ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ : ଦୁର୍ଘଟଣାରୁ ବର୍ତ୍ତି ଭୟରେ ଓହ୍ଲାଇପଡ଼ିଲେ ଯାତ୍ରୀ

ପୁରୁଣା ଭୁବନେଶ୍ୱର: ଗୋଟିଏ ‌ଟ୍ରାକ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌। ପରସ୍ପରଠାରୁ ପାଖାପାଖି ୧୦୦ ମିଟର ଦୂରତାକୁ ଆସି ଅଟକି ଯାଇଥିଲେ। ତେବେ ଏହା ଜାଣିବା କ୍ଷଣି ଉଭୟ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଦୁର୍ଘଟଣା ଆଶଙ୍କାରେ ଓହ୍ଲାଇ ପଡ଼ିଥିଲେ। ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। କେବଳ ଯାତ୍ରୀ ନୁହନ୍ତି, ଖବର ପ୍ରଚାର ହେବାପରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସେଠାକୁ ଧାଇଁଥିଲେ। ଯାତ୍ରୀମାନେ ଟ୍ରେନ୍‌ରୁ ତ ଓହ୍ଲାଇ ପଡ଼ିଥିଲେ, ତେବେ ତଳେ ଫଟୋ ଓ ଭିଡିଓ ଉଠାଉଥିବା ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ରେଲୱେ ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଓ ଜଳେଶ୍ୱର-ପୁରୀ ମେମୁ ମୁହାଁମୁହିଁ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ମେମୁ ଟ୍ରେନ୍‌ର ଉଭୟ ପାର୍ଶ୍ଵରେ ଇଞ୍ଜିନ ରହିଥିବାରୁ ସେ ପଛକୁ ଚାଲିଯିବାରୁ ସ୍ଥିତି ସ୍ୱାଭାବିକ ହୋଇଥିଲା।
ଏ ଘଟଣାରେ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ସେଠାରେ କୌଣସି ଦୁର୍ଘଟଣା ଘଟିବାର କୌଣସି ଆଶଙ୍କା ନଥିଲା। ଆବଶ୍ୟକତା ଦୃଷ୍ଟିରୁ ଟ୍ରେନ୍‌ ଦୁଇଟିକୁ ସେହିଭଳି ଭାବେ ସଚେତନ ଭାବେ ପରିଚାଳନା କରା ଯାଇଥିଲା। ଖୋର୍ଦ୍ଧାଠୁ କଟକ ନିର୍‌ଗୁଣ୍ଡି ପର୍ଯ୍ୟନ୍ତ ସ୍ୱୟଂଚାଳିତ ସଙ୍କେତ ବ୍ୟବସ୍ଥା ରହିଛି। ବର୍ତ୍ତମାନ ବିଭିନ୍ନ ରେଳ ସେକ୍ସନରେ ଟ୍ରେନ୍‌ ଯାତାୟାତର ବିଶେଷ ସୁବିଧା ପାଇଁ ଅଟୋମେଟିକ୍ ସିଗନାଲ୍ ସିଷ୍ଟମ(ସ୍ୱୟଂଚାଳିତ ସଙ୍କେତ ପ୍ରଣାଳୀ) ବ୍ୟବହାର କରାଯାଉଛି। ଯେତେବେଳେ ଗୋଟିଏ ଟ୍ରେନ୍ ଏକ ସ୍ୱୟଂଚାଳିତ ରହଣି ସିଗ୍‌ନାଲ୍‌ ନିକଟକୁ ଆସେ, ସେତେବେଳେ ଡ୍ରାଇଭରଙ୍କୁ ସିଗନାଲ୍‌ରେ ଥିବା ସଙ୍କେତ ଅନୁଯାୟୀ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ସ୍ୱୟଂଚାଳିତ ସଙ୍କେତ ପ୍ରଣାଳୀରେ କାର୍ଯ୍ୟ କରୁଥିବା ଟ୍ରେନ୍‌ଗୁଡ଼ିକର ଚାଳକମାନେ ଅନୁମତିପ୍ରାପ୍ତ ବେଗ ଓ କଡ଼ା ସୁରକ୍ଷା ସହ ଗତି କରିଥାନ୍ତି। ଏଥିପାଇଁ ଭୟ କରିବାର କିଛି କାରଣ ନାହିଁ।

Share Now:

Kalinga News Beuro

Next Post

ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଘାଟିତ : ଓଡ଼ିଶୀ ବଖାଣିଲା ଜାତି ନନ୍ଦିଘୋଷର ଗାଥା

Sat Feb 10 , 2024
ଧଉଳି: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଏବଂ ଆର୍ଟ ଭିଜନ୍‌ର ମିଳିତ ଆନୁକୂଲ୍ୟରେ ଆଜି ୨୦ ତମ ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଧଉଳିଗିରି ପାଦଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ବଖାଣିଥିଲା ପ୍ରାଚୀନ ଓଡ଼ିଶାର ଗୌରବ ଗାଥା। ସେହିଭଳି ସମରକଳା ନୃତ୍ୟରେ ଫୁଟିଉଠିଥିଲା କଳିଙ୍ଗ ଯୋଦ୍ଧାର ବୀରତ୍ୱ କାହାଣୀ। ଓଡ଼ିଶୀ ନୃତ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial