ଭୁବନେଶ୍ବର: ଭୁବନେଶ୍ବରସ୍ଥ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ (ଏମ୍ସ)କୁ ପ୍ରତିଦିନ ଓଡ଼ିଶାର ସବୁ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଆସୁଛନ୍ତି ଆହୁରି ଅନେକ। ଆସୁଥିବା ଏହି ରୋଗୀଙ୍କ ଭିତରୁ ଖୁବ୍ କମ୍ଙ୍କୁ ଏମ୍ସରେ ଶଯ୍ୟା ମିଳେ। ସଂଖ୍ୟାଧିକ ରୋଗୀ ବାହାରେ ରହିବାକୁ ବାଧ୍ୟ ହୁଅନ୍ତି। ଯେଉଁ ଭାଗ୍ୟବାନ ରୋଗୀଙ୍କ ହସ୍ପିଟାଲରେ ଶଯ୍ୟା ମିଳିଯାଏ, ସେମାନଙ୍କ ସହିତ ଆସିଥିବା ସଂପର୍କୀୟଙ୍କ ପାଇଁ ମଧ୍ୟ କୌଣସି ଛାତ ତଳେ ଯାଗାଟିକିଏ ଦରକାର ହୁଏ। ସେମାନଙ୍କ ଭିତରୁ ଯେଉଁମାନେ ସ୍ବଚ୍ଛଳ ବର୍ଗର, ସେମାନେ ହୋଟେଲରେ ରହନ୍ତି। କିନ୍ତୁ ଅଧିକାଂଶ ରୋଗୀ ଓ ତାଙ୍କ ସଂପର୍କୀୟ ହୋଟେଲ ଖର୍ଚ୍ଚ ତୁଲାଇବା ସ୍ଥିତିରେ ନଥାଆନ୍ତି। ତେଣୁ ସେମାନେ ଦିନଟିକୁ ଏଠିସେଠି ବସି ବା ଗଡ଼ିପଡ଼ି ବିତାଇ ଦେବାପରେ ରାତିରେ ଏମ୍ସ ଆଖପାଖରେ ଖୋଲା ଆକାଶ ତଳେ କେଉଁଠି ଶୋଇ ପଡ଼ନ୍ତି। ଫଳରେ ସନ୍ଧ୍ୟା ପରେ ପରେ ଏମ୍ସ ଚାରିପାଖ ଏକ ବିଶାଳ ମୁକ୍ତାକାଶ ଶୟନାଗାର ହୋଇ ଯାଉଛି, ଯଦିଓ ଏହି ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ଏକ ବିଶାଳ ଧର୍ମଶାଳା ଠିଆ ହୋଇଛି। କୌଣସି ବଡ଼ ଆରାମଦାୟକ ହୋଟେଲ ଭଳି ଦିଶୁଥିବା ସେ ଧର୍ମଶାଳା ପୃଷ୍ଠଭୂମିରେ ଲୋକେ ରାସ୍ତାରେ ଶୋଉଥିବାର ସେ ଦୃଶ୍ୟ ଆଖିକୁ ମଧ୍ୟ ଖୁବ୍ ଅଡୁଆ ଓ ବେଖାପ ଲାଗେ।
ଗତ ଜୁଲାଇ ମାସରେ ଏମ୍ସ ଭୁବନେଶ୍ବରର ପ୍ରତିଷ୍ଠା ଦିବସ ଅବସରରେ ଏହି ଧର୍ମଶାଳା ଉଦ୍ଘାଟିତ ହୋଇଥିଲା। ଆଶା କରା ଯାଉଥିଲା, ଏଣିକି ହାଡ଼ଭଙ୍ଗା ଶୀତ, ତତଲା ଖରା କିମ୍ବା ପ୍ରବଳ ବର୍ଷାରେ ଗରିବ ରୋଗୀଙ୍କୁ ଆଉ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିବ ନାହିଁ। କିନ୍ତୁ ଉଦ୍ଘାଟନର ୪ ମାସ ପରେ ବି ଏ ଚିତ୍ର ଆଦୌ ବଦଳି ନାହିଁ। ୫୦୦ ଲୋକଙ୍କୁ ରଖିବାର କ୍ଷମତା ଥିବା ଏ ଧର୍ମଶାଳାରେ ବର୍ତ୍ତମାନ ମାତ୍ର ୫୮ ଜଣଙ୍କୁ ରଖାଯାଉଛି। ଏତିକିଙ୍କ ପାଇଁ ହିଁ ବ୍ୟବସ୍ଥା ରହିଛି। ତେଣୁ ଅଧିକ ରୋଗୀ ଆସିଲେ ଫେରାଇ ଦିଆଯାଉଛି। ଆଜିର ଏକ ଉଦାହରଣ ସ୍ବରୂପ, ଗଳା ସମସ୍ୟା ନେଇ ନୟାଗଡ଼ରୁ ପ୍ରୌଢ ବାପାଙ୍କୁ ନେଇ ଆସିଛନ୍ତି ଜଣେ ଯୁବକ। ଇଏନ୍ଟି ବିଭାଗରେ ଦେଖାଇବା ପରେ ବାପାଙ୍କ କର୍କଟ ରୋଗ ହୋଇଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଓପିଡିରେ ଦେଖାଇବା ଠାରୁ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ୯ ଦିନ ବିତି ସାରିଛି। ଯୁବକ ଜଣକ ଆଶା କରିଥିଲେ, ୱାର୍ଡରେ ବାପାଙ୍କୁ ଶଯ୍ୟା ମିଳିବ। କିନ୍ତୁ ତାହା ହେଲାନାହଁ। ଏଣେ ପାଖରେ ଏତେ ଟଙ୍କା ନାହିଁ ଯେ ବାହାରେ କୌଣସି ହୋଟେଲ୍, ଲଜ୍ କିମ୍ବା ଭଡ଼ାଘରେ ରହିବେ। ତେଣୁ ଡାକ୍ତରଖାନା ବାହାରେ ତଳେ ସଉପ ବିଛାଇ କର୍କଟ ପୀଡ଼ିତ ବାପାଙ୍କୁ ଶୁଆଇ ଦେଇଛନ୍ତି, ରାତିରେ ସେ ନିଜେ ବି ସେଇଠି ଶୋଉଛନ୍ତି। ଏମ୍ସ ପରିସରରେ ଏଭଳି ଅନେକ ରୋଗୀ ତଳେ ଶୋଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ରୋଗର ଚିକିତ୍ସା ପାଇଁ ଆସିଛନ୍ତି।