ସିରିଆରେ ଇରାନ୍‌ର ସମ୍ପୃକ୍ତିଥିବା ଅସ୍ତ୍ରଶସ୍ତ୍ର ଗୋଦାମରେ ଆକ୍ରମଣ କଲା ଆମେରିକା

ସିରିଆରେ ବିମାନ ଆକ୍ରମଣ କଲା ଆମେରିକା

ୱାସିଂଟନ୍‌ : ଆମେରିକୀୟ ନାଗରିକଙ୍କ ଉପରେ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ଯାଇ ବୁଧବାର ଦିନ ପୂର୍ବ ସିରିଆରେ ଥିବା ଇରାନ୍‌-ସମ୍ପୃକ୍ତ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆମେରିକୀୟ ଲଢୁଆ ବିମାନ ଆକ୍ରମଣ କରିଥିବା କଥା ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ କହିଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଅଷ୍ଟିନ୍‌ କହିଛନ୍ତି, ଇରାନ୍‌ର ‘ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନେରି ଗାର୍ଡ ଗୃପ’ (ଆଇଆର୍‌ଜିସି) ଓ ତା’ର ସହଯୋଗୀ ସଙ୍ଗଠନ ଦ୍ବାରା ବ୍ୟବହୃତ ସିରିଆର ପୂର୍ବାଞ୍ଚଳରେ ଥିବା ଗୋଦାମ ଉପରେ ଆମେରିକା ସେନା ଆତ୍ମରକ୍ଷା ଲାଗି ଆକ୍ରମଣ କରିଛି। ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଲାଗି ଉଦ୍ଦିଷ୍ଟ ଗୋଦାମ ଉପରେ ଦୁଇଟି ‘ୟୁଏସ୍‌ ଏଫ୍‌-୧୫’ ଲଢୁଆ ବିମାନ ଦ୍ବାରା ଆକ୍ରମଣ କରାଯାଇଥିଲା। ଯୁଦ୍ଧ ଉପରେ ଦୃଷ୍ଟି ରଖୁଥିବା ‘ସିରିୟାନ୍‌ ଅବଜର୍‌ଭେଟରି ଫର୍‌ ହ୍ୟୁମାନ୍‌ ରାଇଟ୍ସ୍‌’ କହିଛି, ବୁଧବାର ଆକ୍ରମଣରେ ଇରାନ୍‌ ସମର୍ଥିତ ସଶସ୍ତ୍ର ସଙ୍ଗଠନର ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଉଲ୍ଲେଖଯୋଗ୍ୟ, ସିରିଆର ଅନ୍ୟ ଗୋଟାଏ ସ୍ଥାନରେ ଆକ୍ରମଣ କରିବାର ପ୍ରାୟ ୨ ସପ୍ତାହ ପରେ ଆମେରିକା ପୁଣି ଥରେ ବୁଧବାର ଦିନ ଏଭଳି ଆକ୍ରମଣ କରିଥିଲା। ଇରାନ୍‌ ସମର୍ଥିତ କେତେକ ସଶସ୍ତ୍ର ସଙ୍ଗଠନର ସଦସ୍ୟ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନିକମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ୱାସିଂଟନ୍‌ ଅଭିଯୋଗ କରିଥିଲା। ଜାରି କରିଥିବା ଉକ୍ତ ବିବୃତିରେ ମଧ୍ୟ ଅଷ୍ଟିନ୍‌ ଏ କଥା କହିଛନ୍ତି। ସେ କହିଛନ୍ତି, ଇରାକ୍‌ ଓ ସିରିଆରେ ଥିବା ଆମେରିକୀୟ କର୍ମଚାରୀଙ୍କ ଉପରେ ‘ଆଇଆର୍‌ଜିସି-କୁଦ୍‌ସ୍‌ ଫୋର୍ସ’ ସହଯୋଗୀମାନେ କରିଥିବା ସିରିଜ୍‌ ଆକ୍ରମଣର ଜବାବ ହେଉଛି ଏହି ନିର୍ଦ୍ଧାରିତ ଆତ୍ମରକ୍ଷା ଆକ୍ରମଣ। ଆମ ନାଗରିକ ଓ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସମସ୍ତ ପଦ‌କ୍ଷେପ ଗ୍ରହଣ କରିବା ଲାଗି ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

Share Now:

Kalinga News Beuro

Next Post

ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ : ମୁଖ୍ୟମନ୍ତ୍ରୀ

Thu Nov 9 , 2023
ଭୁବନେଶ୍ୱର: ଭୁବନେଶ୍ୱରର ଆଜିଠୁ ଜନତା ମଇଦାନରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ମୋ ସରକାର ମିଲେଟ୍ ଚାଷ ଲଗି କୃଷକମାନଙ୍କୁ ୨୫୦୦ କୋଟି ଟଙ୍କା ବିନିଯୋଗ କରୁଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର […]
ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial