ନୂଆଦିଲ୍ଲୀ : ବୁଧବାର ରାଜଧାନୀ ଦିଲ୍ଲୀରେ ଏନଡିଏର ସହଯୋଗୀ ଦଳର ଶୀର୍ଷ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ପୂର୍ଣ୍ଣ ସମର୍ଥନ ଦେଇ କହିଛନ୍ତି ଯେ ବିଳମ୍ବ ନକରି କେନ୍ଦ୍ରରେ ସରକାର ଗଠନ ହେବା ଉଚିତ। ନୀତୀଶ କୁମାରଙ୍କ ଏହି ଘୋଷଣା ପରେ ସମସ୍ତ ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାରଣ ନୀତୀଶଙ୍କ ମତିଗତି ସବୁବେଳେ ଅସ୍ଥିର ରହୁଥିବାରୁ ସରକାରଙ୍କ ସ୍ଥିରତା ନେଇ ପ୍ରଶ୍ନ ଉଠୁଥିଲା।
ଲୋକସଭା ନିର୍ବାଚନର ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୨୪୦ ଟି ଆସନ ପାଇଛି, ଯାହା କି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଠାରୁ ୩୨ ଟି ଆସନ ଦୂରରେ ରହିଛି। ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ମୁଖ୍ୟ ସହଯୋଗୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଯଥାକ୍ରମେ ୧୬ ଓ ୧୨ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇ ଏବଂ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସମର୍ଥନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି।
ମୋଦୀ ସରକାରକୁ ମୋର ପୂର୍ଣ୍ଣ ସମର୍ଥନ : ନୀତୀଶ କୁମାର

Share Now: