ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିସନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ହରିୟାଣାରେ ଜନ୍ମିତ ମନୋଜ ଆହୁଜାଙ୍କର ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ବେଶ୍ ସୁପରିଚିତ। ୨୦୧୭ ମସିହାରେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ। ଲାଲ୍ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର କାର୍ଯ୍ୟକାଳ ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ସିବିଏସ୍ଇ ଅଧ୍ୟକ୍ଷ ଭାବେ ସେ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସମୟରେ ଅନେକ ସଂସ୍କାର ଆଣିଥିଲେ।
ମନୋଜ ଆହୁଜା ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆହୁଜା ଆସନ୍ତା ‌ଡିସେମ୍ବର ମାସରେ ଅବସର ନେବେ। ଶ୍ରୀ ଆହୁଜାଙ୍କ ପତ୍ନୀ ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ ଗତ ଫେବୃଆରୀ ମାସରେ ଅବସର ନେଇସାରିଛନ୍ତି। ବର୍ତ୍ତମାନର ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଅବସର ନେଉଛନ୍ତି।

Share Now:

Kalinga News Beuro

Next Post

ଭାରତର ଜର୍ସିରେ ଯୋଡି ହେଲା ଆଉ ଏକ ତାରା

Sun Jun 30 , 2024
ନୂଆଦିଲ୍ଲୀ: ଭାରତ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍ ଇଣ୍ଡିଆର ଜର୍ସିରେ ଦ୍ୱିତୀୟ ତାରକା ଯୋଡ଼ାଯାଇଛି। ଏହା ପୂର୍ବରୁ କେବଳ ଗୋଟିଏ ତାରକା ଥିଲା। ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରଶଂସକଙ୍କ ମନରେ ରହିବ ଯେ ଦ୍ୱିତୀୟ ଷ୍ଟାର ବା ତାରା ଟିମ୍ ଇଣ୍ଡିଆର ଜର୍ସିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial