ଖରାପ ରାସ୍ତା ପାଇଁ ଯୁବ ଡାକ୍ତରଙ୍କୁ ଡାକିନେଲା ମୃତ୍ୟୁ

ବାଟରୁ ଯୁବ ଡାକ୍ତରଙ୍କୁ ଡାକିନେଲା ମୃତ୍ୟୁ

ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବ ପ୍ରଶାସନ ?

ଭୁବନେଶ୍ୱର: ଗତ ଶନିବାର ବିଳମ୍ବିତ ରାତିରେ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ ତଳେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ ମିଳିଛି। ମୃତକ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳସ୍ଥ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ଯୁବ ଡାକ୍ତର ଅମିତ୍ କୁମାର ବିଶୋୟୀ(୨୬)। ଗଞ୍ଜାମ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଅମିତ୍ କଳିଙ୍ଗବିହାର କେ-୪ ଅଞ୍ଚଳରେ ରହୁଥିଲେ। ଗତକାଲି ରାତିରେ ସେ ରୋଗୀମାନଙ୍କୁ ଦେଖି ଘରକୁ ଫେରୁଥିବା ବେଳେ ବାଟରେ କାର୍‌ ଦୁର୍ଘଟଣାରେ ତାଙ୍କ ଅକାଳ ବିୟୋଗ ହୋଇଛି। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଅମିତ୍‌ ତାଙ୍କ ପରିବାର ସହ କଳିଙ୍ଗବିହାର କେ-୪ ନିର୍ମାଲ୍ୟ ଏନ୍‌କ୍ଲେଭ୍‌ରେ ରହୁଥିଲେ। ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚାକିରି କରୁଥିଲେ। ଶନିବାର ରାତିରେ ସେ ହସ୍ପିଟାଲ୍‌ରୁ କାମ ସାରିବା ପରେ ଜଣେ ବନ୍ଧୁଙ୍କ ପାର୍ଟିରେ ଯୋଗଦେଇଥିଲେ। ରାତି ପାଖାପାଖି ସାଢ଼େ ୧୨ଟା ସମୟରେ ସେ ରସୁଲଗଡ଼ ଦେଇ ଘରକୁ ଫେରୁଥିଲେ। ବମିଖାଲ୍‌ ଓଭରବ୍ରିଜ୍‌ ନିକଟରେ ଯାଉଥିବା ବେଳେ ରାସ୍ତାରେ ଏକ ଖାଲଥିବା ନେଇ ସେ ଜାଣିପାରିନଥିଲେ। କାର୍‌ଟି ଖାଲରେ ପଡ଼ି ଉଠିବା ପରେ ଅମିତ୍‌ ଭାରସାମ୍ୟ ହରାଇଥିଲେ। ଫଳରେ ତାଙ୍କ କାର୍‌ ବ୍ରିଜ୍‌ ତଳେ ଥିବା ଅନ୍ୟ ଏକ କାର୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖମ୍ବରେ ବାଡ଼େଇ ହୋଇଯାଇଥିଲା। ‌କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା ଏବଂ ଭିତରେ ଅମିତ୍‌ ଭୟଙ୍କର ଭାବେ କ୍ଷତବିକ୍ଷତ ହୋଇଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ଆଖପାଖ ଲୋକମାନେ ଧାଇଁ ଆସିଥିଲେ ଏବଂ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଅମିତ୍‌ଙ୍କୁ ଉଦ୍ଧାର କରି ପ୍ରଥମେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡିସେମ୍ବରରେ ନିର୍ବନ୍ଧ, ଫେବୃଆରୀରେ ବାହାଘର
୨୦୨୪ ଫେବୃଆରୀରେ ଅମିତ୍‌ଙ୍କର ବିବାହ ହୋଇଥାଆନ୍ତା। ତେଣୁ ଡିସେମ୍ବରରେ ନିର୍ବନ୍ଧ ହେବା ପାଇଁ ସ୍ଥିର ହୋଇଥିଲା। ସବୁ କିଛି ସ୍ଥିର ହୋଇସାରିଥିଲା। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ନିର୍ବନ୍ଧ ପୂର୍ବରୁ ତାଙ୍କ ଜୀବନଦୀପ ଲିଭିଯାଇଛି। ବାହା ବେଦିକୁ ଯିବା ପୂର୍ବରୁ ସ୍ୱର୍ଗଦ୍ୱାର ତାଙ୍କର ଶେଷ ଠିକଣା ପାଲଟିଯାଇଛି।
ବୃତ୍ତିକୁ ସମାଜସେବା ସହ ଯୋଡ଼ିଥିଲେ
ଅମିତ୍‌ ନିଜ ବୃତ୍ତିକୁ ସମାଜସେବା ସହ ଯୋଡ଼ିଥିଲେ। ବହୁ ସ୍ଵେଚ୍ଛାସେବୀ ସଂଗଠନ ସହ ତାଙ୍କର ସମ୍ପର୍କ ଥିଲା ଏବଂ ସେମାନଙ୍କ ସହଯୋଗରେ ସେ ଗରିବ ଲୋକଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ। ବାଲିପାଟଣା ଅଞ୍ଚଳର ଏକ ସ୍ଵେଚ୍ଛାସେବୀ ସଂଗଠନ ସହ ସେ ଜଡ଼ିତ ଥିଲେ ଏବଂ ବାଲିପାଟଣା ଅଞ୍ଚଳର ବହୁ ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇବାକୁ ସହଯୋଗ କରୁଥିଲେ।
ରାସ୍ତା ନେଲା ଜୀବନ
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ଦୀର୍ଘ ଦିନ ହେବ ବମିଖାଲ ରୋଡ୍ ଏଭଳି ଦୟନୀୟ ସ୍ଥିତିରେ ରହିଛି। ରାସ୍ତାରେ ଖାଲଖମା ଯୋଗୁ ସେଥିରେ ବର୍ଷା ପାଣି ପଶି ରାସ୍ତା ସହ ସମାନ ଦିଶୁଛି। ଫଳରେ ପ୍ରତିଦିନ ଛୋଡ଼ବଡ଼ ଦୁର୍ଘଟଣା ଘଟି ଲୋକମାନେ ଆହତ ହେଉଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ବି ରାସ୍ତା ମରାମତି କରାଯାଉ ନାହିଁ। ଏହାର ପରିଣାମସ୍ୱରୂପ ଆଜି ଅମିତ୍‌ଙ୍କ ମୂଲ୍ୟବାନ ଜୀବନ ଯାଇଛି।

Share Now:

Kalinga News Beuro

Next Post

ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତ

Mon Sep 25 , 2023
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍‌ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳିଥିବା ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଆମ ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ୱର୍ଣ୍ଣ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ଭାରତ […]
କ୍ରିକେଟରୁ ପ୍ରଥମ ସ୍ବର୍ଣ୍ଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial