ବାଜପେୟୀଙ୍କ ଜନ୍ମଦିନରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗୌରବ ପାନ୍ଧୀ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’କୁ ସମାଲୋଚନା କରି କହିଥିଲେ କି, ଭାରତ ଛାଡ଼ ଆନ୍ଦୋଳନ ସମୟରେ ବାଜପେୟୀ ‘ବ୍ରିଟିସ୍‌ ସୂଚନାଦାତା’ ଭାବେ କାର୍ଯ୍ୟ କରୁଥିଲେ। ସମ୍ପ୍ରତି ଡିଲିଟ୍‌ ହୋଇସାରିଥିବା ଏ ଟୁଇଟ୍‌ ପୋଷ୍ଟରେ ପାନ୍ଧୀ କହିଥିଲେ, ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର ବାକି ସମସ୍ତ ସଦସ୍ୟଙ୍କ ଭଳି ୧୯୪୨ରେ ଅଟଳବିହାରୀ ବାଜପେୟୀ ଭାରତ ଛାଡ଼ ଆନ୍ଦୋଳନ ବର୍ଜନ କରି ଜଣେ ବ୍ରିଟିସ୍‌ ସୂଚନାଦାତାଙ୍କ ଭଳି କାମ କରିବା ସହିତ ଆନ୍ଦୋଳନରେ ଭାଗ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ରିପୋର୍ଟ ଦେଉଥିଲେ। ସେ ଆହୁରି ମଧ୍ୟ କହିଥିଲେ, ସେ ନେଲି ନରସଂହାର ହେଉ ଅଥବା ବାବ୍ରି ଧ୍ବଂସ ହେଉ, ଉତ୍ତ୍ୟକ୍ତ ଜନତାଙ୍କୁ ଉସ୍‌କାଇବାରେ ବାଜପେୟୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହି କାରଣରୁ ଆଜି ‘ବିଜେପି’ ନେତାମାନେ ସବୁବେଳେ ମୋଦୀଙ୍କୁ ଗାନ୍ଧୀଙ୍କ ସହିତ ତୁଳନା କରୁଛନ୍ତି। ପଟେଲ କିମ୍ବା ଅନ୍ୟ କଂଗ୍ରେସ ନେତା କିମ୍ବା ସବର୍‌କର୍‌, ବାଜପେୟୀ କିମ୍ବା ଗୋଲ୍‌ୱାକର୍‌ଙ୍କ ସହିତ ତୁଳନା କରୁ ନାହାନ୍ତି। ସେମାନେ ବାସ୍ତବ କଥା ଜାଣିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ଭାରତ ‌ଯୋଡ଼ୋ ଯାତ୍ରା’ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’ ପରିଦର୍ଶନରେ ଯାଇ ରାହୁଲ୍‌ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା କାର୍ଯ୍ୟକ୍ରମର ପ୍ରଚାର ପାଇଁ କଂଗ୍ରେସ ବ୍ୟସ୍ତ ଥିବା ବେଳେ ପାନ୍ଧୀ ଉପରୋକ୍ତ ଟୁଇଟ୍‌ ପୋଷ୍ଟ୍‌ କରିଥିଲେ। ‘ବିଜେପି’ର ଜାତୀୟ ମୁଖପାତ୍ର ଶେହଜାଦ୍‌ ପୂନାୱାଲା କହିଛନ୍ତି ଯେ, ଟୁଇଟ୍‌ ଡିଲିଟ୍‌ କରିଦେବା ଯଥେଷ୍ଟ ନୁହେଁ। କଂଗ୍ରେସ ଏହାର ସ୍ପଷ୍ଟୀକରଣ ଦେବା ସହିତ ପାନ୍ଧୀଙ୍କ ଟିପ୍ପଣୀ ଲାଗି କ୍ଷମାଭିକ୍ଷା କରୁ। ପାନ୍ଧୀଙ୍କୁ ବହିଷ୍କାର କରାଯାଉ ବୋଲି ଆହ୍ବାନ ଦେଇ ସେ ପୁଣି କହିଛନ୍ତି, ତାହା ନ ହେଲେ ଆମେ ବିଶ୍ବାସ କରିବୁ ଯେ, ଏହି ଟିପ୍ପଣୀ ପାନ୍ଧୀ ଲେଖିଛନ୍ତି ସତ, କିନ୍ତୁ ଏହାର ପରିକଳ୍ପନା କରିଛନ୍ତି ରାହୁଲ୍‌ ଗାନ୍ଧୀ। କଂଗ୍ରେସରୁ ବାହାରି ଯାଇ ‘ବିଜେପି’ରେ ଯୋଗ ଦେଇଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ଜିତିନ ପ୍ରସାଦ ଟୁଇଟ୍‌ କରି କହିଛନ୍ତି, ଜାତିପ୍ରତି ଅଦମ୍ୟ ପ୍ରତିବଦ୍ଧତା ନିମନ୍ତେ ଅଟଳଜୀଙ୍କ ପରି ନେତା ରାଜନୈତିକ ମତଭେଦ ନିର୍ବିଶେଷରେ ସମ୍ମାନ ଅର୍ଜନ କରିବା ସହିତ ଭାରତବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ପାନ୍ଧୀଙ୍କ ଏଭଳି ମନ୍ତବ୍ୟ ଦଳରୁ ଔପଚାରିକ ଅନୁମୋଦନ ପାଇଥିଲା ତ?

Share Now:

Kalinga News Beuro

Next Post

ବେପରୱା ପର୍ଯ୍ୟଟନ ବିଭାଗ : କେତେ ଦିନ ବନ୍ଦ ରହିବ ଲେଜର୍‌ ସୋ’

Mon Dec 26 , 2022
ବିନ୍ଦୁସାଗରକୁ ଆସି ପର୍ଯ୍ୟଟକ ନିରାଶ ପୁରୁଣା ଭୁବନେଶ୍ବର: ମାତ୍ର ୫ ଲକ୍ଷ ଟଙ୍କା ପାଇଁ ଦେଢ଼ ମାସ ହେଲା ପର୍ଯ୍ୟଟନ ବିଭାଗରେ ବନ୍ଧା ପଡ଼ିଛି ଫାଇଲ୍। ଗତ ମାସ ୯ ତାରିଖରୁ ଫାଇଲ୍‌ ଯାଇଛି ଯେ ଯାଇଛି, ଫେରିବାର ନାଁ ଗନ୍ଧ ନାହିଁ। କେବେ ବିଭାଗ ଟିପିସିଓଡିଏଲ୍‌କୁ ଏତକ ଟଙ୍କା ଦେବ ଏବଂ ପୁଣିଥରେ ବିନ୍ଦୁସାଗରରେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଚାଲିବ, ତାହା ବି କାହାକୁ ମାଲୁମ୍‌ […]
କେତେ ଦିନ ବନ୍ଦ ରହିବ ଲେଜର୍‌ ସୋ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial