ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ବିଧାୟକ: ‘ପ୍ରଭୁ ଲିଙ୍ଗରାଜଙ୍କ କାମ ବନ୍ଦ ହେବନାହିଁ’

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଭାଗ୍ୟ କ’ଣ ହେବ? ସତରେ ଆଉ କ’ଣ ଏକାମ୍ର ପ୍ରକଳ୍ପରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ କରାଯିବ? ରାଜ୍ୟରେ ବିଜେଡି ସରକାର ଗାଦିଚ୍ୟୁତ ହେବା ସହିତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହାରିଯିବା ପରେ ଏଭଳି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ନୂତନ ବିଧାୟକ ବାବୁ ସିଂହ ଏହି ଚର୍ଚ୍ଚା ଓ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଜି ସକାଳୁ ବିଧାୟକ ଶ୍ରୀ ସିଂହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ଏକାମ୍ର ପ୍ରକଳ୍ପ ସମୀକ୍ଷା କରି କହିଛନ୍ତି, ‘‘ପ୍ରଭୁ ଲିଙ୍ଗରାଜଙ୍କ କାମ ବନ୍ଦ ହେବନାହିଁ। ବରଂ କିଭଳି ତୁରନ୍ତ କାମ ଶେଷହେବ ଏବଂ ଅଧିକ କ’ଣ ବିକାଶମୂଳକ କାମ କରିହେବ, ସେ ଦିଗରେ ଯାହା ଆବଶ୍ୟକ କରାଯିବ।’’ ଏହି ଅବସରରେ ବିଧାୟକ ଶ୍ରୀ ସିଂହଙ୍କୁ ଓବିସିସି ଏମ୍‌ଡି ଜୟକୃଷ୍ଣ ଦାସ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ। ବିଧାୟକ ଦୀର୍ଘ ସମୟ ଧରି ଅଧିକାରୀଙ୍କ ସହ ଆଲୋଚନା ସହ ମନ୍ଦିର ଚାରିପାଖ ଓ ନିର୍ମାଣ ହେବାକୁଥିବା ସମସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ଯଥାଶୀଘ୍ର ଏହି କାମକୁ ସାରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ସିଂହ ମନ୍ଦିର ସମେତ ଏହାର ଆଖପାଖ ଡ୍ରେନ୍‌ ସମସ୍ୟାର ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏ ପ୍ରସଙ୍ଗରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଶ୍ରୀ ସିଂହ କହିଛନ୍ତି, ‘‘ଐତିହ୍ୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ସମସ୍ତ ଉଦ୍ୟମ କରାଯିବ। ଏଥିରେ ସନ୍ଦେହ ନାହିଁ। ପୂର୍ବ ସରକାର ୨୦୨୫ ସୁଦ୍ଧା କାମ ସାରିବାକୁ କହିଥିଲେ। ହେଲେ ବର୍ଷକ ପରେ ୩୦ ପ୍ରତିଶତ କାମ ସରିନାହିଁ। ତେଣୁ କାମ ସରିବ କି ନାହିଁ ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାମ ଆରମ୍ଭ ହେବା ପୂର୍ବରୁ ସମସ୍ତ ଜମି ଅଧିକଗ୍ରହଣ କରିବା କଥା। ହେଲେ ତାହା ହୋଇନାହିଁ। ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ସହ କାମ ସମ୍ପୂର୍ଣ୍ଣ କରାଯିବ। କିନ୍ତୁ ସମସ୍ତ କାମ ଆଇନ ଅନୁସାରେ କରାଯିବ। ପୁରୁଣା ଭୁବନେଶ୍ୱରରେ ଥିବା ମଠ ଓ ମନ୍ଦିରକୁ ଭାଙ୍ଗି ଦିଆଯାଇଛି, ତା’ର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହେବ।’’
ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଚ୍ୟାଲେଞ୍ଜ
ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ସୁରେନ୍ଦ୍ର ପ୍ରଧାନ, ରଶ୍ମି ମହାପାତ୍ର, ସ୍ବାଗତ ମହାପାତ୍ର, କୃଷ୍ଣଚନ୍ଦ୍ର ବଟୁ, ସୁଭାଷିନୀ ପୃଷ୍ଟି, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏକାମ୍ର ପ୍ରକଳ୍ପ ସମ୍ପର୍କରେ ବିଧାୟକ ଶ୍ରୀ ସିଂହଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ପୂର୍ବତନ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଚ୍ୟାଲେଞ୍ଜ କରିବାଭଳି ସେ କହିଛନ୍ତି, ‘‘ପ୍ରୋ‌ଜେକ୍ଟ ଯଦି ବିଳମ୍ବ ହେଲା, ଭୁବନେଶ୍ୱର ପ୍ରତିନିଧି ଭାବରେ ସେ ମଧ୍ୟ ଆଉ ଟିକେ ସୁଗମ କରିବା କଥା। ଖୁବ୍‌ କମ୍‌ଦିନ ସରକାର ହୋଇଛି, ସେମାନେ ଭିତରକୁ ପଶନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ। ଆରୋପ ପ୍ରତ୍ୟାରୋପର କୌଣସି ଆବଶ୍ୟକତା ନାହିଁ। ବରଂ ପ୍ରୋଜେକ୍ଟ ହେଲେ ମୁଁ ଧନ୍ୟବାଦ ଦେବି। ଯେହେତୁ କେନ୍ଦ୍ର ଓ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଅଛି, ଏବେ ଲିଙ୍ଗରାଜ ଆଇନ କାର୍ଯ୍ୟକାରୀ କରନ୍ତୁ! ଯଦି ବେଆଇନ ଭାବେ କିଏ ମଠ, ମନ୍ଦିର ଭାଙ୍ଗିଛି, ତେବେ ସେଥିପାଇଁ ଆଇନର ବ୍ୟବସ୍ଥା ଅଛି, ପଦକ୍ଷେପ ନିଅନ୍ତୁ।’’

Share Now:

Kalinga News Beuro

Next Post

ଭାରତ ଭୀଲାରେ କେବେ ସୁଧୁରିବ ରାସ୍ତାର ଦୁରାବସ୍ଥା : ଦୃଷ୍ଟି ପଡୁନି ବିଏମସି କର୍ତ୍ତୃପକ୍ଷଙ୍କ ?

Fri Jun 28 , 2024
ଭୁବନେଶ୍ୱର : ହଂସପାଳ ନିକଟସ୍ଥ ପୁରୀ ମୁଖ୍ୟ କେନାଲରୁ ସାଇଫନ ଛକ ମଧ୍ୟରେ ବାମ ପାର୍ଶ୍ୱରେ, ଜାତୀୟ ରାଜପଥରୁ ମାତ୍ର ୧୫୦ ମିଟର ରାସ୍ତା ଅତିକ୍ରମ ପରେ ଭାରତ ଭୀଲା ଏକ ଆବାସିକ ସୋସାଇଟି ଯେଉଁଠାରେ ପ୍ରାୟତଃ ୨୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ସମୟରେ ୪୦୦ ରୁ ଉର୍ଦ୍ଧ ପରିବାର ଭଡାରେ ରହୁଛନ୍ତି। ଜାତୀୟ ରାଜପଥ-୧୬କୁ ଏହା ସଂଯୋଗ କରୁଥିବାରୁ ଏହାର ଉପଯୋଗୀତା ଅଧିକ ଓ ବ୍ୟବହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial