ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳନଗର ଥାନା ୟୁନିଟ୍-୩ ଅଞ୍ଚଳରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ୟୁନିଟ୍-୩ କ୍ୱାର୍ଟର୍ସ ନମ୍ବର ୨୫/୧ରେ ରହୁଥିବା ସରକାରୀ କର୍ମଚାରୀ ସନ୍ତୋଷ ପରିଡ଼ାଙ୍କ ପୁଅ ସ୍ୱୟଂଶୁ(୧୪)। ସ୍ୱୟଂଶୁ ପାଠପଢ଼ା ଓ ପରୀକ୍ଷା ଚାପରୁ ଆତ୍ମହତ୍ୟା କରିଥିବା ନେଇ ବାପା ସନ୍ତୋଷ ପୁଲିସକୁ କହିଛନ୍ତି। କିନ୍ତୁ ତାଙ୍କ ଶାଶୂ ‘‘ମୋ’ ନାତିକୁ ଜୋଇଁ ମାରିଦେଲେ’’ କାନ୍ଦି କାନ୍ଦି କହୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ ପ୍ରକୃତରେ ଶାଶୂ କେଉଁ କାରଣକୁ ନେଇ ଏମିତି କହିଛନ୍ତି, ଜଣା ପଡ଼ିନାହିଁ। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ଓ ପରିବାର ଲୋକଙ୍କୁ ପଚରାଉଚରା ଚଳାଇଛି। ଏନେଇ ଖାରବେଳନଗର ଥାନାରେ କେସ୍ ନଂ-୧୦ରେ ଅପମୃତ୍ୟୁ ମାମଲା ରୁଜୁକରାଯାଇଛି।
ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ସ୍ୱୟଂଶୁ ଓ ତାଙ୍କ ସାନଭାଇ କ୍ୱାର୍ଟର୍ସ ପଛପଟ ଘରେ ଥିଲେ। ସନ୍ତୋଷ ଓ ତାଙ୍କ ଶାଶୂ ବାହାରେ ବସିଥିଲେ। ସନ୍ତୋଷଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବାରୁ ସେମାନେ ଅପେକ୍ଷା କରିବସିଥିଲେ। ହଠାତ୍ ଘର ଭିତରୁ ସାନପୁଅ ଚିତ୍କାର କରି ସନ୍ତୋଷଙ୍କୁ ଡାକ ପକାଇଥିଲା। ପାଟି ଶୁଣି ସନ୍ତୋଷ ଦୌଡ଼ି ଯାଇଥିଲେ। ସେତେବେଳକୁ ସ୍ୱୟଂଶୁଙ୍କ ନିଶ୍ଚଳ ଶରୀର ଫ୍ୟାନ୍ରେ ଝୁଲୁଥିଲା। ବେକରେ ଏକ କେବୁଲ୍ ବନ୍ଧା ଅବସ୍ଥାରେ ସେ ଫ୍ୟାନ୍ରୁ ଝୁଲୁଥିଲେ। ସନ୍ତୋଷ ତୁରନ୍ତ ସ୍ୱୟଂଶୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପରୀକ୍ଷା ଚାପରେ ନାବାଳକଙ୍କ ଆତ୍ମହତ୍ୟା

Share Now: