ନନ୍ଦନକାନନରେ ହେବନାହିଁ ବଣଭୋଜି : ଗହଳି ପାଇଁ ସିଜେଡ୍‌ଏ ଅସନ୍ତୁଷ୍ଟ

ପ୍ରଭାବିତ ହେଉଛି ଶାଗୁଣା ପ୍ରଜନନ, ପ୍ରସ୍ତୁତ ହେବ ବିକଳ୍ପ ସ୍ଥାନ

ଭୁବନେଶ୍ୱର: ନନ୍ଦନକାନନ ପରିସରରେ ଥିବା ଉଦ୍ଭିଦ ଉଦ୍ୟାନରେ ବଣଭୋଜି ବନ୍ଦ ହେବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍‌ଏ)ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସେନେଇ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ବିକଳ୍ପ ସ୍ଥାନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ସମ୍ଭବତଃ ନୂଆକରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଶିଥିବା ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ଏକ ସ୍ଥାନକୁ ବଣଭୋଜି ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏ ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ବଣଭୋଜି ଋତୁ ଆରମ୍ଭ ହେବା ପୂର୍ବରୁ ନୂତନ ସ୍ଥାନର ବିକାଶ କରାଯିବା ସହ ସେଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବା ସହ ବଣଭୋଜି କରିବାକୁ ଉଦ୍ଭିଦ ଉଦ୍ୟାନରେ ବ୍ୟାପକ ସୁବିଧା ଉପଲବ୍ଧ କରାଯାଇଛି। ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ ରହିଛି। ପର୍ଯ୍ୟଟକମାନେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍‌ କରି ଭୋଜି ପାଇଁ ପିଣ୍ଡି ବୁକିଂ କରିପାରୁଛନ୍ତି। ଏଠାରେ ଏବେ ୭୦ରୁ ଅଧିକ ପିଣ୍ଡି ରହିଛି। ୮ଟି ପିକ୍‌ନିକ୍‌ ସେଡ୍‌ ବା ରୋଷଶାଳା, ୯ଟି ଛୋଟ ସ୍ୱତନ୍ତ୍ର ପିଣ୍ଡି, ୨ଟି ହଲିଉଡ୍‌ କଟେଜ୍‌ ଓ ଗୋଟିଏ ଏଫ୍‌ଆର୍‌ଏଚ୍ କଟେଜ୍‌ ଅଛି। ଅଧିକ ଲୋକ ଏଠାକୁ ବଣଭୋଜି ପାଇଁ ଆସୁଥିବାରୁ ଉଦ୍ଭିଦ ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଖୋଲା ସ୍ଥାନରେ ଭୋଜି କରିବାକୁ ପର୍ଯ୍ୟଟକମାନଙ୍କୁ ଅନୁମତି ଦେଉଛନ୍ତି। ଏବେ ରୋପ୍‌ ୱେ ପୁଣିଥରେ ନୂଆରୂପରେ ଆରମ୍ଭ ହୋଇଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଅଧିକ ଗହଳି ବି ହେଉଛି। ବଡ଼ଦିନ, ନୂଆବର୍ଷ ପରି ଦିନରେ ଶତାଧିକ ଦଳ ଏଠାରେ ବଣଭୋଜି କରିବାକୁ ଆସୁଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ। ଲୋକେ ଭୋଜି କରିବା ସମୟରେ ସାମାନ୍ୟତମ ସଚେତନ ହେଉ ନାହାନ୍ତି। ଉଦ୍ଭିଦ ଉଦ୍ୟାନର ପରିବେଶକୁ ନଷ୍ଟ କରିବା ସହ ସାଉଣ୍ଡ ବକ୍ସ ବ୍ୟବହାର କରି ଶବ୍ଦ ପ୍ରଦୂଷଣ କରୁଛନ୍ତି। ଏହି କାରଣରୁ ଉଦ୍ଭିଦ ଉଦ୍ୟାନରେ ଥିବା ଶାଗୁଣା ପ୍ରଜନନ କେନ୍ଦ୍ର ଉପରେ କୁପ୍ରଭାବ ପଡ଼ୁଛି। ସେଠାରେ ବହୁବର୍ଷ ଧରି ଗବେଷଣା ଚାଲିଥିଲେ ମଧ୍ୟ ଆଶାଜନକ ସଫଳତା ମିଳିପାରୁ ନାହିଁ। ଖାଲି ସେତିକି ନୁହେଁ, ପର୍ଯ୍ୟଟକମାନେ ବଣଭୋଜି ପରେ ବ୍ୟବହୃତ ପ୍ଲାଷ୍ଟିକକୁ ନିକଟରେ ଥିବା ହ୍ରଦରେ ପକାଉଥିବାରୁ ତାହାର ପ୍ରଭାବ ମଧ୍ୟ ନନ୍ଦନକାନନର ଜୀବଜନ୍ତୁଙ୍କ ଉପରେ ପଡ଼ୁଛି। ସିଜେଡ୍‌ଏ ପ୍ରତିନିଧି ନନ୍ଦନକାନନ ଗସ୍ତ କରିବା ସମୟରେ ଏଭଳି ଦୃଶ୍ୟ ଦେଖିବା ପରେ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିକଳ୍ପ ଭାବେ ନନ୍ଦନକାନନ ପଛ ପାର୍ଶ୍ଵରେ ଥିବା ଉକ୍ତ ଦୁଇଟି ସଂରକ୍ଷିତ ଜଙ୍ଗଲର ଏକ ଘଞ୍ଚ ଅଞ୍ଚଳକୁ ବଛା ଯାଇଛି। ସାମିଲ ହୋଇଥିବା ଜଙ୍ଗଲକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ କରାଯିବା ସହ ପାଚେରି ବୁଲାଯିବା କାର୍ଯ୍ୟ ଚାଲିଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ। ଚିହ୍ନଟ ହୋଇଥିବା ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ହରିଣ ରହିଥିବାରୁ ବିଶାଳ ହରିଣ ପାର୍କ କରିବାକୁ ନିଷ୍ପତ୍ତି ହୋଇଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲି ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛଡ଼ାଯିବ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ଉକ୍ତ ଜଙ୍ଗଲରେ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବି ଯୋଜନା ହେଉଥିବା ଅଧିକାରୀ ଜଣକ କହିଛନ୍ତି।

Share Now:

Kalinga News Beuro

Next Post

ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Thu Feb 22 , 2024
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୂର୍ଘଟଣା ଘଟାଇ ଫେରାର୍ ହେଉଥିବା ବୋଲେରୋକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ରାହୁଲ ମଣ୍ଡଳଙ୍କ ବୋଲେରୋ (ଓଆର୍୦୨ ଏଏକ୍ସ-୧୬୯୫) ରାଇରଙ୍ଗପୁରରୁ ଟେନ୍ଟପୋଷି ଯାଉଥିବା ସମୟରେ ଗୋଲେଇ ଛକ ନିକଟରେ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଉତ୍ୟକ୍ତ ଲୋକେ ଚାଳକଙ୍କୁ ମାରପିଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ବୋଲେରୋ ଚାଳକ ଗଢରାସ୍ତା ଦେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial