ନୂଆଦିଲ୍ଲୀ: ଚୀନ୍ ସହିତ ଲାଗିରହିଥିବା ବିବାଦୀୟ ପରିସ୍ଥିତିରେ ଭାରତୀୟ ବାୟୁସେନା ଉତ୍ତରପୂର୍ବାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ‘ଏୟାର୍ ବେସ୍’ରେ ‘ପ୍ରଳୟ’ ସମରାଭ୍ୟାସ ଚଳାଇବ ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଡ୍ରୋନ୍ ସ୍କ୍ୱାର୍ଡ ପ୍ରତ୍ୟାହୃତ ହୋଇଥିବା ଉତ୍ତରପୂର୍ବାଞ୍ଚଳରେ ମଧ୍ୟ ଏହି ସମରାଭ୍ୟାସ ଚାଲିବ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ସିକିମ ଏବଂ ସିଲିଗୁଡ଼ି କରିଡର୍ ସେକ୍ଟର୍ ଅଞ୍ଚଳରେ ପ୍ରତିକୂଳ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ସାମର୍ଥ୍ୟ ବୃଦ୍ଧି ଲାଗି ଅଳ୍ପ ଦିନ ହେବ ‘ଆଇଏଏଫ୍’ ଅନ୍ୟ ବେସ୍ରୁ ଉତ୍ତରପୂର୍ବାଞ୍ଚଳକୁ ଡ୍ରୋନ୍ ସ୍କ୍ୱାଡ୍ରନ୍ ସ୍ଥାନାନ୍ତରଣ କରିଛି।
ପ୍ରାୟ ୪୦୦ କିଲୋମିଟର୍ ପର୍ଯ୍ୟନ୍ତ ଦୂରରୁ ଶତ୍ରୁର ଲଢୁଆ ବିମାନ ଅଥବା କ୍ଷେପଣାସ୍ତ୍ର ସହିତ ମୁକାବିଲା କରିବାକୁ ସମର୍ଥ ‘ଏସ୍-୪୦୦’ ଏୟାର୍ ଡିଫେନ୍ସ୍ ସ୍କ୍ୱାଡ୍ରନ୍କୁ ଅଳ୍ପ ଦିନ ତଳେ ଭାରତୀୟ ବାୟୁସେନା ମୁତୟନ କରି ସକ୍ରିୟ କରିବା ପରେ ଉପରୋକ୍ତ ସମରାଭ୍ୟାସ ପାଇଁ ଯୋଜନା କରାଯାଇଛି। ଆଉ ମାତ୍ର ଦିନ କେତେଟା ପରେ ସେ ଅଞ୍ଚଳରେ ‘ପ୍ରଳୟ’ ସମରାଭ୍ୟାସ ଆରମ୍ଭ କରାଯିବ। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ସେନା ପରିବହନ ଏବଂ ଅନ୍ୟାନ୍ୟ ବିମାନ ସମେତ ରାଫେଲ୍ ଓ ସୁ-୩୦ ଲଢୁଆ ବିମାନ ଓ ବାୟୁସେନାର ଅନ୍ୟାନ୍ୟ ଯୁଦ୍ଧ ଉପକରଣ ସବୁ ଏହି ସମରାଭ୍ୟାସରେ ସାମିଲ କରାଯିବ। ସେହିପରି ଚୀନା ସୈନିକମାନେ ମଧ୍ୟ ଡୋକ୍ଲାମ୍ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି ଓ ଭାରତୀୟ ନିରାପତ୍ତା ଏଜେନ୍ସି ତାଙ୍କ ଉପରେ ତୀବ୍ର ଦୃଷ୍ଟି ରଖିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଅଳ୍ପ କେତେ ମାସ ଭିତରେ ଏହା ହେବ ବାୟୁସେନାର ଏହି ଧରଣର ଦ୍ଵିତୀୟ କମାଣ୍ଡ୍ସ୍ତରୀୟ ସମରାଭ୍ୟାସ।
ଉତ୍ତରପୂର୍ବାଞ୍ଚଳ ନିୟନ୍ତ୍ରଣ ରେଖାରେ ‘ପ୍ରଳୟ’ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା

Share Now: