୩ ନକଲି ଆର୍‌ଟିଓକୁ ବାନ୍ଧିଲା ପୁଲିସ

୩ ନକଲି ଆର୍‌ଟିଓକୁ ବାନ୍ଧିଲା ପୁଲିସ


ରାଉରକେଲା: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପରିଚୟ ଦେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରିବା ତିନି ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମ୍‌ଡେଗା ଜେଲକୁ ପଠାଇ ଦେଇଛି। ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନ। ଏମାନଙ୍କ ନିକଟରୁ ପୁଲିସ ଯାଞ୍ଚ କରିଥିବା ଗାଡିଗୁଡ଼ିକର କାଗଜପତ୍ର ଓ ନଗଦ ଅର୍ଥ ଜବତ କରିଛି। ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତବାକ ସୋମବାର ରାତି ପ୍ରାୟ ୯ଟାରେ ଗିରଫ ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ (ଜୋରାମ ଘାଟି) ନିକଟରେ ପହଞ୍ଚିଥିଲେ। ନିଜକୁ ସୁନ୍ଦରଗଡ଼ର ଆର୍‌ଟିଓ ଓ ସ୍ଥାନୀୟ ପୁଲିସ ପରିଚୟ ଦେଇ ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ କାଗଜପତ୍ରର ବିଭିନ୍ନ ତ୍ରୁଟି ଆଳ ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ। ଧରାପଡ଼ିଯିବା ଭୟରେ ସେଠାରେ ପ୍ରାୟ ୧ ଘଣ୍ଟା ରହିଥିଲେ। ସେଠାରୁ ସିଧାସଳଖ କାର୍‌ଯୋଗେ ବୀରମିତ୍ରପୁର ରାଏବୋଗା ଥାନା ଅନ୍ତର୍ଗତ ମଝାପଡ଼ା ପଞ୍ଚାୟତ କେନ୍ଦୁମୁଣ୍ଡା ରାସ୍ତାକୁ ଚାଲି ଆସିଥିଲେ। ସେଠାରେ ମଧ୍ୟ ଗାଡ଼ିଗୁଡ଼ିକ ଯାଞ୍ଚ ଆରମ୍ଭ କରିଦେଇଥିଲେ। କିଛି ଟ୍ରକ ଡ୍ରାଇଭରଙ୍କ ସନ୍ଦେହ ହେବାରୁ ସେମାନେ ଠେଠେଇଟାଙ୍ଗର ଥାନା ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସୂଚନା ଆଧାରରେ ଥାନା ଅଧିକାରୀ ଇନ୍ଦ୍ରେସ୍‌ କୁମାରଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଆମ୍ବାପାଣି ନିକଟରେ ପହଞ୍ଚିଥିଲେ। କିନ୍ତୁ ତିନି ଯୁବକଙ୍କୁ ସେଠାରେ ପାଇ ନଥିଲେ। ଜାତୀୟ ରାଜପଥରେ ଯାତାୟତ କରୁଥିବା କିଛି ଟ୍ରକ ଡ୍ରାଇଭର ତିନି ଯୁବକ ରାଏବୋଗାର ଆଡକୁ ଯାଉଛନ୍ତି ବୋଲି ଥାନା ଅଧିକାରୀଙ୍କୁ କହିଥିଲେ। ପୁଲିସ ଟିମ୍‌ କେନ୍ଦୁଡିହିରେ ପହଞ୍ଚି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ପଙ୍କଳବାଡ଼ି ଡବଲ୍ ମର୍ଡ଼ର୍ ମାମଲା: ଗୋଟିଏ ପରିବାରର ୭ ଗିରଫ, ପିସ୍ତଲ ଓ ଗୁଳି ଜବତ

Tue Sep 5 , 2023
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଗତକାଲି ରାତିରେ ଦୁଇ ପରିବାର ମଧ୍ୟରେ ଲାଗିରହିଥିବା ପୁରୁଣା ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଉକ୍ତ ଗ୍ରାମର ମିଥୁନ୍ ଭୂୟାଁ ଓ ତାଙ୍କ ଶାଳକ ଲିପୁନ୍ ସ୍ବାଇଁଙ୍କୁ ପ୍ରତିପକ୍ଷ ପରିବାରର ୭ ଜଣ ସଦସ୍ୟ ମିଶି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକ ମିଥୁନ୍‌ଙ୍କ ମାଆ ସଞ୍ଜୁ ଭୂୟାଁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର […]
ପଙ୍କଳବାଡ଼ି ଡବଲ୍ ମର୍ଡ଼ର୍ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial