ପୂଜା ପାଇଁ ରାଜଧାନୀ ରାସ୍ତାରେ ୧୩ କୋଟିର ପ୍ୟାଚ୍‌ : ତଥାପି ସରିଲାନି

ପୂଜା ପାଇଁ ୧୩ କୋଟିର ପ୍ୟାଚ୍‌

ପୂଜା ପରେ ଆହୁରି କୋଟି କୋଟି ଖର୍ଚ୍ଚରେ ପୁନଃନିର୍ମାଣ ହେବ

ଭୁବ‌ନେଶ୍ବର: ପୂଜା ସମୟରେ ରାଜଧାନୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବ। ସେଥିପାଇଁ ସବୁ ପୂଜା ମଣ୍ଡପକୁ ଯାଉଥିବା ଓ ଅନ୍ୟ ପ୍ରମୁଖ ରାସ୍ତା ମରାମତି ଯୋଜନା କରିଥିଲା ବିଏମ୍‌ସି। ଏଥିପାଇଁ କର୍ପୋରେଟରମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଇଞ୍ଜିନିୟରମାନେ ମଧ୍ୟ ସେମାନଙ୍କ ସ୍ତର‌ରେ ରାସ୍ତାଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। କେତେ ରାସ୍ତା ମରାମତି ହେବାକୁ ଅଛି ଆକଳନ ହେବା ପରେ ବିଏମ୍‌ସି ବ୍ୟୟ ଅଟକଳ କରିଥିଲା। କେବଳ ପ୍ୟାଚ୍‌ ପକାଇବା ପାଇଁ ଖର୍ଚ୍ଚ ଅଟକଳ ହୋଇଥିଲା ୩. ୩୫ କୋଟି। ହେଲେ ସେତିକି କାମ ବି ପୂଜା‌ ପୂର୍ବରୁ ସରିପାରିଲାନି। କେତେକ ହାତଗଣତି ରାସ୍ତାକୁ ଛାଡ଼ିଦେଲେ ଏବେ ବି ବିଭିନ୍ନ ଗଳିକନ୍ଦିରେ ଛୋଟ ବଡ଼ ଖାଲ ଆଁ କରି ଦୁର୍ଘଟଣାକୁ ଆକ୍ରମଣ କରୁଛି। ୩.୩୫ ‌କୋଟି ହିସାବ କେବଳ ବିଏମ୍‌ସିର। ପୂର୍ତ୍ତ ବିଭାଗ ବ୍ୟୟ ଅଟକଳ ବିଏମ୍‌ସି ହିସାବର ୩ଗୁଣା। ବିଭିନ୍ନ ଅଭିଯୋଗ ଓ ଇଞ୍ଜିନିୟରମାନଙ୍କ ରିପୋର୍ଟ ଆଧାରରେ ପାଖାପାଖି ୧୦ କୋଟିର ମରାମତି କରିବା‌ ଯୋଜନା କରିଥିଲା ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭାଗ ଚାଲାକି କରିଛି‌। ଯେଉଁ ରାସ୍ତାରେ ୧୦ରୁ ୧୫ ଖାଲ ଥିବା ରିପୋର୍ଟ ଆସିଥିଲା ବା ଖରାପ ଥିଲା ସେ ରାସ୍ତାରେ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଢ଼ରୁ ଦୁଇ ଇଞ୍ଚର ପିଚୁ ପକାଇ ଦେଇଛି। ଅତି କମ୍‌ ଦିନରେ ଏହା ଉଠି ଯିବାକୁ ଥିଲେ ମଧ୍ୟ ଚିକ୍କଣ ଦିଶୁଛି, ନୂଆ ନୂଆ ଲାଗୁଛି। କିନ୍ତୁ ଯେଉଁଠି କଙ୍କ୍ରିଟ ରାସ୍ତା ରହିଛି ସେଥିରେ କୌଣସି ମରାମତି କରିପାରି ନାହିଁ। ବିଶେଷ କରି ଆଇଡିବିଆଇ ବ୍ୟାଙ୍କ୍‌ ଛକରୁ ବମିଖାଲ୍‌ ଆରଓବି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ରହିଛି। ଏହା କଙ୍କ୍ରିଟ ହୋଇଥିବାରୁ ସ୍ବଳ୍ପ ସମୟରେ ଏହାର ମରାମତି ସମ୍ଭବ ହୋଇନାହିଁ। ଫଳରେ ଏଠାରେ ଥିବା ହମ୍ପ୍‌ସ୍‌ ଗାଡ଼ି ଚାଳକଙ୍କ ପାଇଁ ବିପଦର କାରଣ ହୋଇଛି। ହମ୍ପ୍‌ସ୍‌ ସହିତ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ‌ହୋଇ ରହିଛି। ୟୁନିଟ୍‌-୩ ଅଞ୍ଚଳରେ ରହିଥିବା ସମସ୍ତ କଙ୍କ୍ରିଟ ରୋଡ୍‌ ଅବସ୍ଥା ମଧ୍ୟ ଖରାପ ରହିଛି। ଲୁହା ଛଡ଼ ବାହାରକୁ ବାହାରି ରହିଥିବାରୁ କେବଳ ଗାଡ଼ି ଚାଳକ ନୁହେଁ, ରାତିରେ ପାଦଚଲା ଲୋକଙ୍କ ପାଇଁ କାଳ ହେବାକୁ ଯାଉଛି।
ଯଦି ହିସାବ କରାଯାଏ ତେବେ ପୂର୍ତ୍ତ ଓ ବିଏମ୍‌ସି କେବଳ ଦୁର୍ଗା ପୂଜା ପାଇଁ ଭୁବନେଶ୍ବରରେ ରାସ୍ତା ମରାମତି ପାଇଁ ୧୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଏ ସବୁ ପାଣିରେ ପଡ଼ିବା ଭଳି ହୋଇଛି। ବଡ଼ କଥା ହେଉଛି, ଯେଉଁ ରାସ୍ତାସବୁରେ ଏହି ମରାମତି ହେଉଛି ବା ପ୍ୟାଚ୍‌ ପଡ଼ୁଛି, ତା’ ଭିତରୁ ୯୦ ପ୍ରତିଶତ ରାସ୍ତାର ପୁନଃନିର୍ମାଣ ପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଟେଣ୍ଡର କରିଛନ୍ତି। ଅର୍ଥାତ୍‌ ପୂଜା ପରେ ପରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ସବୁ ରାସ୍ତାର ପୁନରୁଦ୍ଧାର କରାଯିବ। କେତେ ମରାମତି ହେଲା, କେତେ ହରିଲୁଟ୍‌ ହେଲା ତାହା ଦେଖା ଯିବନାହିଁ। ସେଥିପାଇଁ ଯେଉଁ ପ୍ରମୁଖ ରାସ୍ତା ସବୁ ରହିଛି, ସେହି ରାସ୍ତାରେ କିଛି କିଛି ପ୍ୟା‌ଚ୍‌ ପକାଇ ଦେଇ କର୍ତ୍ତୃପକ୍ଷଙ୍କୁ ଦେଖାଇ ଦେଇଛନ୍ତି। ବାକି ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ମିଳିମିଶି କ’ଣ କରିଥିବେ, ଅନୁମାନ କରିବା କଷ୍ଟକର ନୁହେଁ।

Share Now:

Kalinga News Beuro

Next Post

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ : ଟସ୍‌ ଜିଣି ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ପାକିସ୍ତାନ

Mon Oct 23 , 2023
ଚେନ୍ନାଇ: ଆଜି ଚେନ୍ନାଇସ୍ଥିତ ‘ଏମ୍‌. ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବାର ଆଜମ୍‌ ପ୍ରଥମେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବାର ଆଜମ୍‌ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ପିଚ୍‌ କଠିନ ଦିଶୁଥିବାରୁ ସ୍ପିନ୍‌ ହେବା ପରି ମନେହେଉଛି। ଆମେ ଭଲ ଖେଳିବାକୁ […]
ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ପାକିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial