ମାଘ ସପ୍ତମୀରୁ ଖଣ୍ଡଗିରି କୁମ୍ଭମେଳା: ସାଧୁସନ୍ଥଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଯଜ୍ଞସ୍ଥଳ

ରାଣୀହଂସପୁରରେ ବିଜେ କରିବେ ଅନନ୍ତ କେଶରୀ

ଖଣ୍ଡଗିରି: ଆସନ୍ତାକାଲି ମାଘ ସପ୍ତମୀ (ଶୁକ୍ରବାର)ଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଶୁଭାରମ୍ଭ ହେଉଛି। ଏଣୁ ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ଆରମ୍ଭ କଲେଣି ପ୍ରାଥମିକ ପୂଜାପାଠ ଓ ଅନ୍ୟ ବିଧି ବିଧାନ। ଏହା ଭିତରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦୦ରୁ ଅଧିକ ସାଧୁସନ୍ଥ ଆସିଛନ୍ତି ବୋଲି ଖବର ମିଳିଛି। ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ସାଧୁମୟ ହୋଇଯିବ ତପୋଭୂମି ପବିତ୍ର ଖଣ୍ଡଗିରି। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁମାନେ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହେବ। ଅଖଣ୍ଡ ଧୁନି ଜଳିବ। ସେହିଭଳି ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମଚରିତ ମାନସପାରାୟଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।
ରାଣୀହଂସପୁରରେ ବିଜେ କରିବେ ଅନନ୍ତ କେଶରୀ
ପ୍ରଭୁ ଅନନ୍ତ କେଶରୀ ଏକ ବିରାଟ ପଟୁଆରରେ ରାଣୀହଂସପୁରକୁ ବିଜେ କରିବେ। ପ୍ରଥମେ ଜାଗମରା ଗାଁ ନାଗାମଠରୁ ଅନନ୍ତ କେଶରୀଙ୍କୁ ସୁସଜ୍ଜିତ ବିମାନରେ ସଂକୀର୍ତ୍ତନ, ଘୋଡ଼ାନାଚ, ଷଣ୍ଢନାଚ, ସମ୍ବଲପୁରୀ ବାଜାର ରୋଶଣିରେ ଗାଁ ପରିକ୍ରମା କରାଯିବ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯିବ। ‌ସେଠା‌‌ରେ ଭୋଗରାଗ, ପୂଜାର୍ଚ୍ଚନା କରାଯିବା ପରେ ପୁଣି ରାତିରେ ହିଁ ସେ ନାଗାମଠକୁ ଫେରିବେ। ଗ୍ରାମଲୋକଙ୍କ କହିବା କଥା, ୧୯୧୨ ମସିହାରେ ଅନନ୍ତ କେଶରୀ ଜାଗମରା ଗ୍ରାମକୁ ଯାଇଥିଲେ। ଏହି ମେଳା ତାଙ୍କର। ତେଣୁ ସେ ଖଣ୍ଡଗିରି ଆସିବା ପରେ ହିଁ ମାଘମେଳା ଆରମ୍ଭ ହୁଏ। ଶୁକ୍ରବାର ଠାରୁ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ।
ଏବେଠୁ ଉଠିଲାଣି ଗଞ୍ଜେଇ ଧୂଆଁ
ମାଘ ମେଳା ପାଇଁ ସାରା ଭାରତରୁ ଆସିଥିବା ସାଧୁସନ୍ଥ ଓ ସେମାନଙ୍କ ଶିଷ୍ୟମାନେ ଖଣ୍ଡଗିରିରେ ଡେରା ପକାଇଛନ୍ତି। ସପ୍ତମୀରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ସାଧୁସନ୍ଥମାନେ ଜପତପ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସାଧୁସନ୍ଥ ଓ ସେମାନଙ୍କ ଶିଷ୍ୟମାନେ ଗଞ୍ଜେଇ ସେବନ କରିବା ଏଠି ସାଧାରଣ କଥା। ଏବେଠୁ ସମଗ୍ର ଅଞ୍ଚଳରେ ଗଞ୍ଜେଇ ଧୂଆଁ ଉଠିବାର ଦେଖା ଯାଉଛି। ଗଞ୍ଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ ହୋଇଥିଲେ ହେଁ କିଛି ‌ସାଧୁ ଏହାକୁ ଶିବଙ୍କ ପ୍ରସାଦ କହି ଟାଣୁଛନ୍ତି। ବି‌ଶେଷକରି ନାଗାସାଧୁମାନେ ବିପୁଳ ମାତ୍ରାରେ ଗଞ୍ଜେଇ ଟାଣୁଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ଅଧିକାଂଶ ଲୋକ ସ୍ୱାଭାବିକ ବୋଲି ମନେ କରୁଛନ୍ତି।

Share Now:

Kalinga News Beuro

Next Post

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ

Thu Feb 15 , 2024
ଭଦ୍ରକ: ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଇଡି ଚଢ଼ାଉ କରିଛି। ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial