ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା : କଂଗ୍ରେସ‌ରେ ହୋଇପାରନ୍ତି ସାମିଲ

ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରୋହ ଦେଖାଯାଇଛି। ବାଲେଶ୍ଵର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆଗାମୀ ଦିନରେ ସେ କ’ଣ କରିବେ ସେନେଇ ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ସୋରରେ ବିଜେପି ପକ୍ଷରୁ ରାଜେନ୍ଦ୍ର ଦାସ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଅନ୍ୟପଟରେ ସେ ଯଦି କଂଗ୍ରେସରେ ଯୋଗ ନଦେବେ ତାହେଲେ ସ୍ୱାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି।
ବିଧାୟକ ଶ୍ରୀ ଧଡ଼ା ଲେଖିଛନ୍ତି ଯେ, ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଗତ ୧୦ ବର୍ଷ ହେଲା ସାଧାରଣ ଜନତାଙ୍କର ସେବା କରିବାର ସୁଯୋଗ ପାଇଛି। ଏହି ସମୟ ମଧ୍ୟରେ ମୁଁ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରିଛି। କିନ୍ତୁ ଦଳରେ ମୋତେ ଅଣଦେଖା କରାଯାଇଛି। ନିର୍ବାଚନ ଲଢ଼ିବା ସୁନିଶ୍ଚିତ। କିନ୍ତୁ ଆଗାମୀ ଦିନରେ ଲୋକମାନଙ୍କ ମତାମତ ନେଇ ନିର୍ବାଚନ ଲଢ଼ିବି। ସୂଚନାଯୋଗ୍ୟ, ବିଜେଡି ଏଥର ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି। ପର୍ଶୁରାମ ଧଡ଼ା ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ପର୍ଶୁରାମ ଧଡ଼ା ୫୪,୭୭୫ ଖଣ୍ଡ ଭୋଟ୍‌ ପାଇଥିଲେ।‌ ସେ ବିଜେପି ପ୍ରାର୍ଥୀ ରାକେଶ କୁମାର ମଲ୍ଲିକଙ୍କୁ ୪୯୩୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ୨୦୧୪ ନିର୍ବାଚନରେ ପର୍ଶୁରାମଙ୍କୁ ୫୭,୧୩୯ ଖଣ୍ଡ ଭୋ୍‌ଟ ମିଳିଥିବା ବେଳେ ସେ କଂଗ୍ରେସର ମୃତ୍ୟୁଞ୍ଜୟ ଜେନାଙ୍କୁ ୪୯୧୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ।

Share Now:

Kalinga News Beuro

Next Post

ପ୍ରଚାରକୁ ଓହ୍ଲାଇଲେ ସୁଶାନ୍ତ ଓ ମନ୍ମଥ : ପଥରବନ୍ଧ ପଡ଼ିଆରେ ସମାବେଶ

Wed Apr 3 , 2024
ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୭ ନମ୍ବର ୱାର୍ଡର ପଥରବନ୍ଧ ପଡ଼ିଆଠାରେ ଏକ ନିର୍ବାଚନୀ ସଭା ତଥା କର୍ମୀ ସମ୍ମିଳନୀରେ ସାମିଲ ହୋଇ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial