ଦେଓରିଆ: ଦୀର୍ଘ ଦିନରୁ ଲାଗି ରହିଥିବା ଜମି ବିବାଦ ଘଟଣାରେ ଆଜି ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୬ଜଣଙ୍କର ମୃତ୍ୟୁ ଘଟିବା ସହିତ ଆଉ କେତେ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସଂଘର୍ଷ ପରେ ପୋଡ଼ାଜଳା ଘଟଣା ଘଟିବା ସହିତ କେତୋଟି ଗାଡ଼ି ମଧ୍ୟ ନଷ୍ଟ କରି ଦିଆଯାଇଛି। ଘଟଣାଟି ଦେଓରିଆ ଜିଲ୍ଲାର ରୁଦ୍ରପୁର ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ଘଟିଛି।
ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ୫୦ ବର୍ଷିୟ ପ୍ରେମ ଯାଦବଙ୍କୁ ତାଙ୍କର ଶତ୍ରୁ ସତ୍ୟପ୍ରକାଶ ଦୂବେ ଓ ତାଙ୍କ ପରିବାର ଲୋକେ ଗୋଟାଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ଲାଗି ସେ ଆଜି ସକାଳେ ଦୁବେଙ୍କ ଘରକୁ ଯାଇଥିଲେ ବୋଲି ‘ସ୍ପେସାଲ୍ ଡିଜି’ (ଆଇନ-ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି। ଯାଦବଙ୍କୁ ହତ୍ୟା କରାଯାଇଥିବା ଖବର ଗାଁରେ ପ୍ରସାରିତ ହେବା ପରେ ତାଙ୍କ ସମର୍ଥକମାନେ ଦୁବେଙ୍କ ଘର ଉପରେ ଆକ୍ରମଣ କରି ଦୁବେଙ୍କ ସମେତ ତାଙ୍କ ପରିବାର ୫ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି। ୫୪ ବର୍ଷିୟ ଦୁବେଙ୍କ ସହିତ ତାଙ୍କ ୫୨ ବର୍ଷୀୟ ସ୍ତ୍ରୀ କିରଣ,୧୮ ବର୍ଷୀୟ ଝିଅ ସାଲୋନି, ୧୦ ବର୍ଷୀୟ ଝିଅ ନନ୍ଦିନୀ ଏବଂ ୧୫ ବର୍ଷିୟ ପୁଅ ଗାନ୍ଧୀଙ୍କର ମୃତ୍ୟୁ ଘଟିଛି। ଦୁବେଙ୍କର ଅନ୍ମୋଲ୍ ନାମରେ ଆଉ ଜଣେ ପୁଅ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ହିଂସାକାଣ୍ଡରେ ଆହତ ହୋଇଥିବା ଆଉ କେତେ ଜଣ ବି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ପୁଲିସ କହିଛି।
ଜମି ବିବାଦରୁ ଭୀଷଣ ସଂଘର୍ଷ : ଦୁଇ ପରିବାରରେ ୬ ମୃତ, ଅନେକ ଆହତ

Share Now: