଲଟ ନଂ୧୨/୨ରେ ରହୁଥିବା ଓମ୍‌ ପ୍ରକାଶ ମହାନ୍ତି (୧୯) ଓରଫ ଓମ୍‌। କୋର୍ଟରେ ଉଭୟ ଗୋପୀନାଥ ଏବଂ ଓମ୍‌ପ୍ରକାଶ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଦୁଇଟି ଖଣ୍ଡା ଓ କଟୁରି ଜବତ କରାଯାଇଛି। ତେବେ ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉତ୍ତମ ମହାପାତ୍ରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ଗିରଫ କରିବା ଲାଗି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଫଳ ହୋଇପାରିନାହିଁ। ଉଭୟ ଗୋପୀନାଥ ଏବଂ ଓମ୍‌ ବି‌ରୋଧରେ ଧଉଳି ଥାନା ସମେତ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ଏସଂପର୍କରେ ଶିଶୁପାଳଗଡ଼ର ଅନିଲ ସୁନ୍ଦରାୟ ଏବଂ ସୌରଭ ନାୟକ ଲିଖିତ ଅଭିଯୋଗ କରିଥିଲେ। ଅନୀଲ ଏବଂ ସୌରଭଙ୍କ ଅଭିଯୋଗ ଆଧାରରେ ଧଉଳି ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଛି। ଶିଶୁପାଳଗଡ଼ ‌ସଂଘବଦ୍ଧ ମାମଲାରେ ଏହି ଗୋଷ୍ଠୀ ବିରୋଧରେ ସୁନାଚେନ ଛଡ଼ାଇ ନେବା, ଗାଡ଼ି ଭଙ୍ଗାରୁଜା କରିବା, ଆକ୍ରମଣ କରି ରକ୍ତାକ୍ତ କରିବା, ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଇ ଲୋକଙ୍କୁ ଭୟଭୀତ କରିବା ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ ଗତ ୨୮ ତାରିଖ ଅପରାହ୍ନରେ ଫେରାର ଅଭିଯୁକ୍ତ ଉତ୍ତମ ସମେତ ଗୋପୀନାଥ, ଓମ୍‌ ଏବଂ ଅନ୍ୟମାନେ ଲିଙ୍ଗିପୁରସ୍ଥିତ ଏକ ଘରୋଇ ହସ୍ପିଟାଲ ନିକଟରେ ଥିବା ଆଡ଼ାସ୍ଥଳୀରେ ଭୋଜି କରିଥିଲେ। ନିଶା କାରବାର ଏବଂ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଅନ୍ୟ ଗୋଷ୍ଠୀର ଯୁବକ ପୁଲିସକୁ ସୂଚନା ଦେଇଥିବା ନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ମଦ ଖାଇ ସାରିବା ପରେ ଆକମଣକାରୀ ପ୍ରଥମେ ବିପକ୍ଷ ଗୋଷ୍ଠୀର ଜଣେ ଯୁବକଙ୍କୁ ମାଡ଼ମାରିଥିଲେ। ଅନୁରୂପ ଭାବେ ସଂଧ୍ୟାରେ ବିପକ୍ଷ ଗୋଷ୍ଠୀ ଉତ୍ତମ ଓ ଶିଶୁପାଳଗଡ଼ର ତା’ର ସହଯୋଗୀ ଯୁବକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉତ୍ତମ ଗୋପୀନାଥ, ଓମ୍‌ଙ୍କ ସମେତ ଅନ୍ୟ ସହଯୋଗୀଙ୍କୁ ଫୋନ କରି ଡକାଇ ୩ଟି ବାଇକରେ ୯ ଜଣଯାକ ଯୁବକ ଖଣ୍ଡା ଓ କଟୁରି ଆଦି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଶିଶୁପାଳଗଡ଼ ଗାଁ ଭିତରକୁ ପଶି ଆତଙ୍କ ଖେଳାଇ ଥିଲେ। ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ଜୋନ-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ ଏହି ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲେ ହେଁ କାବୁ କରାଯାଇ ପାରିନଥିଲା। ଗଣ୍ଡଗୋଳ ପରେ ସେମାନେ ଫେରାର ହୋଇଯାଇଥିଲେ। ଗତକାଲି ଉଭୟଙ୍କୁ ଧରିବା ପାଇ ଧଉଳି ଥାନା ପୁଲିସର ଏକ ଟିମ୍‌ ବିଳମ୍ବିତ ରାତିରେ ପ୍ରଥମେ ଲକ୍ଷ୍ମୀସାଗର ଓ ପରେ ବଡ଼ଗଡ଼ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ସହାୟତାରେ କାବୁ କରିବାରେ ସକ୍ଷମ ହୋଇଥିଲା।

Share Now:

Kalinga News Beuro

Next Post

୩ ଘଣ୍ଟା ବର୍ଷାରେ ସ୍ମାର୍ଟସିଟି ବେହାଲ୍‌ : ଥରେଇଲା ବୁଡ଼େଇଲା

Sun Sep 3 , 2023
ଭୁବନେଶ୍ୱର: ପୂର୍ବରୁ ରାଜଧାନୀବାସୀଙ୍କର ମହାବାତ୍ୟା, ବାତ୍ୟା, ପ୍ରବଳ ବର୍ଷା ଓ ବିଜୁଳିର ଅନୁଭୂତି ଥିଲା। କିନ୍ତୁ ଆଜି ସେସବୁ ତିକ୍ତ ଅନୁଭୂତିକୁ ଟପିଯାଇଥିଲା ଭୟଙ୍କର ବଜ୍ରପାତ। ରାଜଧାନୀ ଭିତରୁ କେହି ମୃତାହତ ହୋଇନଥିଲେ ବି ଉପକଣ୍ଠରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ଉପକଣ୍ଠ‌ ଅଞ୍ଚଳରେ ୧୦ରୁ ଅଧିକ ଗୋରୁଗାଈଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବିଜୁଳି ମାଡ଼ରେ ଥରହର ହୋଇଥିଲା ପୂରା ରାଜଧାନୀ। […]
୩ ଘଣ୍ଟା ବର୍ଷାରେ ସ୍ମାର୍ଟସିଟି ବେହାଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial