କରୋନା ମୁକାବିଲା: ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର, ଉଲ୍ଲଂଘନ କଲେ ଦଣ୍ଡିତ ହେବେ

ଭୁବନେଶ୍ୱର: କରୋନା ସଂକ୍ରମଣ ମୁକାବିଲା ଲାଗି ଆଜି ରାଜ୍ୟ ସରକାର ଏକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛି। ଯେହେତୁ କରୋନା ସଂକ୍ରମଣ ମୁଖ୍ୟତଃ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି ତେଣୁ ସେମାନଙ୍କୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ବିଦେଶରୁ ଆସିଥିବା ଅଥବା ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ଏଭଳି ଏକ ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ସ୍ଥାନୀୟ ଗୀତ ଗୋବିନ୍ଦ ଭବନରେ ଆୟୋଜିତ ‘କରୋନା’ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି ଯେ ବିଦେଶରୁ ଆସିଥିବା ପ୍ରତିଟି ବ୍ୟକ୍ତିଙ୍କର ପଞ୍ଜିକରଣ କରାଯାଇ ସେମାନଙ୍କୁ ଚିହ୍ନଟ କରାଯିବ। ଏହାପରେ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ପରାମର୍ଶ ଦିଆଯିବ। ଏହି ପଦକ୍ଷେପ ଜରିଆରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ବିଦେଶରୁ ଓଡ଼ିଶା ଆସିଥିବା ଅଥବା ଆସିବାକୁ ଚାହୁଁଥିବା ବ୍ୟକ୍ତି ପ୍ରଥମେ ଟୋଲ ଫ୍ରି ନମ୍ବର-୧୦୪ ଜରିଆରେ ନିଜର ପଞ୍ଜୀକରଣ କରାଇବେ। ଏହାବ୍ୟତୀତ ରାଜ୍ୟସରକାର ନୂତନ ଭାବେ ଆରମ୍ଭ କରିବାକୁ ଯାଉଥିବା ୱେବସାଇଟ୍ ‘COVID19.ODISHA.GOV.IN’ ଜରିଆରେ ଅନଲାଇନରେ ମଧ୍ୟ ଏହି ପଞ୍ଜୀକରଣ କରାଇ ପାରିବେ। ଯେଉଁମାନେ ଓଡ଼ିଶା ଆସି ସାରିଛନ୍ତି ସେମାନେ ତୁରନ୍ତ ପଞ୍ଜୀକରଣ କରାଇ ନେବାକୁ କହିଛନ୍ତି ସରକାର। ଓଡ଼ିଶାରେ ପହଞ୍ଚିବାର ୨୪ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ଜରୁରୀ। ଏଥିସହ ଯେଉଁମାନେ ମାର୍ଚ୍ଚ ୪ ତାରିଖ ପରେ ରାଜ୍ୟକୁ ଆସିଛନ୍ତି ସେମାନେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହି ବ୍ୟବସ୍ଥା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଯେଉଁମାନେ ପଞ୍ଜୀକରଣ କରିବେ ନାହିଁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଉଲ୍ଲେଖଯୋଗ୍ୟ, ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ୧୫,୦୦୦ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏଥିସହ ଯଦି ବ୍ୟକ୍ତି ଜଣକ ନିଜେ ପଞ୍ଜୀକରଣ କରିପାରୁ ନାହାନ୍ତି ତେବେ ତାଙ୍କ ଲାଗି ତାଙ୍କର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ବି ପଞ୍ଜୀକରଣ କରି ପାରିବେ। ପଞ୍ଜୀକରଣ ପରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ବାବଦରେ ତଥ୍ୟ ମଗାଯିବ। ଯେଉଁ ତଥ୍ୟ ଦେବା ଲାଗି ସେ ବାଧ୍ୟ। ଏହାପରେ ଯଦି ଆବଶ୍ୟକ ହୁଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ବ୍ରହ୍ମପୁର ବଡ଼ ମେଡିକାଲରୁ ‘କରୋନା’ ସନ୍ଦିଗ୍ଧ ଫେରାର:ଫୁଲବାଣୀରେ ୨ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି

Mon Mar 16 , 2020
ବ୍ରହ୍ମପୁର/ଗଜପତି/କନ୍ଧମାଳ: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ଆଇସୋଲେସନ ୱାର୍ଡରୁ ଫେରାର ହୋଇଯାଇଛନ୍ତି। କରୋନା ସନ୍ଦେହରେ ଯୁବକ ଜଣକ ଗତ ୧୪ ତାରିଖରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଆରଏମଆରସିକୁ ପଠାଯାଇଥିବା ବେଳେ ଯୁବକ ଜଣକ ଆଜି କୁଆଡେ ପଳାଇଯାଇଛନ୍ତି। ଏହି ସନ୍ଦିଗ୍ଧଙ୍କୁ ଖୋଜିବାକୁ ଏମକେସିଜି କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial