ଇସ୍ରୋ ଗୁପ୍ତଚର ବୃତ୍ତି ମାମଲା: ବୈଜ୍ଞାନିକଙ୍କୁ ୫୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ୧୯୯୪ ମସିହାର ବହୁଚର୍ଚ୍ଚିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁପ୍ତଚର ବୃତ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଯଥା ସନ୍ଦେହ ଯୋଗୁଁ ନିର୍ଯାତନାର ଶିକାର ହୋଇଥିବା ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାରାୟଣନଙ୍କୁ ୨୪ ବର୍ଷ ପୂର୍ବେ କେରଳ ପୁଲିସ ବିନା କୌଣସି ବଳିଷ୍ଠ ପ୍ରମାଣରେ ଗିରଫ କରିଥିଲା। ଏହି ଗିରଫଦାରୀ ସଂପୂର୍ଣ୍ଣ ଅନାବଶ୍ୟକ ଥିଲା ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଗିରଫ କରାଯିବା ପରେ ନାରାୟଣନଙ୍କୁ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ଏବେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟ କେରଳ ପୁଲିସ ଅଧିକାରୀଙ୍କ ଭୂମିକା ସଂପର୍କରେ ମଧ୍ୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ.ଏମ୍‌. ଖାନ୍‌ଓ୍ଵିଲକର ଏବଂ ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ୭୬ ବର୍ଷୀୟ ନାରାୟଣନଙ୍କୁ ଏହି ମାମଲାରେ ସଂପୂର୍ଣ୍ଣ ନିର୍ଦ୍ଦୋଷ ଦର୍ଶାଇଛନ୍ତି। ନାରାୟଣନ କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ ନାରାୟଣନଙ୍କୁ ଗିରଫ କରିଥିବା ପୂର୍ବ ଡିଜିପି ଏବଂ ୨ ଜଣ ଅବସରପ୍ରାପ୍ତ ଏସପି କେକେ ଯୋଶୁଆ ଏବଂ ଏସ୍‌ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ନାହିଁ। ଏହା ସହିତ ବୈଜ୍ଞାନିକଙ୍କୁ ଅତ୍ୟନ୍ତ ବେପରୁଆ ଭାବେ ଗିରଫ କରାଯିବା ପାଇଁ ହାଇକୋର୍ଟ କେବଳ ସିବିଆଇକୁ ଦାୟୀ କରିଥିଲେ। ହାଇକୋର୍ଟ ଗୁପ୍ତଚର ବୃତ୍ତି ମାମଲାରେ ନାରାୟଣନଙ୍କୁ ଅଭିଯୁକ୍ତ କରାଯିବା ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୪ ଗୁପ୍ତଚର ବୃତ୍ତି ମାମଲାରୁ ନାରାୟଣନ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଥିଲେ। ତେବେ ଇସ୍ରୋର ପୂର୍ବ ବୈଜ୍ଞାନିକ ନାରାୟଣନ ତାଙ୍କ ଆଇନଗତ ଲଢ଼େଇ ଜାରି ରଖିଥିଲେ ଏବଂ ଆଜି ସୁପ୍ରିମ୍‌ କୋର୍ଟରୁ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନାରାୟଣନ କହିଛନ୍ତି ଯେ ଦୀର୍ଘ ବର୍ଷର ସଂଘର୍ଷ ପରେ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି ଏବଂ ଏଥିରେ ସେ ସନ୍ତୁଷ୍ଟ। ତାଙ୍କୁ ଗୁପ୍ତଚର ବୃତ୍ତି ମାମଲାରେ ଅଯଥାରେ ଛନ୍ଦି ଦିଆଯାଇଥିଲା। ଏହି ମାମଲାରେ ଅନ୍ୟ ଜଣଙ୍କୁ ଗିରଫ କରାଯିବା ପରେ ପୁଲିସ ଦାବି କରିଥିଲା ଯେ ନାରାୟଣନଙ୍କ ସହଯୋଗରେ କେତେକ ଗୁପ୍ତ ଫାଇଲ୍‌ ପାକିସ୍ତାନକୁ ଦିଆଯାଇଛି। ସିବିଆଇ ତଦନ୍ତ ପରେ ଏହି ଅଭିଯୋଗର କୌଣସି ସତ୍ୟତା ଥିବା ପ୍ରମାଣିତ ହୋଇନଥିଲା। ୧୯୯୮ରେ ସୁପ୍ରିମ୍‌ କୋର୍ଟ ଏହି ମାମଲାର ପରବର୍ତ୍ତୀ ତଦନ୍ତ ଆଦେଶକୁ ରଦ୍ଦ କରିଦେଇଥିଲେ। ମାମଲାରେ ନାରାୟଣନଙ୍କୁ ମାନବାଧିକାର କମିସନ ମଧ୍ୟ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନାରାୟଣନ ଏହାକୁ ଗ୍ରହଣ କରିନଥିଲେ।

Share Now:

Kalinga News Beuro

Leave a Reply

Next Post

ନଦୀକୁ ଖସିଲା ବସ୍‌, ୧୭ ଜଣଙ୍କ ଜୀବନ ଗଲା

Sat Sep 15 , 2018
ଶ୍ରୀନଗର: ଜମ୍ମୁ-କଶ୍ମୀରର ଖିସ୍ତିୱାର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୭ ଜଣଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ଭାରସାମ୍ୟ ହରାଇ ଚେନାବ ନଦୀରେ ଖସି ପଡ଼ିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ବସ୍‌ଟି ୨୭ ଜଣ ଯାତ୍ରୀଙ୍କୁ ନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial