ସତ୍ୟନଗରକୁ ଭୁଲିଗଲେ : ନୂଆ ରୂପ ନେବ ୪ ଶ୍ମଶାନ

ସତ୍ୟନଗରକୁ ଭୁଲିଗଲେ

ସ୍ୱତନ୍ତ୍ର ଡିଜାଇନ୍‌ରେ ପ୍ରସ୍ତୁତ କରିବ ବିଡିଏ, ବାଟ ପାଉନି ବିଏମ୍‌ସି

ଭୁବନେଶ୍ୱର: ସହରରେ ଥିବା ୪ଟି ଶ୍ମଶାନର ବିକାଶ ହେବ। ଏହି ତାଲିକାରେ ରହିଛି ଡୁମୁଡୁମା, ଯଦୁପୁର, ଯଦୁପୁର କବ୍‌ରିସ୍ତାନ୍‌ ଓ ଗରାବଡ଼ୁ ଶ୍ମଶାନ। ଏଗୁଡ଼ିକୁ ଏକ ନୂଆ ରୂପ ଦେବା ପାଇଁ ବିଡିଏ ଯୋଜନା କରିଛି। ଏଥିପାଇଁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ ହୋଇଛି। ଏହି ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ସହରର ପ୍ରମୁଖ ସ୍ଥାନ ସତ୍ୟନଗରରେ ଥିବା ଶ୍ମଶାନ ଶୋଚନୀୟ ସ୍ଥିତିରେ ରହିଛି। କୋଭିଡ୍‌ କାଳରେ ଶବଦାହକୁ ନେଇ ଏଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ତନାଘନା ହୋଇଥିଲା। ଗତ ଏପ୍ରିଲ୍‌ ୨୮ ତାରିଖରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରି ସ୍ୱର୍ଗଦ୍ୱାର ଭଳି ଏହାର ରୂପ ବଦଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କେବଳ ପ୍ରତିଶ୍ରୁତି ଦେଇନଥିଲେ, ବିଏମ୍‌ସିର ଏକ ଟିମ୍‌ ହାଇଦ୍ରାବାଦ୍‌ ଯାଇ ସେଠାକାର ଶ୍ମଶାନ ପରିଦର୍ଶନ କରିଥିଲା। ସେଠାରେ ଥିବା ସୁବିଧାଗୁଡ଼ିକୁ ଅନୁଧ୍ୟାନ କରିଥିଲା। ସେହି ହାଇଦ୍ରାବାଦ୍‌ ଢାଞ୍ଚାରେ ଶ୍ମଶାନର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଘଟଣାକୁ ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଏ ନେଇ ପ୍ରସ୍ତୁତି ଗୋଟିଏ ପାଦ ମଧ୍ୟ ଆଗକୁ ବଢ଼ି ପାରୁନାହିଁ। ସ୍ୱତନ୍ତ୍ର ଡିଜାଇନ୍‌ରେ ବିଡିଏ ଅନ୍ୟ ୪ ଶ୍ମଶାନର ଉନ୍ନତୀକରଣ କରିବାକୁ ଯୋଜନା କରିଥିବା ବେଳେ ସତ୍ୟନଗର ମଶାଣିର ବିକାଶ ଆରମ୍ଭ ମଧ୍ୟ ହୋଇପାରୁ ନାହିଁ। ଜାତୀୟ ରାଜପଥରୁ ଡୁମୁଡୁମା ଯିବା ରାସ୍ତାରେ ରହିଥିବା ଡୁମୁଡୁମା ଶ୍ମଶାନର ୧ଏକର ୫୮୩ ଡିସିମିଲି ଜମି ରହିଛି।
ଏଠାରେ ସମ୍ପୂର୍ଣ୍ଣ ଜମିରେ ଉନ୍ନତୀକରଣ ହେବ। ଏକ ସମୟରେ ୪ଟି ଶବ ଦାହ ହେବା ଭଳି ବ୍ୟବସ୍ଥା ହେବ। ପ୍ରତୀକ୍ଷା ଗୃହ ସହ ପାନୀୟ ଜଳ, କର୍ମପିଣ୍ଡି ଓ ଅନ୍ୟାନ୍ୟ ସୁବିଧା ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ପାର୍କିଂ ପାଇଁ ମଧ୍ୟ ସୁବିଧା ରହିବ। ଏହି ଅଞ୍ଚଳରେ ଦିନକୁ ଦିନ ଲୋକସଂଖ୍ୟା ବଢ଼ି ବଢ଼ି ଚାଲୁଥିବାରୁ ବହୁ ଦିନ ଧରି ଏହି ଶ୍ମଶାନର ଉନ୍ନତୀକରଣ ପାଇଁ ଦାବି ହୋଇ ଆସୁଥିଲା। ଏହି ରାସ୍ତାରେ ଯଦୁପୁର ଶ୍ମଶାନ ଠାରୁ କିଛି ଦୂରରେ ଯଦୁପୁର କବ୍‌ରିସ୍ତାନ ରହିଛି। ୧.୬୫୫ଏକର ପରିମିତ ଜାଗାରେ ରହିଥିବା ଏହି ଶ୍ମଶାନର ସ୍ୱତନ୍ତ୍ର ଭାବେ ଉନ୍ନତୀକରଣ ହେବ। ପାନୀୟ ଜଳ, ପ୍ରତୀକ୍ଷାଗୃହ ଭଳି ମୌଳିକ ସୁବିଧା ସମେତ ପାର୍କିଂ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯିବ। ସେହିଭଳି ଯଦୁପୁର ଶ୍ମଶାନରେ ଥିବା ୨.୧୫୬ ଜମିର ଅର୍ଦ୍ଧାଧିକ ଜାଗାର ଉନ୍ନତୀକରଣ ହେବ। ଏକ ସମୟରେ ଅତିକମ୍‌ରେ ୪ଟି ଶବ ଦାହ ହୋଇପାରିବା ଭଳି ବ୍ୟବସ୍ଥା ରହିବ। ଡୁମୁଡୁମା ଶ୍ମଶାନ ଭଳି ସମସ୍ତ ସୁବିଧାସୁଯୋଗ ଉପଲବ୍ଧ ହେବ। ସେହିଭଳି ଗୌତମ ନଗରରେ ଗରାବଡ଼ୁ ଶ୍ମଶାନ ରହିଛି। ଏହାର ମଧ୍ୟ ଉନ୍ନତୀକରଣ ହେବ। ଅଧିକ ଶବ ଦାହ ହେବା ଭଳି ବ୍ୟବସ୍ଥା ରହିବ। ଏହା ସାମ୍‌ନାରେ ରହିଥିବା ଖେଳ ପଡ଼ିଆର ମଧ୍ୟ ଉନ୍ନତୀକରଣ ହେବ। ଗୋଟିଏ ବର୍ଷ ମଧ୍ୟରେ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପଟେ ସ୍ୱର୍ଗଦ୍ୱାର ଭଳି ସତ୍ୟନଗର ଶ୍ମଶାନର ଉନ୍ନତୀକରଣ କରିବାକୁ ମେୟର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଠାକାର କାମ ଆଗକୁ ବଢ଼ି ପାରୁନାହିଁ। ସହର ଛାତି ଉପରେ ଥିବାରୁ ଏହି ଶ୍ମଶାନର ଚାହିଦା ରହିଛି। ପଟିଆ ଓ ଭରତପୁରରେ ବିଭିନ୍ନ ସୁବିଧା ଥାଇ ଶ୍ମଶାନ ପ୍ରସ୍ତୁତ କରାଯାଇଛି। ହେଲେ ସହର ଠାରୁ ବହୁତ ଦୂର ହୋଇଥିବାରୁ ସେ ଶ୍ମଶାନକୁ ବିଶେଷ କେହି ଯାଉ ନାହାନ୍ତି। ଏଣୁ ସତ୍ୟନଗର ଶ୍ମଶାନରେ ଭୟଙ୍କର ପରିସ୍ଥିତି ଉପୁଜିଛି। ଦିନକୁ ୧୦ରୁ ଅଧିକ ଶବ ଆସୁଥିବାରୁ ପ୍ରତ୍ୟେକ ଦିନ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଶବଦାହକୁ ସହଜ ଓ ସୁବିଧା କରିବା ପାଇଁ ୧୯୯୯ ମସିହାରେ ଯେଉଁ ବିଦ୍ୟୁତ ଚୁଲା ସ୍ଥାପନ ହୋଇଥିଲା, ତାହା ୬ ମାସ ଧରି ଖରାପ ରହିଥିଲା। ଭିତରର ଅନେକ ସ୍ଥାନରେ ଲାଇଟ୍‌ ଖରାପ ଥିବାରୁ ଅଧିକାଂଶ ଅଞ୍ଚଳ ଅନ୍ଧାର ରହିଛି। ସେହିଭଳି ମୁସଲମାନ୍‌ କବ୍‌ରିସ୍ତାନ ଭିତରେ ମଧ୍ୟ ଲାଇଟ୍‌ ଦୀର୍ଘ ଦିନ ହେବ ଜଳୁନାହିଁ। ଜାଗା ନଥିବାରୁ ଗୋଟିଏ ଜାଗାରେ କବର ଦିଆଯାଉଛି। ଫଳରେ କବର ପାଇଁ ଗାତ ଖୋଳିବା ବେଳେ ମାଟିତଳୁ ହାଡ଼ କଙ୍କାଳ ବାହାରୁଛି। ସେହିଭଳି ଖ୍ରୀଷ୍ଟିୟାନ୍‌ କବ୍‌ରିସ୍ତାନ ‌ପାଚେରି ଭାଙ୍ଗି ଯାଇଥିବା ବେଳେ ଗୋଟିଏ ଜାଗାରେ ତିନିପରସ୍ତ ହେବ ଶବ କବର ଦିଆହେଲାଣି। ଆଉ ଜାଗା ମଧ୍ୟ ନାହିଁ। ଏଣେ ଚାରିଆଡ଼େ ପାଚେରିକୁ ଲାଗି ଘଞ୍ଚ ଜନବସତି ଥିବାରୁ ଏଠାକାର ଅଞ୍ଚଳବାସୀଙ୍କୁ ଶ୍ମଶାନ ଧୂଆଁ ଅଣନିଶ୍ୱାସୀ କରିପକାଉଛି।

Share Now:

Kalinga News Beuro

Next Post

ତେଲ ନଦୀରେ ମଝିରେ ଅଟକି ରହିଛନ୍ତି ହାତୀପଲ

Thu Sep 28 , 2023
କଣ୍ଟାମାଳ : କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଣିକପୁରର ଗ୍ରାମ ନିକଟଦେଇ ଯାଇଥିବା ତେଲ ନଦୀ ମଝିରେ ଏକ ୧୨ଜଣିଆ ହାତୀପଲ ଅଟକି ରହିଛନ୍ତି। ଏକଥା ପ୍ରଘଟ ହେବାପରେ ସେମାନଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି। ସୂଚନା ପାଇ ଘଣ୍ଟାପଡା ପୁଲିସ ଏବଂ କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ନିକଟକୁ ନ ଯିବା ପାଇଁ ଆକଟ କରିବା ସହ ସୁରକ୍ଷା ଦୃଷ୍ଟିରୁ […]
ତେଲ ନଦୀରେ ମଝିରେ ଅଟକି ରହିଛନ୍ତି ହାତୀପଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial