ବୁନୁ-ବାଇଁଆ ବଳ କଷାକଷି : ଦ୍ଵନ୍ଦରେ ସମର୍ଥକ, କର୍ମୀ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ସ୍ଥିତି ସେତିକି ବିଗିଡ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ବୁନୁଙ୍କୁ ଟିକେଟ୍‌ ଦେବା ପାଇଁ ସମର୍ଥକ ଲବି ଚଳାଇଥିବା ବେଳେ ଦଳରୁ ସବୁଜ ସଙ୍କେତ ତାଙ୍କୁ ମିଳିଥିବା କହି ବାଇଁଆ ପ୍ରଚାର ଜାରି ରଖିଛନ୍ତି। ରାଜନୀତିରୁ ଦୂରରେ ଥିବା ବାଦଲ-ମିହିରଙ୍କୁ ଏକାଠି କରି ବାଇଁଆ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଛାଉ ନାହାନ୍ତି। ଫଳରେ ଦ୍ଵନ୍ଦ ବଢ଼ି ଚାଲିଛି। କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ଦ୍ଵନ୍ଦରେ ଥିବାବେଳେ ବୁନୁ-ବାଇଁଆ ବଳ କଷାକଷି ହେଉଛନ୍ତି। ଏଣେ ବୁନୁ ଆସନ୍ତାକାଲି ଏକ ଜନସମାବେଶ କରିବାକୁ ଯାଉଛନ୍ତି। ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏହି ଆୟୋଜନ କରାଯାଉଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୨୦ ହଜାର ଲୋକ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିରେ ଯୋଗ ଦେବାପାଇଁ ତୃଣମୂଳସ୍ତରରୁ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ୍‌ ବୁନୁ କିଛିଦିନ ହେବ ପ୍ରସ୍ତୁତି ଚଳାଇଛନ୍ତି। ଅଧିକରୁ ଅଧିକ ଲୋକ କିଭଳି ଏଥିରେ ଯୋଗଦେବେ, ସେଥିପାଇଁ କର୍ମୀ ଲାଗି ପଡ଼ିଛନ୍ତି। ଘର ଘର ବୁଲି ଲୋକମାନଙ୍କୁ ନିମନ୍ତ୍ରଣ ଦିଆଯାଉଥିବା ଦେଖାଯାଇଛି। ଟେଲିଫୋନ୍‌ ଓ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ମଧ୍ୟ ଲୋକମାନଙ୍କୁ ଏଥିରେ ଯୋଗ ଦେବାପାଇଁ କୁହାଯାଉଛି।
ଏଣେ ବାଇଁଆ ବି ପଛରେ ନାହାନ୍ତି। ସେ ବି ଆସନ୍ତାକାଲି ଷ୍ଟେସନ ଛକରେ ଏକ ବିରାଟ ଜନସମାବେଶ କରୁଛନ୍ତି। ଏଥିରେ ସେ ତାଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି। ଏଥିରେ ସେ ୫ ହଜାର କର୍ମୀଙ୍କୁ ଏକାଠି କରିବା ଲକ୍ଷ୍ୟ ରଖିଛନ୍ତି। ଆଗାମୀ ନିର୍ବାଚନ ପାଇଁ ନିଆଯିବାକୁ ଥିବା ନିଷ୍ପତ୍ତି ବାବଦରେ କର୍ମୀମାନଙ୍କୁ ଅବଗତ କରାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଉଭୟ ବିଜେଡି ପାଇଁ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ବୁନୁ ଓ ବାଇଁଆଙ୍କ ଏହି ସମାବେଶ କିଭଳି ହେବ, ତାହା ଉପରେ ସମର୍ଥକଙ୍କ ନଜର ରହିଛି। ଏଭଳି ସ୍ଥିତିରେ କର୍ମୀ ମୁହାଁମୁହିଁ ହେବା ଆଶଙ୍କା ଥିବା ଗୁଇନ୍ଦା ସୂଚନା ପାଇ କମିସନରେଟ୍‌ ପୁଲିସ ବି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।
ବୁନୁଙ୍କ କହିବା କଥା ହେଉଛି, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ଏହି ସମାବେଶ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେବାକୁ ଯାଉଛନ୍ତି। ସମସ୍ତ କର୍ପୋରେଟର ଓ ପୂର୍ବତନ କର୍ପୋରେଟରଙ୍କ ସହ ମହିଳା ଗୋଷ୍ଠୀ ଯୋଗ ଦେବାକୁ କୁହାଯାଇଛି। ଅମରେଶ ଜେନା ଓରଫ୍‌ ବାଇଁଆ କହିଛନ୍ତି, ଏହା ଏକ କର୍ମୀ ସମ୍ମିଳନୀ। ଆଗକୁ ନିର୍ବାଚନ ପାଇଁ କଣ କାର୍ଯ୍ୟପନ୍ଥା ହେବ ତାହା ନିର୍ଦ୍ଧାରଣ କରାଯିବ। ତା’ସହିତ ବୁଥ୍‌ସ୍ତରରେ ଯେଉଁ କମିଟି ଗଠନ ହେବାକୁ ଯୋଜନା ହୋଇଛି, ତାହାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଅନ୍ୟତମ ଟିକେଟ୍‌ ଆଶାୟୀ ରୁଦ୍ର ସାମନ୍ତରାୟ ମଧ୍ୟ ଭିନ୍ନଢଙ୍ଗରେ ଅଭିଯାନ ଜାରି ରଖିଛନ୍ତି। ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି ସେ ଭ୍ରାମ୍ୟମାଣ ଜଳଛତ୍ର ଚଳାଇଛନ୍ତି। ଏହି ଜଳଛତ୍ର ଲୋକଙ୍କ ପାଖରେ ପହଞ୍ଚି ପିଇବା ପାଣି ଯୋଗାଉଛି। ଆଜି ୨୯ ନଂ ୱାର୍ଡରେ ସେ ଦିବ୍ୟାଙ୍ଗ ବାଳକଙ୍କୁ ହୁଇଲ ଚେୟାର୍‌ପ୍ରଦାନ କରିଛନ୍ତି।

Share Now:

Kalinga News Beuro

Next Post

ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

Sun Apr 7 , 2024
ଭୁବନେଶ୍ୱର: ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବିଜେପି ଛାଡ଼ିଥିବା ଲେଖାଶ୍ରୀ। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial