ଶାନ୍ତିପଲ୍ଲୀ ଆବାସ ଯୋଜନାରେ ବଢ଼ୁଛି ଅଶାନ୍ତି : ୧୦ ବର୍ଷ ପୂରିଲା, ଆବଣ୍ଟନ ନୋହିଲା

ଶାନ୍ତିପଲ୍ଲୀ ଆବାସ ଯୋଜନାରେ ବଢ଼ୁଛି ଅଶାନ୍ତି

୧୩୦୦ ଘର ହେବ, ହୋଇଛି ୫୬୦, ୧୬ରେ ଲଟେରି

ଭୁବନେଶ୍ୱର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ଅଶାନ୍ତି ବଢ଼ୁଛି। ସର୍ଭେ କରି ହିତାଧିକାରୀଙ୍କ ତାଲିକା ୧୦ ବର୍ଷ ହେଲା ପ୍ରସ୍ତୁତ ହୋଇଛି। ୧୩୦୦ ଘର ତିଆରି ହେବାକୁ ଥିବା ବେଳେ ୫୬୦ ଟି ତିଆରି ହୋଇଛି। ହେଲେ ସେହି ୫୬୦ ଘର ମଧ୍ୟ ଆବଣ୍ଟନ ହୋଇପାରୁନାହିଁ। ତାଲିକାରୁ ନାଁ କଟା ହେଉଛି, ଯୋଡ଼ା ହେଉଛି। ଦୁଇଦୁଇ ଥର ସର୍ଭେ କରି ପ୍ରାୟ ୬୦ ଜଣ ହିତାଧିକାରୀଙ୍କୁ ତାଲିକାରୁ କାଟି ଦେଇଛନ୍ତି। ପ୍ରଥମ ସର୍ଭେରେ ରେ’ ନମ୍ବର ପାଇଥିବା ପ୍ରାୟ ୬୦ ହିତାଧିକାରୀ ଦ୍ଵିତୀୟ ସର୍ଭେର ଚୂଡ଼ାନ୍ତ ତାଲିକାରେ ନାହାନ୍ତି। କେତେକ ନେତା ଓ ଅଫିସର ତାଙ୍କ ଲୋକଙ୍କୁ ଏଠାରେ ଘର ଦେବାପାଇଁ ଏଭଳି ବ୍ୟବସ୍ଥା କରିଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ପ୍ରବଳ ଅସନ୍ତୋଷ ବଢ଼ିବା ସହ ତାଲିକାରୁ ବାଦ୍‌ ପଡ଼ିଥିବା ଏକାଧିକ ହିତାଧିକାରୀ ପ୍ରତ୍ୟେକ ଦିନ ବିଡିଏ କାର୍ଯ୍ୟାଳୟ ଚକ୍କର କାଟୁଛନ୍ତି। ଏମାନେ କାହିଁକି କଟିଲେ, ପ୍ରଥମ ସର୍ଭେରେ ଯୋଗ୍ୟ ହୋଇଥିଲେ, ଦ୍ଵିତୀୟ ସ‌ର୍ଭେରେ କିଭଳି ଅଯୋଗ୍ୟ ହୋଇଗଲେ; ଏ ଉତ୍ତର କାହା ପାଖରେ ନାହିଁ। ବେଆଇନ ହୋଇଥିବା କର୍ତ୍ତୃପକ୍ଷ ଜାଣି ସାରିଥିବାରୁ ଘର ତିଆରି ନିର୍ମାଣ ହୋଇଥିବା ଘର ବାଣ୍ଟିବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି। ଏଣେ ନିର୍ମାଣ ହେବା ପରେ ଦୀର୍ଘ ଦିନ ଧରି ଘର ବ୍ୟବହାର ହେଉନଥିବାରୁ ନଷ୍ଟ ହେବାକୁ ବସିଲାଣି।
ତାଲିକାରେ ବନ୍ଧୁବାନ୍ଧବଙ୍କୁ ଭର୍ତ୍ତି କରୁଛନ୍ତି ନେତା, ଅଫିସର!
ଏହି ପ୍ରକଳ୍ପରେ ଆହୁରି ୭୪୦ ଘର ନିର୍ମାଣ ହେବାକୁ ରହିଛି। ହେଲେ ଏହି ପ୍ରକଳ୍ପ ନିର୍ମାଣ କରିଥିବା ସଂସ୍ଥା ଡିଏନ୍‌ ହୋମ୍ସ ସରକାରଙ୍କ ଠାରୁ ପାଇଥିବା ଜମିରେ ଯୁଦ୍ଧକାଳୀନ ଭିତ୍ତିରେ କୋଠା ନିର୍ମାଣ ଆରମ୍ଭ କଲାଣି। ପିପିପି ମୋଡ୍‌ରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ଚୁକ୍ତି ଅନୁସାରେ ବସ୍ତିବାସିନ୍ଦା ପାଇଁ ପ୍ରକଳ୍ପ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଯାଇ ବିଲ୍ଡର ସଂସ୍ଥା ତା’ର ନିଜର କୋଠା ନିର୍ମାଣ କରିବା କଥା। କିନ୍ତୁ ଏଠି ଓଲଟା ହୋଇଛି। ଅଧିକାରୀ ଓ ନେତା ନିଜ ନିଜ ସ୍ୱାର୍ଥ ହାସଲ ପାଇଁ ଲାଗି ପଡ଼ିଥିବା ବେଳେ ଠିକା ସଂସ୍ଥା ମଧ୍ୟ ନିଜ ସ୍ୱାର୍ଥ ପାଇଁ ବଡ଼ ପ୍ରକଳ୍ପ ପ୍ରସ୍ତୁତିରେ ଲାଗିପଡ଼ିଛି। ଏଣେ ଦୀର୍ଘ ୧୦ ବର୍ଷ ହେଲା ବସ୍ତିବାସିନ୍ଦାଙ୍କ ସ୍ୱାର୍ଥ ବଳି ପଡ଼ିଛି। ୨୦୧୦ ମସିହାରେ ସହିଦନଗରର ଶାନ୍ତି ପଲ୍ଲୀ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଦେବା ପାଇଁ ଯୋଜନା ହୋଇଥିଲା। ସର୍ଭେ କରିବା ପରେ ୮୪୯ ହିତାଧିକାରୀ ଚିହ୍ନଟ ହେବା ସହ (ରାଜୀବ ଆବାସ ଯୋଜନା)ରେ ସାମିଲ ହୋଇଥିଲେ। ୨୦୧୨ ମସିହା‌ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ସେମାନଙ୍କୁ ରେ’ ନମ୍ବର ଦିଆଯାଇଥିଲା। ମୋଟ ୧୩୦୦ ୟୁନିଟ୍‌ ନିର୍ମାଣ ହେବାକୁ ଯୋଜନା ହୋଇଥିଲା।
ପିପିପି ମୋଡ୍‌ରେ ଏଠାରେ ଘର ତିଆରି କରିବାକୁ ଯୋଜନା ହୋଇଥିଲା। ଡିଏନ୍‌ ହୋମ୍‌ସ୍‌ ଏଠାରେ ଗୃହ ନିର୍ମାଣ ଆରମ୍ଭ କରିଥିଲା। ୫୬୦ ଘର ତିଆରି କରିବାକୁ ୧୦ ବର୍ଷ ଲାଗି ଯାଇଥିଲା। ୧୦ ବର୍ଷ ଭିତରେ ଏହି ବସ୍ତିରେ ପରିବାର ସଂଖ୍ୟା ମଧ୍ୟ ବଢ଼ି ଯାଇଥିଲା। ଏଣୁ ବିଡିଏ ନନ୍‌ ରେ’(ରେ’ ହିତାଧିକାରୀ ହୋଇନଥିବା) ସର୍ଭେ କରିଥିଲା। ସେତେବେଳେ ଆଉ ୩୭୨ ହିତାଧିକାରୀଙ୍କ ତାଲିକା ହୋଇଥିଲା। କିନ୍ତୁ ମୂଳ ହିତାଧିକାରୀ ତାଲିକାରୁ ଷଡ୍‌ଯନ୍ତ୍ର କରି ୬୫ ଜଣଙ୍କୁ କାଟି ଦିଆଯାଇଥିଲା। ଯାହା ଫଳରେ ଅସନ୍ତୋଷ ବଢ଼ିଥିଲା। ସେମାନେ ଯୋଗ୍ୟ ନୁହନ୍ତି ବୋଲି କୁହାଯାଇଥିଲା। ତେବେ ଯଦି ଯୋଗ୍ୟ ନୁହନ୍ତି ତେବେ ପ୍ରଥମ ତାଲିକାରେ ସ୍ଥାନ ପାଇଥିଲେ କେମିତି, ପ୍ରଥମ ତାଲିକା ଠିକ୍‌ ନା ଦ୍ଵିତୀୟ ତାଲିକା ଠିକ୍‌- ଏ ଉତ୍ତର କାହା ପାଖରେ ନାହିଁ। ବାସ୍ତବରେ ମହିଷାଖାଲ ପ୍ରକଳ୍ପରେ କେତେକ ‌ନେତା ନିଜ ସମ୍ପର୍କୀୟଙ୍କୁ ତାଲିକାରେ ଯୋଡ଼ିବା ସହ ଘର ରଖିଛନ୍ତି। ଠିକ୍‌ ସେହିଭଳି ଏଠାରେ ମଧ୍ୟ ଅଯୋଗ୍ୟଙ୍କୁ ସାମିଲ କରାଯାଇ ଯୋଗ୍ୟଙ୍କୁ ବାଦ୍‌ ଦିଆଯାଇଛି। ଯାହା ଆଗକୁ ଭୟଙ୍କର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି। ତେବେ ୧୬ ତାରିଖରେ ଏହି ପ୍ରକଳ୍ପରେ ଘର ଆବଣ୍ଟନ ପାଇଁ ଲଟେରି ହେବାକୁ ଯାଉଥିବା ସୂଚନା ମିଳିଛି। ୧୦୨ ଜଣ ପ୍ରିମିୟମ୍‌ ଜମା କରିଥିବା ବେଳେ ୧୮୪ ଜଣ ଆଂଶିକ ଜମା କରିଛନ୍ତି। ଲଟେରି ମାଧ୍ୟମରେ ଚୟନ ହେବାକୁ ଥିବା ହିତାଧିକାରୀ ପ୍ରିମିୟମ୍‌ ଦାଖଲ କରିବା ପରେ ଯାଇ ଘର ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ନିଖୋଜ ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର

Fri Sep 15 , 2023
ବସ୍ତା: ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମରେ ଗତକାଲିଠାରୁ ଏକ ଶିଶୁ ନିଖୋଜ ଥିଲା। ଆଜି ଉକ୍ତ ଶିଶୁପୁତ୍ରର ମୃତଦେହ ଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଛି। ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମର ଅରୁଣ ରାମଙ୍କର ୨ବର୍ଷର କୁନି ପୁଅ ରିତିକ ରାମ୍‌ ଗତକାଲି ବଡ଼ଭାଇ ରିଶି ରାମ୍‌ ସହିତ ସକାଳ ପ୍ରାୟ ୬.୩୦ ମିନିଟ୍ ସମୟରେ ଘରେ ବସି ମୋବାଇଲ ଦେଖୁଥିଲା। ରିତିକର ମାଆ […]
ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial