ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ରହସ୍ୟମୟୀ ଯୁବତୀ

ଆଦିତ୍ୟ ମୃତ୍ୟୁ ମାମଲା

‘‌ପ୍ରେମ ସଂପର୍କ ଥିଲା, କିନ୍ତୁ ଏକତରଫା ନୁହେଁ’

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁ ମାମଲା ଅଧିକରୁ ଅଧିକ ରହସ୍ୟମୟ ହେବା‌ରେ ଲାଗିଛି। ଏକତରଫା ପ୍ରେମ କରୁଥିବା ଜଣେ ଯୁବତୀ ପ୍ରତିଶୋଧ ନେବା ପାଇଁ ଆଦିତ୍ୟଙ୍କୁ ହତ୍ୟା କରିଥିବା କିମ୍ବା କରାଇଥିବା ନେଇ ପରିବାରଲୋକ ଅଭିଯୋଗ କରିବା ପରେ ଆଜି ସଂପୃକ୍ତ ଯୁବତୀ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଯୁବତୀଜଣଙ୍କ ହେଲେ, ବାଲେଶ୍ବରର ଆଇନ ଛାତ୍ରୀ ଚିନ୍ମୟୀ ମହାପାତ୍ର। ସେ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ କହିଛନ୍ତି, ମୁଁ ଏକତରଫା ଭଲ ପାଉ ନଥି‌ଲି। ଆମ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏମିତିକି ଆଦିତ୍ୟ ବିବାହ ପାଇଁ ମା’ଙ୍କୁ ଫୋନ୍‌ କରି ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ସେ ସମୟରେ ବାପାଙ୍କ ଦେହାନ୍ତ ଯୋଗୁଁ ଆମ ସ୍ଥିତି ଭଲ ନଥିଲା। ତେଣୁ ମା’ ପ୍ରସ୍ତାବରେ ରାଜି ହୋଇ ନଥିଲେ। ସେବେଠାରୁ ଆମ ସଂପର୍କରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ଆଦିତ୍ୟଙ୍କ ପରିବାରଲୋକ କେଉଁ ଆଧାରରେ ମୋ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଏବଂ ମୋତେ ‘ସାଇକୋ-ଲେଡି’ କହିଛନ୍ତି, ତାହାର ପ୍ରମାଣ ରଖନ୍ତୁ। ନଚେତ୍‌ ମୁଁ ଆଇନର ଆଶ୍ରୟ ନେବି। ଏପରିକି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଧରିବା ପାଇଁ ମୁଁ ପୁଲିସକୁ ସହଯୋଗ କରିବି ବୋଲି ଚିନ୍ମୟୀ କହିଛନ୍ତି।
ଚିନ୍ମୟୀ ଆହୁରି କହିଛନ୍ତି ଯେ ସେପ୍ଟେମ୍ବର ୨୦୧୯ରେ ଫେସ୍‌ବୁକ୍‌ରୁ ଆଦିତ୍ୟଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। କଥାବର୍ତ୍ତା, ମିଳାମିଶା ବଢ଼ିବାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମୁଁ ମଝିରେ ମଝିରେ କାମରେ ଭୁବନେଶ୍ବର ଗଲେ ଆଦିତ୍ୟଙ୍କୁ ଭେଟୁଥିଲି। ସେପ୍ଟେମ୍ବରରୁ ଡିସେମ୍ବର ଯାଏ ଆମ ଭିତରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତେବେ ଚଳିତବର୍ଷ ଜାନୁଆରିରୁ ଆଦିତ୍ୟ ଅଣଦେଖା କରିଥିଲେ। ମୋଠାରୁ ଦୂରେଇବା ପାଇଁ ଅସ୍ବାଭାବିକ ବ୍ୟବହାର କରୁଥିଲେ। କାରଣ ପଚାରିବାରୁ, ତାଙ୍କ ଜୀବନରେ ଆଉ କେହି ଆସି ସାରିଥିବା କହିଥିଲେ। ସେବେଠୁ ମୁଁ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲି। ମୁଁ ତାଙ୍କୁ ମାର୍ଚ୍ଚ ୫ ତାରିଖରେ ‌ଶେଷ କଲ୍‌ କରିଥିଲି, ସେ ମୋତେ ଜୁନ୍‌ ମାସରେ ବିବାହ ପୂର୍ବରୁ କଲ୍‌ କରିଥିଲେ। ‌ତେବେ ଆମ ସମ୍ପର୍କ ଥିବା ସମୟରେ ମୁଁ ୨ଥର ତାଙ୍କ ଆଶ୍ରମକୁ ଯାଇଛି। ମୋତେ ପପୁ ଓ ବିକାଶ ବି ଜାଣିଛନ୍ତି। ଆମ ପ୍ରେମ ବିଷୟରେ କିନ୍ତୁ କାହାକୁ କହି ନଥିଲୁ। ଆଦିତ୍ୟଙ୍କ ମା’ଙ୍କ ସହ ମାତ୍ର ଥରେ ଫୋନ୍‌ରେ ଖୁବ୍‌ କମ୍‌ ସମୟ ପାଇଁ କଥା ହୋଇଥିଲି। ମୋ ଉପରେ ଯେଉଁ ଆରୋପ ଲଗାଯାଉଛି ଯେ ମୁଁ ବ୍ଲାକ୍‌ମେଲ୍‌ କରୁଥିଲି, ହାତ କାଟିବାକୁ ଧମକ ଦେଇଥିଲି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏଥିପାଇଁ ମୁଁ ଆଇନର ଆଶ୍ରୟ ନେବି।
ଉଲ୍ଲେଖଯୋଗ୍ୟ, ଆଦିତ୍ୟଙ୍କ ମା’ ପଦ୍ମାଳୟା ଆଜି ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ ଆଦିତ୍ୟଙ୍କୁ ଚିନ୍ମୟୀ ଏକତରଫା ଭଲ ପାଉଥିଲେ। ଏପରିକି ଆଦିତ୍ୟଙ୍କ ନିର୍ବନ୍ଧ ଦିନ ହଙ୍ଗାମା କରିଥିଲେ। ସେ ପ୍ରତିଶୋଧ ନେବା ପାଇଁ ଆଦିତ୍ୟଙ୍କୁ ହତ୍ୟା କରିଥାଇପାରନ୍ତି। ତେଣୁ ତାଙ୍କୁ ତୁରନ୍ତ ଜେରା କରି ସତ ପଦାକୁ ଅଣାଯାଉ ବୋଲି ସେ ଦାବି କରିଥିଲେ। ପଦ୍ମାଳୟାଙ୍କ ଏହି ବୟାନ ପରେ ଚିନ୍ମୟୀ ନିଜ ପ୍ରତିକ୍ରିୟା ରଖିଥିଲେ।

Share Now:

Kalinga News Beuro

Next Post

ଭାରତ କବ୍‌ଜାରେ ପାଙ୍ଗଙ୍ଗ ସୋ’ର ୩ ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖର

Fri Sep 4 , 2020
ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ସେନା ସହ ପୁଣି ଥରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ବେଳେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଅତି କମ୍‌ରେ ତିନିଟି ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରରେ ଭାରତୀୟ ଯବାନମାନେ ଆସ୍ଥାନ ଜମାଇ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହିମାଳୟର ଅତ୍ୟୁଚ୍ଚ ସ୍ଥାନରେ ଅବସ୍ଥିତ ଏହି ପାଙ୍ଗଙ୍ଗ ସୋ’ ହ୍ରଦ ଇଲାକା ଭାରତୀୟ […]
ଭାରତ କବ୍‌ଜାରେ ପାଙ୍ଗଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial