ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗ

ଭୁବନେଶ୍ଵର: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ ନିକଟରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସଂତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଆମ ଦଳର ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସ୍ଥାନୀୟ ନିର୍ବାଚନମଣ୍ଡଳୀରେ ଜନକଲ୍ୟାଣକାରୀ କାର୍ଯ୍ୟ ବିଶେଷ ଭାବରେ ଆଦିବାସୀଙ୍କ ସେବା ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି ଭୁବନେଶ୍ଵରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ‌୫୧ ବର୍ଷ ବୟସ‌ରେ ତାଙ୍କର ପ‌ରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଏକ ବର୍ଷ ହେଲା ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ଆଦିତ୍ୟ ମାଢ଼ି ଷୋଡ଼ଶ ବିଧାନସଭାକୁ ୨୦୧୪ରେ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ପଦ୍ମଚରଣ ମାଢ଼ିଙ୍କ ପୁଅ ଆଦିତ୍ୟ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ବାପାନପାଲ୍ଲୀ ନିକଟ ରୋଦାନପାଲି ଗାଁରେ ୧୯୭୪ ମସିହା ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନନ୍ଦିନୀ ମାଢ଼ିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ବିଧାୟକ ହେବା ପୂର୍ବରୁ ସେ ଚାଷ କାମ ସହ ସରକାରୀ ବିଦ୍ୟାଳୟ‌ରେ ଶିକ୍ଷକ ଥିଲେ। ସାଧାରଣ ଜନତାଙ୍କ ନିକଟକୁ ଯାଇ ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବାକୁ ଭଲ ପାଉଥିଲେ। ସ୍ୱର୍ଗତ ଆଦିତ୍ୟ ମାଢୀ ଜଣେ ପରୋପକାରୀ, ଧର୍ମପରାୟଣ, ଶିକ୍ଷାବିତ ଏବଂ ଜଣେ ସ୍ୱୟଂ ସେବକ ଥିଲେ।

Share Now:

Kalinga News Beuro

Next Post

ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖ ଦିନ ବନ୍ଦ ରିହବ ବ୍ୟାଙ୍କ

Wed Jul 3 , 2024
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖ (ସୋମବାର) ଦିନ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ରାଜସ୍ଵ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ମଧ୍ୟ ବନ୍ଦ ରହିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଓ […]
ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖ ଦିନ ବନ୍ଦ ରିହବ ବ୍ୟାଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial