ଧୂଆଁବାଣ ମୋ’ ଘର ଯୋଜନା : ଜଣେ ବି ହିତାଧିକାରୀଙ୍କୁ ମିଳିନି ସହାୟତା

ମୋ’ ଘର ଯୋଜନା ଧୂଆଁବାଣ

ବାଲିଅନ୍ତା: ସରକାରଙ୍କ ମୋ’ ଘର ଯୋଜନା ବାଲିଅନ୍ତା ବ୍ଲକ୍‌ ପାଇଁ ଏକ ଧୂଆଁବାଣ ବୋଲି ସବୁଆଡ଼େ ଚର୍ଚ୍ଚା। ଏହି ବ୍ଲକ୍‌ରୁ ପାଖାପାଖି ୨ ହଜାର ଆବେଦନକାରୀ ମୋ’ଘର ଯୋଜନାରେ ସହାୟତା ପାଇବାକୁ ଅପେକ୍ଷା କରିଥିବା ବେଳେ କେହି ଜଣେ ବି ଉପକୃତ ହୋଇନାହାନ୍ତି। ବ୍ଲକ୍‌ ପକ୍ଷରୁ ୨୨ ହିତାଧିକାରୀଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ବ୍ୟାଙ୍କ ପକ୍ଷରୁ କାହାକୁ ବି ଏହି ରିହାତିଯୁକ୍ତ ଋଣ ମିଳିନଥିବା ଜଣାପଡ଼ିଛି। ଏହାକୁ ନେଇ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବୁଦ୍ଧିଜୀବୀମହଲ ଏହାକୁ ଏକ ଧୂଆଁବାଣ ବୋଲି କହିବା ଆରମ୍ଭ କରିଛନ୍ତି।
ଯେଉଁମାନେ କୌଣସି ନା କୌଣସି କାରଣରୁ ଆବାସ ଯୋଜନାରେ ଘର ପାଇପାରୁନାହାନ୍ତି ଏବଂ ପଲିଥିନ ତଳେ ରହୁଛନ୍ତି, ଯେଉଁମାନେ ଭାଙ୍ଗିରୁଜି ଯାଇଥିବା ପକ୍କାଘରକୁ ମରାମତି କରିପାରୁନାହାନ୍ତି, ଯେଉଁମାନେ ଆଜ୍‌ବେଷ୍ଟସ ଚଦର ଉଠାଇ ଛାତ ପକାଇବାକୁ ଇଛା କରୁଛନ୍ତି, ଅଥବା ପୁରୁଣା ଘରକୁ ମିଶାଇ ଅତିରିକ୍ତ ଘର ନିର୍ମାଣ କରିବାକୁ ଚାହୁଛନ୍ତି, ସେମାନେ ଏହି ଯୋଜନାରେ ସାମିଲ୍‌ ହୋଇପାରିବେ। ତେବେ ଏଥିପାଇଁ ମାପଦଣ୍ଡ ଅନୁସାରେ ହିତାଧିକାରୀ ଯୋଗ୍ୟ ହେବା ଦରକାର। ସରକାର ସେମାନଙ୍କୁ ମୋ’ ଘର ଯୋଜନାରେ ଋଣ ସହୟତା ଯୋଗାଇ ଦେବେ। ଋଣ ପରିଶୋଧ କଲା ବେଳେ ସେମାନଙ୍କୁ ରିହାତି ମିଳିବ। ପୁରୁଣା ପକ୍କାଘର ମରାମତି ପାଇଁ ୧ ଲକ୍ଷ, ଆଜ୍‌ବେଷ୍ଟସ ଚଦର ଉଠାଇ କିମ୍ବା ପୁରୁଣା ଘରକୁ ମିଶାଇ ଅତିରିକ୍ତ ଛାତ ଘର ନିର୍ମାଣ କରିବା ପାଇଁ ୨ ଲକ୍ଷ ଏବଂ ନୂଆଘର ନିର୍ମାଣ ପାଇଁ ସର୍ବାଧିକ ୩ ଲକ୍ଷର ଋଣ ସହାୟତା ମିଳିବ। ୧ ଲକ୍ଷ ଟଙ୍କା ଋଣ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଜନଜାତିର ହିତାଧିକାରୀଙ୍କ ପାଇଁ ମୋଟ ଋଣ ଅର୍ଥ ଉପରେ ୪୦ ହଜାର, ସାଧାରଣ ବର୍ଗ ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କ୍ଷେତ୍ରରେ ୩୦ ହଜାର, ଏବଂ ଅନ୍ୟ ଦୁଇ ଶ୍ରେଣୀର ହିତାଧିକାରୀଙ୍କ କ୍ଷେତ୍ରରେ ସେହି ଅନୁସାରେ ୭୦ ହଜାର ଏବଂ ୬୦ ହଜାର ଟଙ୍କାର ସରକାରୀ ସବ୍‌ସିଡି ବ୍ୟବସ୍ଥା ରହିଛି।
୧୦ ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଥିଲା। ହେଲେ ଏହା ମଧ୍ୟରେ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଜଣେ ହେଲେ ଆବେଦନକାରୀଙ୍କୁ ମୋ’ ଘର ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ବାଲିଅନ୍ତା ପଞ୍ଚାୟତ ସମିତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକରେ ମୋଟ ୨ ହଜାର ଆବେଦନକାରୀ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ବିଡିଓ ପବିତ୍ର କୁମାର ସାମଲଙ୍କ ସୂଚନାନୁସାରେ ଅଗ୍ରାଧିକାର ଭିତ୍ତିରେ ୨୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନାମ ବ୍ୟାଙ୍କକୁ ପଠାଯାଇଛି। ଖୁବ ଶୀଘ୍ର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ରିଲିଜ ହେବ। କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ ଜଣେ ହେଲେ ବି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏଯାଏ ଟଙ୍କା ଯାଇନି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ : କହିଲେ ପୁଅ, ଦେଲେ ଝିଅ

Tue Sep 26 , 2023
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। ହେଲେ ଏନେଇ ପରେ ତାଙ୍କୁ ଯେତେବେଳେ ହସ୍ତାନ୍ତର କରାଗଲା ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏକ କନ୍ୟା ସନ୍ତାନ ଦିଆଯାଇଛି। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ନିର୍ଦ୍ଦେଶକ କହିଛନ୍ତି […]
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial