କେତେ ସୁରକ୍ଷିତ ଝାରପଡ଼ା ସ୍ୱତନ୍ତ୍ର କାରାଗାର?

କେତେ ସୁରକ୍ଷିତ ଝାରପଡ଼ା ସ୍ବତନ୍ତ୍ର କାରାଗାର

ବାହାରୁ ଆସୁଛି ନିଶାଦ୍ରବ୍ୟ, ଖାଦ୍ୟ ଓ ମାରଣାସ୍ତ୍ର

ଭୁବନେଶ୍ୱର: ରାଜ୍ୟର ସବୁଠୁ ହାଇ ପ୍ରୋଫାଇଲ ଓ ହାଇ ସିକ୍ୟୁରିଟି ଜେଲ୍ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏହି ଜେଲ୍‌ରେ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀ ଅଛନ୍ତି। ଅଛନ୍ତି ଆତଙ୍କବାଦ ଅଭିଯୁକ୍ତ, ଅନ୍ତର୍ଜାତୀୟ ଠକେଇ ଅଭିଯୁକ୍ତ ତଥା ରାଜନୈତିକ ତଥା ଅନ୍ୟ ଦୃଷ୍ଟିକୋଣରୁ ବିବାଦୀୟ କଏଦୀ- ଯେଉଁମାନଙ୍କ ଜୀବନ ପ୍ରତି ଅଛି ସାଂଘାତିକ ବିପଦ। କିନ୍ତୁ ଏଠାରେ ଯେଉଁ ଢ଼ଙ୍ଗରେ ସୁରକ୍ଷା ବ୍ୟବସ୍ଥା ହେବା କଥା, ତାହା ନାହିଁ ବୋଲି ପ୍ରମାଣିତ ହୋଇ ଚାଲିଛି। ଆହୁରି ଗୁରୁତର କଥା ହେଉଛି, ଜେଲ୍‌ର ସୁରକ୍ଷାକୁ ନେଇ କର୍ତ୍ତୃପକ୍ଷ ଯେତିକି ଗମ୍ଭୀର ହେବାକଥା ତାହା ହେଉନାହିଁ। ଗତ ୧୪ ତାରିଖ ଦିନ ଜେଲ୍‌ ବାହାରପଟୁ ଭିତରକୁ ଛୁରି ଫିଙ୍ଗା ଯାଇଥିଲା। ଜେଲ୍‌ ପରିସରରୁ ୪ଟି ଛୁରି ଜବତ କରାଯାଇଥିଲା। ତେବେ ଘଟଣା ଘଟିବାର ମାସଟିଏ ବିତିବାକୁ ବସିଥିବାବେଳେ ଏଯାଏ କର୍ତ୍ତୃପକ୍ଷ ମାମଲାଟିକୁ ସ୍ପଷ୍ଟ କରୁନାହାନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ କେବଳ ଏକ କେସ୍‌ ଡାଏରି କରିଥିବା ଜଣାପଡ଼ିଛି। ଏ ମାମଲାକୁ ଗୁରୁତର ଭାବେ ନେଇ ଏହାର ସ୍ୱତନ୍ତ୍ର ତଦନ୍ତ ମଧ୍ୟ କରା ଯାଇନାହିଁ। ଜେଲ୍‌ କର୍ତ୍ତୃପକ୍ଷ ଘଟଣାକୁ କାହିଁକି ହାଲୁକା ଭାବେ ନେଇଛନ୍ତି, ତାହା ଅବୁଝା ରହିଛି। ଜେଲ୍‌ ଭିତରକୁ ଛୁରି ଫିଙ୍ଗିବା ଅର୍ଥ ଭିତରକୁ ଛୁରି ପଠାଇବା, ଏଥିରେ ସନ୍ଦେହ ନାହିଁ। ପୁଣି କେକ୍ ବା ପରିବା କାଟିବାଲାଗି ତ ଛୁରି ଆଦୌ ପଠା ଯାଉନଥିଲା! ତେବେ କାହା ପାଖକୁ ଓ କାହିଁକି ସେ ଛୁରି ପଠା ଯାଉଥିଲା? ଜେଲ୍‌ ଭିତରେ କାହାକୁ ହତ୍ୟା ବା ଆକ୍ରମଣ କରିବାଲାଗି ସେ ଛୁରି ବ୍ୟବହାର କରିବାର ଯୋଜନା ଥିଲା? ଉଦ୍ଧାର କରା ଯାଇଥିବା ୪ଟି ଛୁରି ହିଁ ଭିତରକୁ ଫିଙ୍ଗା ଯାଇଥିଲା ନା ଅଧିକ? ଯଦି ଅଧିକ, ତେବେ ବାକି ଛୁରି ଜେଲ୍‌ ଭିତରେ କାହା ପାଖରେ ଅଛି? ଏପରି ଅନେକ ପ୍ରସଙ୍ଗ ଉପରେ କର୍ତ୍ତୃପକ୍ଷ ମୁହଁ ବନ୍ଦ ରଖିଛନ୍ତି। ଆଶ୍ଚର୍ଯ୍ୟର କଥା, ଏ ମାମଲାର ମୂଳ ପ୍ରଶ୍ନ- ଛୁରି କିଏ ଫିଙ୍ଗିଲା, ତାହା ମଧ୍ୟ ଜଣା ନାହିଁ! ଜେଲ୍‌ ଚାରିପାଖରେ ପୁଲିସର ତ ଉପସ୍ଥିତି ନାହିଁ, ସିସି କ୍ୟାମେରା ବି କ’ଣ ଲାଗିନି? ଜୀବନ ଉପରକୁ ବିପଦ ଥିବା ତଥା ହାଇପ୍ରୋଫାଇଲ୍ ବିବାଦରେ ଜଡ଼ିତ ଅନେକ କଏଦୀ ଥିବା ଏ ଜେଲ୍‌ରେ ଏତେବଡ଼ ଘଟଣା ଘଟିଗଲା, କିନ୍ତୁ ତା’କୁ ଏକ ନିତିଦିନିଆ ଘଟଣା ଭଳି ହାଲୁକାରେ ନିଆଯିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ।
କେବଳ ଏହି ଛୁରି ଫିଙ୍ଗାଯିବା ଘଟଣା ନୁହେଁ, ଅତୀତର ଅନେକ ଘଟଣାରୁ ଏହା ଥରକୁ ଥର ପ୍ରମାଣିତ ହୋଇ ସାରିଛି ଯେ ଝାରପଡ଼ା ସ୍ୱତନ୍ତ୍ର କାରାଗାର ଭିତରକୁ ବେଆଇନ ଭାବେ ବିଭିନ୍ନ ଜିନିଷ ନିୟମିତ ଚାଲାଣ ହେଉଛି। କଏଦୀମାନଙ୍କ ପାଇଁ ବାହାରୁ ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ଏ ଜେଲ୍‌ ଭିତରକୁ ବେଶ୍‌ ଆରାମରେ ଯାଉଛି। ନିଶାଦ୍ରବ୍ୟ ମଧ୍ୟ ନିୟମିତ ଚାଲାଣ ହେଉଛି। ପ୍ରଭାବ ଥିବା କଏଦୀମାନେ ନିଶାଦ୍ରବ୍ୟ ଆରାମରେ ପାଉଛନ୍ତି। କିଛିମାସ ତଳେ ଚଢ଼ଉ ବେ‌ଳେ ଜେଲ୍‌ରୁ ବହୁ ପରିମାଣର ନିଶାଦ୍ରବ ଓ ମୋବାଇଲ୍‌ ଫୋନ୍‌ ଆଦି ଜବତ କରା ଯାଇଥିଲା। ଅବଶ୍ୟ ଛୁରି ଭଳି ଏସବୁ ଯେ କେବଳ ପାଚେରି ଉପରଦେଇ ଭିତରକୁ ଫିଙ୍ଗା ଯାଉଥିବ, ତା’ର ଆଶଙ୍କା କମ୍‌। କିନ୍ତୁ ଯେଉଁ ବାଟରେ ହେଲେ ବି ସେସବୁ ଭିତରକୁ ଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଲାଗିଥିବା ସିସି କ୍ୟାମେରା, ସ୍କାନର ବି ଏସବୁକୁ ଧରିପରି ନାହିଁ। ସତରେ ଧରି ପାରୁନାହିଁ, ନା ଜାଣି ଜାଣି ତା’କୁ ଆବଶ୍ୟକ ଅନୁସାରେ ଠିକଣା ସମୟରେ ଅକାମି କରି ଦିଆ ଯାଉଛି, ଅନୁମାନ କରିବା ଆଦୌ କଷ୍ଟକର ନୁହେଁ।
ଅବଶ୍ୟ ଭିତ୍ତିଭୂମିର କିଛି ସମସ୍ୟା ରହିଛି। ଜେଲ୍‌ ମାନୁଆଲ୍‌ ହିସାବରେ, ୬ଜଣ କଏଦୀଙ୍କ ପାଇଁ ଜଣେ ୱାର୍ଡର ରହିବା କଥା। କିନ୍ତୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ବର୍ତ୍ତମାନ ୧୩୬୧ କଏଦୀ ଥିବାବେଳେ ମାତ୍ର ୩୩ଜଣ ୱାର୍ଡର ଅଛନ୍ତି। ତାହା ପୁଣି ୩ଟି ସିଫ୍ଟ ପାଇଁ, ଅର୍ଥାତ୍‌ ପ୍ରତି ସିଫ୍ଟରେ ମାତ୍ର ୧୧ଜଣ ୱାର୍ଡର! ହିସାବ କଲେ ୧୨୪ଜଣ କଏଦୀଙ୍କ ପାଇଁ ଜଣେ ୱାର୍ଡର। ସମସ୍ୟା ଏତିକିରେ ଶେଷ ହେଉନାହିଁ, ଜେଲ୍‌ର ମୁଖ୍ୟ ଫାଟକକୁ ଛାଡ଼ିଦେଲେ ଚାରିପଟେ ଥିବା ପାଚେରି ପାଖଦେଇ କୌଣସି ସମୟରେ କିଛି ବି ଘଟିବାର ଆଶଙ୍କା ରହିଛି। ତା’ ଉପରେ ଜେଲ୍‌ କର୍ତ୍ତୃପକ୍ଷଙ୍କର ବିଶେଷ ନିୟନ୍ତ୍ରଣ ନାହିଁ। ଗୁରୁତ୍ୱପୂର୍ଣ୍ଣ ଜେଲ୍‌ଗୁଡ଼ିକରେ ସାଧାରଣତଃ ଦୁଇଟି ଥାକିଆ ପାଚେରି ଥାଏ। ଦୁଇଟି ପାଚେରି ମଧ୍ୟରେ ଅତିକମ୍‌ରେ ୨୦-୩୦ ଫୁଟ୍‌ ଦୂରତା ଥାଏ। ଦୁଇ ପାଚେରି ଭିତରେ ଏକ ନାଳ ମଧ୍ୟ ରହିଥାଏ। ପୁଣି ଜେଲ୍‌ ଚାରିପଟେ ପୁଲିସ ବଳ ମୁତୟନ ଥାଆନ୍ତି। ଫଳରେ କେହି ବାହାରୁ କିଛି ଫୋପାଡ଼ିଲେ କଏଦୀ କିମ୍ବା କର୍ମଚାରୀଙ୍କ ନିକଟରେ ପହଞ୍ଚିବା କଷ୍ଟ। ଏହାଛଡ଼ା କଏଦୀ ପାଚେରି ଡ଼େଇଁ ଯିବା ବି ଏକପ୍ରକାର ଅସମ୍ଭବ। କିନ୍ତୁ ଝାରପଡ଼ା ଜେଲ୍‌ରେ ସେଭଳି କିଛି ବ୍ୟବସ୍ଥା ନାହିଁ। ଦୁଇ ଥାକିଆ ପାଚେରି ଓ ଚାରିପଟେ ପୁଲିସ ବଳ ତ ଦୂରର କଥା, ମୁଖ୍ୟ ଫାଟକରେ କେତେଜଣ ପୁଲିସ କର୍ମଚାରୀ ଦେଖା ଯାଉଥିବାବେଳେ ବାକି ଚାରିପଟ ସବୁବେଳେ ଖାଁ ଖାଁ ପଡ଼ିଥାଏ।

Share Now:

Kalinga News Beuro

Next Post

କୁଆଡ଼େ ଗଲା ଡୁମୁଡ଼ୁମା ଅଞ୍ଚଳବାସୀଙ୍କ ଶହେ ଫୁଟିଆ ରାସ୍ତା?

Wed Oct 11 , 2023
ଖଣ୍ଡଗିରି: ସହର ଭିତରକୁ ଯିବା ଆସିବା କରିବାକୁ ଡୁମୁଡ଼ୁମାବା‌ସୀଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ। ଗୋଟିଏ ଆଇଟିଇଆର୍‌ କଲେଜ ଦେଇ ଓ ଅନ୍ୟଟି ଖଣ୍ଡଗିରି ଦେଇ ଜାତୀୟ ରାଜପଥରେ। ଉଭୟ ରାସ୍ତା ଏକ ପ୍ରକାର ମରଣଯନ୍ତା। କେଉଁଠି ରଙ୍ଗ୍‌ ରୁଟ୍‌ରେ ଦେଢ଼ କିଲୋମିଟର ଆସିବାକୁ ହୁଏ ତ କେଉଁଠି ବେଶ୍‌ କିଛି ବାଟ ଗାଡ଼ି ଗଡ଼ାଇବାକୁ ହୁଏ। ବର୍ଷ ବର୍ଷ ଧରି ଏଭଳି ଅକଳରେ ପଡ଼ିଛନ୍ତି ଏହି ଅଞ୍ଚଳର ପ୍ରାୟ […]
କୁଆଡ଼େ ଗଲା ଶହେ ଫୁଟିଆ ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial