ଉଜୁଡ଼ୁଛି ସୌନ୍ଦର୍ଯ୍ୟ ବିଗୁଡ଼ୁଛି ପାର୍କିଂ

ଧଉଳି ଶାନ୍ତିସ୍ତୁପକୁ ଅଣଦେଖା, ଧଉଳିରେ ପର୍ଯ୍ୟଟକ ସଂଖ୍ୟା କମୁଛି 

ଧଉଳି: ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତଥା ଧଉଳି ବିକାଶ ସମିତି (ଡିଡିସି) ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ବିଗିଡ଼ିବାରେ ଲାଗିଲାଣି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ବିପୁଳ ପରିମାଣର ଟଙ୍କା ଖର୍ଚ କରାଯାଉଥିଲେ ହେଁ ସେହି ଅନୁସାରେ ଏହି ଐତିହ୍ୟସ୍ଥଳୀର ବିକାଶ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏଠାକୁ ଯିବାକୁ ଦର୍ଶକ ମନ ବଳାଉନଥିବା ଦେଖାଦେଲାଣି। ମୁଖ୍ୟ ଜାତୀୟ ରାଜପଥ ପ୍ରବେଶ ପଥରୁ ଶାନ୍ତିସ୍ତୂପ ଯାଏ ଥିବା ଅଧିକାଂଶ ବିଦ୍ୟୁତ ଖୁଣ୍ଟରୁ ବଲ୍‌ବ ଫ୍ୟୁଜ୍‌ ହୋଇଗଲାଣି। ଅନେକ ଲାଇଟ୍‌ ଷ୍ଟାଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଗଲାଣି। ଫଳରେ ସୂର୍ଯ୍ୟ ନଇଁଲେ ଏହି ଐତିହ୍ୟସ୍ଥଳୀକୁ ଯିବା ଆସିବା ରାସ୍ତାରେ ଅନ୍ଧାର ରାଜୁତି କରୁଛି।

ଅପରପକ୍ଷେ ଧଉଳି ପରିସରରେ ଥିବା ଶାନ୍ତିପାର୍କର ସୌନ୍ଦର୍ଯ୍ୟ ଦିନେ ପର୍ଯ୍ୟଟକଙ୍କୁ ଆନମନା କରୁଥିଲା। କିନ୍ତୁ ପାର୍କରେ ଥିବା ଗଛଲତାଗୁଡ଼ିକର ଡ୍ରେସିଂ ନହେବା ଯୋଗୁଁ ଜଙ୍ଗଲୀ ଗଛଲତା ଆଢ଼ୁଆଳରେ ପାର୍କର ସୌନ୍ଦର୍ଯ୍ୟ ଲୁଚିଯାଇଛି। ଏଠାରେ ଥିବା ୬ଟି ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ଉପରୁ ବି ରଙ୍ଗ ଉଡ଼ିଗଲାଣି। ପାର୍କର ଯତ୍ନ ନେବା ପାଇଁ ବିଭାଗୀୟ କର୍ମଚାରୀ ନାହାନ୍ତି। ଏପଟେ ଆଖପାଖ ଅଞ୍ଚଳରୁ ବେଧଡ଼କ ଗଛକଟା ଚାଲିଛି। ଶାନ୍ତିସ୍ତୂପ ପରିସରରେ ପିଇବା ପାଣି ସଂକଟ ମଧ୍ୟ ଦେଖାଦେଲାଣି। ଖାଲି ସେତିକି ନୁହେଁ, ପାଦଦେଶରେ କୋଟିଏ ଟଙ୍କାରୁ ଅଧିକ ବ୍ୟୟରେ ଗତ ଏପ୍ରିଲ ମାସରେ ୧୦ ହଜାର ବର୍ଗଫୁଟ୍‌ ଜାଗାରେ କାର୍ଯ୍ୟକ୍ଷମ ହୋଇଥିବା ପାର୍କିଂସ୍ଥଳରେ ଆନୁଷଙ୍ଗିକ ଭିତ୍ତିଭୂମି ସଜଡ଼ା ଯାଇପାରୁନି। ଫଳରେ ଦୈନିକ ଏଠାକୁ ବୁଲି ଆସୁଥିବା ହଜାର ହଜାର ପର୍ଯ୍ୟଟକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। ପାର୍କିଂସ୍ଥଳର ସ୍ୱଚ୍ଛତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ। ଖାଲି ସେତିକି ନୁହେଁ, ଶାନ୍ତିସ୍ତୁପକୁ ଯିବା ପାଇଁ ଲାଗୁ ହୋଇଥିବା ନୂଆ ନିୟମ ଯୋଗୁଁ ଅଧିକାଂଶ ବସ୍‌ ଏଠାକୁ ଆସିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ବିଶେଷକରି ପୁରୀ ବସ୍‌ ସଂଘର କୌଣସି ବସ୍‌ ଏଠାକୁ ଆସିବାକୁ ଆଦୌ ମଙ୍ଗୁନାହାନ୍ତି। ନିୟମ ଅନୁଯାୟୀ, ବସ୍‌ଗୁଡ଼ିକ ପାର୍କିଂସ୍ଥଳରେ ରହିବ। ସେଠାରୁ ସର୍ଟଲ ବସ୍‌ ଯୋଗେ ଯାତ୍ରୀମାନେ ଶାନ୍ତିସ୍ତୁପକୁ ଯିବେ। ଯଦିଓ ଏହି ନିୟମକୁ ଅନେକେ ସ୍ୱାଗତ କରୁଛନ୍ତି, କିନ୍ତୁ ଏନେଇ ଅଯଥାରେ ବିଳମ୍ବ ହେଉଥିବା ପୁରୀ ବସ୍‌ ସଂଘ ପକ୍ଷରୁ କୁହାଯାଉଛି। ପୁରୀ ବସ୍‌ ସଂଘର ଏକ ବସ୍‌ ଚଳାଉଥିବା ଜଣେ ଚାଳକ ମନୋଜ ପ୍ରଧାନଙ୍କ କହିବା ଅନୁଯାୟୀ, ପର୍ଯ୍ୟଟକମାନଙ୍କୁ ଏକାସଙ୍ଗେ ଧଉଳି, ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ନନ୍ଦନକାନନ ବୁଲାଇବା ପାଇଁ ଆଣିଥାଉ। ଆଗରୁ ସିଧାସଳଖ ବସ୍‌ଗୁଡ଼ିକ ଧଉଳି ଶାନ୍ତିସ୍ତୁପକୁ ଯାଉଥିଲା। କିନ୍ତୁ ଏବେ ଏହି ନୂଆ ନିୟମ ଯୋଗୁଁ ଅଯଥାରେ ବେଶି ସମୟ ନଷ୍ଟ ହେଉଛି। ପର୍ଯ୍ୟଟକ ସର୍ଟଲ ବସ୍‌ରେ ଯିବା ଆସିବାରେ ବହୁ ସମୟ ଅଯଥାରେ ବ୍ୟୟ ହେଉଛି। ତେଣୁ ବସଗୁଡ଼ିକ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି।

ଆବଣ୍ଟନ ହୋଇପାରୁନି ୪୦ ଦୋକାନ ଘର

ପାର୍ବତୀ ପୋଖରୀ ପାର୍କିଂସ୍ଥଳ କାର୍ଯ୍ୟକ୍ଷମ ହେବାର ୪ ମାସ ବିତି ଯାଇଥିଲେ ମଧ୍ୟ ୧କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୦ଟି ଦୋକାନ ଘର ଏଯାଏ ବ୍ୟବସାୟୀମାନଙ୍କୁ ଆବଣ୍ଟନ ହୋଇପାରିନି। ଏଠାରେ ଥିବା ଯାତ୍ରୀ ବିଶ୍ର୍ରାମାଗାର ଅଧାପନ୍ତରିଆ ଅବସ୍ଥାରେ ରହିଛି। ଟଏଲେଟ୍‌ ବି କାମ କରୁନି। ସ୍ନାନ, ଶୌଚଠାରୁ ବଳି ପଡ଼ିଛି ପିଇବା ପାଣି ସମସ୍ୟା। ଦୁଇଟି ମଧ୍ୟରୁ ଗୋଟିଏ ଟ୍ୟାପ୍‌ ଖରାପ ହୋଇ ଯାଇଥିବା ସ୍ଥଳେ ଅଳିଆ ପକାଇବା ପାଇଁ ଡଷ୍ଟବିନ୍‌ଟିଏ ବି ନାହିଁ। ଯାତ୍ରୀ ପିଛା ୧୦ଟଙ୍କା ଦେୟରେ ସର୍ଟଲ ବସ୍‌ରେ ସର୍ବାଧିକ ୨୫ଜଣ ଯାତ୍ରୀଙ୍କୁ ନେଇ ଯିବା ଆସିବା କରିବାର ବ୍ୟବସ୍ଥା ଥିବା ବେଳେ ଅଧିକ ଯାତ୍ରୀଙ୍କୁ ନେଇ ହଜାର ହଜାର ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ସେହିପରି ଶାନ୍ତିସ୍ତୂପ ନିକଟରେ ୨୦୧୧-୧୨ରେ କୋଟିଏ ଟଙ୍କା ବ୍ୟୟରେ ୨୬ଟି ଦୋକାନ ଘର ଥାଇ ନିର୍ମିତ ହୋଇଥିବା କ୍ରାଫ୍ଟବଜାର ଏବେ ଭୂତକୋଠି ପାଲଟିଛି। ତେବେ ଶାନ୍ତିସ୍ତୂପ ଉପରକୁ ଯାଉଥିବା ଅନ୍ୟ ଚାରିଚକିଆ ଗାଡ଼ି ରଖିବା ପାଇଁ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ହେଉଛି।

ପର୍ଯ୍ୟଟନ ଋତୁରେ ଗଡ଼ିବ ପୁଣି ୬ଟି ସର୍ଟଲ ବସ୍‌ 

 

ଆସନ୍ତା ପର୍ଯ୍ୟଟନ ଋତୁ ପୂର୍ବରୁ ଶାନ୍ତିସ୍ତୂପ ଉପରକୁ ଅଧିକ ୬ଟି ମିନିବସ୍‌ ଚଳାଚଳ ହେବ ବୋଲି ପର୍ଯ୍ୟଟନ ବିଭାଗ କହିଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଓ ପରେ ଆଉ ୩ଟି ବସ୍‌ ଚଳାଚଳ କରିବ। ଯଦି ଆବଶ୍ୟକ ମନେ କରାଯାଏ, ତେବେ ଏକାସାଙ୍ଗରେ ୬ଟି ଯାକ ଗାଡ଼ି ଚାଲିପାରେ। ତେବେ ଧଉଳି ଶାନ୍ତିସ୍ତୁପ ଭଳି ଏକ ଐତିହ୍ୟସ୍ଥଳୀକୁ ଏପରି ଅଣଦେଖା କରାଯାଉଥିବା ନେଇ ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କୁ ପଚାରିବାରୁ ସେ କହିଥିଲେ, ପାର୍କିଂସ୍ଥଳର ସାମଗ୍ରିକ ଭିତ୍ତିଭୂମି ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକମାନଙ୍କ ନୌକାବିହାର ସଂପର୍କରେ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଏହାବ୍ୟତୀତ ଭୋଜିଭାତ କରିବା ପାଇଁ ପଞ୍ଚାୟତ ପକ୍ଷରୁ ୬ଟି ପିଣ୍ଡି ନିର୍ମାଣ ହୋଇଥିବା ବେଳେ ଆଉ ୬ଟି ପିଣ୍ଡି ନିର୍ମାଣ ହେବ ବୋଲି ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀ ସଙ୍କଟ:ସଂସ୍କୃତି ଶିକ୍ଷା ବାଟବଣା

Mon Aug 6 , 2018
କାମଚଳା ଅଧ୍ୟକ୍ଷରେ ଚାଲିଛି ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱର: କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ସଂସ୍କୃତି ଶିକ୍ଷା ବାଟବଣା। ୧୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ନିଜ ସ୍ଥିତି ସଜାଡ଼ିପାରୁନି। ପିଲା ହେଉ ନାହାନ୍ତି କି ସବୁ ବିଭାଗରେ ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେଉଛି। ପିଲା ନ ହେବାରୁ ଗତବର୍ଷ ୪ଟି ବିଭାଗରେ ତାଲା ପଡ଼ିଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial