ରାଜଧାନୀରେ ରାତିଅଧରେ ଘରେ ପଶି ପିଟିଲା ପୁଲିସ: ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଭୁବନେଶ୍ୱର: ଲୋୟର୍‌ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ନ ଥମୁଣୁ, ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି। କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍‌ ଡେଇଁ ଏକ ଘରୋଇ ଅଫିସ୍‌ରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍‌ ମାଡ଼ ମାରିଛନ୍ତି। ସେତିକିରେ ବାବୁଙ୍କ ରାଗ ଶାନ୍ତ ହୋଇନି, ସେଠାରୁ ଖଣ୍ଡଗିରି ଥାନାକୁ ଆଣି ହାଜତ ଭିତରେ ରାତି ସାରା ନିସ୍ତୁକ ମାଡ଼ ମାରିଛନ୍ତି। ମାଡ଼ ଖାଇଥିବା କର୍ମଚାରୀଦ୍ବୟ ଏନେଇ ଅଭିଯୋଗ କରିଥିବା ବେଳେ ସିସିଟିଭିରେ ପୂରା ଘଟଣା କଏଦ୍‌ ହୋଇଛି। ପୂର୍ବରୁ ଏଭଳି ଅଭିଯୋଗକୁ ମିଛ କହି ଆସୁଥିବା କମିସନରେଟ୍‌ ପୁଲିସ୍‌ ଏହି ମାମଲାରେ ପ୍ରମାଣ ରହି ଯାଇଥିବାରୁ ଫସି ଯାଇଛି। ସାଦା ପୋଷାକରେ ଥିବା ପୁଲିସ ମାଡ଼ ମାରୁଥିବା ବେଳେ ପୋଷାକରେ ଥିବା ପୁଲିସ ଦେଖଣାହାରୀ ସାଜିଛି। ଘଟଣା ସହିଦ ନଗର ଥାନା ଅଞ୍ଚଳରେ ଘଟିଛି। ସୂଚନା ମୁତାବକ, ଭୁବନେଶ୍ୱରର ସହିଦ ନଗରସ୍ଥିତ ଏକ ଘରୋଇ ସଂସ୍ଥାର ମାଲିକ ହେଉଛନ୍ତି କୈଳାସ ଚନ୍ଦ୍ର ମୁଦୁଲି। ନିଜର ଡ୍ରାଇଭର ନ ଥିବାରୁ କିଛି ଦିନ ପାଇଁ ରମେଶ ବାରିକ ନାମକ ଡ୍ରାଇଭରଙ୍କୁ ଆଣି ରଖିଥିଲେ। ରମେଶଙ୍କ ନାମରେ ଖଣ୍ଡଗିରି ଥାନାରେ ମାମଲା ରହିଥିଲା। ରମେଶଙ୍କୁ ଖୋଜିବାକୁ ଆସି ଗତ ରାତି ୧୨ଟା ବେଳେ ୩ଜଣ ପୁଲିସ କର୍ମଚାରୀ ଏହି ସଂସ୍ଥାର ଅଫିସ କବାଟ ବାଡ଼େଇଥିଲେ। ଖୋଲିବାରେ ବିଳମ୍ବ ହେବାରୁ ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଥିଲେ। ଉଭୟଙ୍କୁ ବାହାରକୁ ଭିଡ଼ି ଆଣି ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ମାଡ଼ ମାରିଥିଲେ। ପରେ ରମେଶଙ୍କୁ ଖଣ୍ଡଗିରି ଥାନା ନିଆଯାଇ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ଶିବୁନା ଓ ବିକାଶ ଏନେଇ ଅଭିଯୋଗ କରିଛନ୍ତି।
ତେବେ କର୍ମଚାରୀଙ୍କ ନାମରେ କୌଣସି ମାମଲା ନାହିଁ। ଯଦି ଗିରଫ କରିବାର ଥିଲା, ତେବେ ଦିନରେ ଆସି ପାରିଥାନ୍ତେ। କିନ୍ତୁ ରାତି ଅଧରେ ଅଫିସରେ ପଶି ତାଙ୍କୁ ମାଡ଼ ମାରି ଥାନାକୁ ନିଆଗଲା କାହିଁକି? ମୋ’ ସରକାର କୁଆଡ଼େ ଗଲା? ମାନବ ଅଧିକାର ଉଲ୍ଲଂଘନ କରିବାକୁ କିଏ ଆଦେଶ ଦେଲା ବୋଲି ପ୍ରଶ୍ନ କରିଛନ୍ତି କୈଳାସ। ଏନେଇ ସେ କୋର୍ଟର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ମନଇଚ୍ଛା ଟଙ୍କା କଟୁଥିବା ଅଭିଯୋଗ : ବାଜାଜ ଫିନ୍‌ସର୍ଭରେ ଉତ୍ତେଜନା

Thu Dec 19 , 2019
ଭୁବନେଶ୍ୱର : ମାସିକ କିସ୍ତି ଦେବାରେ ସାମାନ୍ୟ ବିଳମ୍ବ ହେଲେ ଏକାଧିକବାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟା ଯାଉଛି। ଏପରିକି କିଛି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମନଇଚ୍ଛା ଟଙ୍କା କଟା ଯାଉଛି। କିନ୍ତୁ ଏ ସଂପର୍କ‌ରେ ଋଣ ଦେଇଥିବା ସଂସ୍ଥା ବଜାଜ ଫିନସର୍ଭ ନା ବ୍ୟାଙ୍କ କର୍ତ୍ତୃପକ୍ଷ; କେହି ବି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏଭଳି ଅଭିଯୋଗ କରି ଆଜି ୫୦ରୁ ଊର୍ଧ୍ୱ ଲୋକ ଖାରବେଳ ନଗରସ୍ଥିତ ବଜାଜ୍‌ ଫିନସର୍ଭ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial