‘ଜୟଦେବ ପୁରସ୍କାର’ ନାମ ପରିବର୍ତ୍ତନକୁ ବିରୋଧ

ମୁଖ୍ୟମନ୍ତ୍ରୀଙ୍କୁ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଚିଠି

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନିଯୁକ୍ତ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଅନୁମୋଦନ କରି ପୁରସ୍କାର ରାଶି ଓ ସଂଖ୍ୟା ବଢ଼ାଇଛନ୍ତି। ଚଳଚ୍ଚିତ୍ର ପୁରସ୍କାର ସଂଖ୍ୟା ୨୭ରୁ ୩୩ ଓ ଟେଲି ପୁରସ୍କାର ସଂଖ୍ୟା ୨୦ରୁ ୨୯କୁ ବୃଦ୍ଧି କରାଯାଇଛି। ଚଳଚ୍ଚିତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଦିଆଯାଉଥିବା ୨ ଲକ୍ଷ ଟଙ୍କାର ଅର୍ଥ ରାଶିକୁ ୫ ଲକ୍ଷ କରାଯାଇଛି। ପୂର୍ବରୁ ଏହି ସମ୍ମାନ କବି ଜୟଦେବଙ୍କ ନାମରେ ଦିଆଯାଉଥିବା ବେଳେ ଏବେ ପରିବର୍ତ୍ତନ କରାଯାଇ ଓଡ଼ିଆ ଚଳଚ୍ଚିତ୍ରର ଜନକ ଭାବେ ସ୍ୱୀକୃତ ମୋହନ ସୁନ୍ଦର ‌ଦେବ ଗୋସ୍ୱାମୀଙ୍କ ନାମରେ ନାମିତ କରାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଏହି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ୧୯୮୧ ମସିହାରୁ କବି ଜୟଦେବଙ୍କ ନାମରେ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଉଥିଲା। ଏବେ ଜୟଦେବଙ୍କ ପରିବର୍ତ୍ତେ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ନାମରେ ସମାନ ପୁରସ୍କାରକୁ ନାମିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ପଡ଼ୋଶୀ ରାଜ୍ୟ ଦୀର୍ଘ ବର୍ଷ ଧରି କବି ଜୟଦେବଙ୍କୁ ନିଜର ବୋଲି ଦାବି କରିଆସୁଛି। ଓଡ଼ିଶାର ଦୃଢ଼ଦାବି ଓ ପ୍ରମାଣ ଆଗରେ ପଡ଼ୋଶୀ ରାଜ୍ୟର ଦାବି ଏବେ ଦୁର୍ବଳ ହୋଇଛି। କିନ୍ତୁ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ପଡ଼ୋଶୀ ରାଜ୍ୟର ଦାବିକୁ ଦୃଢ଼ିଭୂତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଦ୍ୱାଦଶ ଶତାବ୍ଦୀର ଏହି ବିଶ୍ୱବିଖ୍ୟାତ କବି ଗୀତ, ବାଦ୍ୟ ଓ ନୃତ୍ୟ କ୍ଷେତ୍ରରେ ପ୍ରବୀଣ ଥିଲେ। ଏଣୁ ଓଡ଼ିଶା ତଥା ଭାରତ ଓ ବିଶ୍ୱର ଏହି ବିଶିଷ୍ଟ କବିଙ୍କୁ ଓଡ଼ିଶାର ଅସ୍ମିତା ସହ ଯୋଡ଼ି ରଖିବା ନିମନ୍ତେ ତାଙ୍କ ନାମରେ ଦିଆଯାଉଥିବା ‘ଜୟଦେବ ପୁରସ୍କାର’କୁ ଅପରିବର୍ତ୍ତିତ ରଖାଯାଉ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ୍‌ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଆଇପିଏସ୍ ତଥା ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ, ସଂସ୍କୃତି ଗବେଷକ ଅସିତ ମହାନ୍ତି, ଟ୍ରଷ୍ଟର ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ହାତୀ ପାଇଁ ରାତି ଅନିଦ୍ରା : ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀ

Mon Jan 8 , 2024
ରାଉରକେଲା: ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତା ହାତୀ ଦୀର୍ଘ ଏକ ମାସ ଧରି ଉତ୍ପାତ ଚଳାଇଛି। ଗାଁରେ ପଶି ଘର ଭାଙ୍ଗିବା, ଧାନ ଖାଇବା ସହିତ ଘରର ଆସବାବପାତ୍ର ନଷ୍ଟ କରୁଛନ୍ତି। ଜମିର ପନିପରିବା ନଷ୍ଟ କରୁଥିବାରୁ ଅତିଷ୍ଟ ହୋଇ ପଡ଼ିଥିବା ଗ୍ରାମବାସୀ ରାସ୍ତାରୋକ କରିଥିଲେ। ବଣାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial