୧୬୨ ରାଷ୍ଟ୍ରରେ କରୋନା: ଅଚଳ ହୋଇଯିବ ବିଶ୍ୱ

ଇରାନ୍‌ରେ ୨୪ ଘଣ୍ଟାରେ ୧୩୦ ମୃତ, ସମସ୍ତ ସୀମା ବନ୍ଦ କରିବ ୟୁରୋପ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଏବେ ୧୬୨ ରାଷ୍ଟ୍ରକୁ ବ୍ୟାପିଛି। ୧୮୬, ୭୦୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୭,୪୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱ ଅଚଳ ହେବାକୁ ଯାଉଛି। ବିଶ୍ୱବ୍ୟାପୀ ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ଏବେ ଅଚଳାବସ୍ଥା ଲାଗି ରହିଛି । ଚୀନ୍‌ ପରେ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ କରୋନା ଭାଇରସ୍‌ ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ୟୁରୋପୀୟ ରାଷ୍ଟ୍ରର ପ୍ରମୁଖ ସହରଗୁଡ଼ିକ ବନ୍ଦ ହୋଇଯାଇଛି। ଇଟାଲି, ସ୍ପେନ୍‌ ଏବଂ ଫ୍ରାନ୍ସ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ୟୁରୋପ୍‌ ଏହାର ସମସ୍ତ ସୀମା ୩୦ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଫ୍ରାନ୍ସରେ ବି ଦେଶବ୍ୟାପୀ ବନ୍ଦ ଘୋଷଣା କରାଯାଇଛି। ବଳିଷ୍ଠ କାରଣ ନଥାଇ ଘରୁ ବାହାରକୁ ବାହାରିଲେ ଜରିମାନା ଦେବାକୁ ପଡ଼ିବ। ଫ୍ରାନ୍ସରେ ଏବେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୪୮ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୩୩ ଟପିଛି। ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୫୦୦ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୦୦ ଟପିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ସ୍ପେନ୍‌ରେ ୨,୦୦୦ ନୂଆ ମାମଲା ଆସିଛି। ‌‌କେବଳ ମାଦ୍ରିଦ୍‌ରେ ୩୫୫ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ଜାତୀୟ ଏମର୍ଜେନ୍ସି ଘୋଷଣା‌ କରାଯାଇଛି ଏବଂ ପ୍ରମୁଖ ସହରଗୁଡ଼ିକ ବନ୍ଦ ରହିଛି। ଫିଲିପାଇନ୍ସ ସମସ୍ତ ଆର୍ଥିକ ବଜାର ବନ୍ଦ କରିଛି। ମାଲେସିଆରେ ବି ଲକ୍‌ ଡାଉନ୍‌ ଯୋଗୁଁ ସବୁ ଠପ୍‌ ହୋଇଯାଇଛି। ଫ୍ରାନ୍ସ ସମେତ ୬ଟି ରା‌ଷ୍ଟ୍ରର ସୀମା ସିଲ୍‌ କରିଛି ଜର୍ମାନୀ। ଅନ୍ୟପକ୍ଷେ ଶ୍ରୀଲଙ୍କାରେ କରୋନା ଭାଇରସ୍‌ ଲୁଚାଇଲେ ୬ ମାସ ଜେଲ୍‌ ଦଣ୍ଡ ହେବ ବୋଲି ଆଜି ଘୋଷଣା କରାଯାଇଛି। ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଟପିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୨,୧୫୮ରେ ପହଞ୍ଚିଛି। ସ୍ଵିଜରଲାଣ୍ଡ୍‌ରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୦ରେ ପହଞ୍ଚିଛି।
ଆମେରିକାରେ ୩୭ଟି ରାଜ୍ୟରେ ସ୍କୁଲ୍‌ ବନ୍ଦ ହୋଇଯାଇଛି। ୧୦ରୁ ଅଧିକ ଲୋକ ଏକାଠି ନହେବାପାଇଁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ନ୍ୟୁୟର୍କ, ପ୍ୟାରିସ ଏବଂ ମାଦ୍ରିଦ୍‌ରେ ସମସ୍ତ ରେସ୍ତୋରାଁ ଓ ଦୋକାନ ବଜାର ବନ୍ଦ ରହିଛି। ଆମେରିକାରେ ଏବେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୪୩ ପହଞ୍ଚିଛି। ଇରାନ୍‌ରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧,୧୭୮ ନୂଆ ମାମଲା ସ୍ପଷ୍ଟ ହୋଇଛି। ଇରାନ୍‌ରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୬୯ ଟପିଛି ଏବଂ ଏଠାରେ ମୃତ୍ୟୁସଂଖ୍ୟା ୯୮୮ରେ ପହଞ୍ଚିଛି। ସେହିପରି ଦକ୍ଷିଣ କୋରିଆରେ କରୋନା ମୃତ୍ୟୁସଂଖ୍ୟା ୮୧ରେ ପହଞ୍ଚିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୨୦ ଟପିଛି।

Share Now:

Kalinga News Beuro

Leave a Reply

Next Post

କରୋନା କଟକଣା : ସଂଜ ନଇଁଲେ ରାଜଧାନୀରେ ରାଜ କରୁଛି ନିରବତା

Thu Mar 19 , 2020
କରୋନା କଟକଣା : ସଂଜ ନଇଁଲେ ରାଜଧାନୀରେ ରାଜ କରୁଛି ନିରବତା ଭୁବନେଶ୍ୱର : ପାର୍କ ବନ୍ଦ। ସିନେମା ହଲ ବନ୍ଦ। ପ୍ରେକ୍ଷାଳୟ ବି ବନ୍ଦ। ଏହି ବନ୍ଦ ପାଇଁ ଯେମିତି ଲୋକଙ୍କ ଗୋଡ଼ରେ ବେଡ଼ି ବନ୍ଧା ହୋଇଯାଇଛି। ଇଚ୍ଛା ଥାଇ ବି କେହି ବାହାରକୁ ବାହାରୁ ନାହାନ୍ତି। କାମ ଧନ୍ଦା ସରିଲେ ସମସ୍ତେ ଛୁଟୁଛନ୍ତି ସିଧା ଘରକୁ। ନା କୁଆଡ଼େ ଯାଇ ସାଙ୍ଗମାନଙ୍କ ସହ ଖଟି କରି ହେଉଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial