ରାଇରଙ୍ଗପୁର ଜେଲରୁ କଏଦୀ ଫେରାର,ପୋଲିସର ତଦନ୍ତ ଜାରି

ରାଇରଙ୍ଗପୁର: ଜଣେ ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି। ଜେଲ କର୍ତ୍ତୁପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଆସାମୀ ଫେରାର ହେବାରେ ସକ୍ଷମ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରୁ ଆସାମୀ ଫେରାର ହୋଇଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆସାମୀ ଜଣକ ଜେଲରୁ ଫେରାର ହୋଇଯାଇଛି। ଜେଲ କର୍ତ୍ତୁପକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଆସାମୀ ଜଣକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବୁଡାମରା ଗ୍ରାମର ମକୁନ୍ଦ ଲୋହାର ଓରଫ ଛୋଟୁ (୩୪) ନିଜ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୫ ମସିହାରେ ହୋଇଥିବା ଏକ ନର ହତ୍ୟା ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପ୍ରାୟ ୮ ବର୍ଷ ହେବ ଆସାମୀ ଜଣକ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପାଇ ରାଇରଙ୍ଗପୁର ଉପକାରାଗାରରେ ବନ୍ଦୀ ଜିବନ ବିତାଉଥିଲା।
ତେବେ ଛୋଟୁ ଲୋହାର ରାଇରଙ୍ଗପୁର ଉପ କାରାଗାରରେ ବନ୍ଦୀ ଜୀବନ ବିତାଉ ଥିବା ବେଳେ ଗତକାଲି ଅପରାହ୍ନ ସମୟରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା। ଆଜୀବନ ସଜା କାଟିବାକୁ ଥିବାବେଳେ ୮ ବର୍ଷ ଧରି ସଜା କାଟିଥିବା ଛୋଟୁ ଲୋହାର ଜେଲର ମୁଖ୍ୟ ଫାଟକ ଦେଇ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଆସାମୀ ଜଣକ ଜେଲ କର୍ତ୍ତୃପକ୍ଷଙ୍କ ବିଶ୍ୱାସ ଭାଜନ ହୋଇ ରହିଥିଲେ। ଜେଲର ବିଭିନ୍ନ କାମ ଓ ଜେଲରେ ହେଉଥିବା ପରିବା ଚାଷ ଆଦି କଥା ମଧ୍ୟ ବୁଝୁଥିଲେ। ଫେରାର ହେବା ପରେ ଗତକାଲି ଠାରୁ ଜେଲ କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କ ସହିତ ରାଇରଙ୍ଗପୁର ଟାଉନ ଥାନା ପୁଲିସ ମଧ୍ୟ ଆସାମୀ ଛୋଟୁକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଛୋଟୁ ଲୋହାରର କୌଣସି ସନ୍ଧାନ ମିଳିପାରି ନାହିଁ। ଆସାମୀ ଜଣକ ପଡୋଶୀ ଝାଡ଼ଖଣ୍ଡକୁ ପଳାଇ ଯାଇଥିବାର ଅନୁମାନ କରାଯାଉଥିବା ବେଳେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଓ ଜେଲ କର୍ତ୍ତୃପକ୍ଷ ଟ୍ରାକ କରି ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

‘ଜୟଦେବ ପୁରସ୍କାର’ ନାମ ପରିବର୍ତ୍ତନକୁ ବିରୋଧ

Sun Jan 7 , 2024
ମୁଖ୍ୟମନ୍ତ୍ରୀଙ୍କୁ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଚିଠି ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନିଯୁକ୍ତ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଅନୁମୋଦନ କରି ପୁରସ୍କାର ରାଶି ଓ ସଂଖ୍ୟା ବଢ଼ାଇଛନ୍ତି। ଚଳଚ୍ଚିତ୍ର ପୁରସ୍କାର ସଂଖ୍ୟା ୨୭ରୁ ୩୩ ଓ ଟେଲି ପୁରସ୍କାର ସଂଖ୍ୟା ୨୦ରୁ ୨୯କୁ ବୃଦ୍ଧି କରାଯାଇଛି। ଚଳଚ୍ଚିତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଦିଆଯାଉଥିବା ୨ ଲକ୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial