ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ

ସହରାଞ୍ଚଳ ବନ୍ୟା ମୁକାବିଲା

ଭୁବନେଶ୍ୱରରେ କୃତ୍ରିମ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ରହିଛି। ସହରାଞ୍ଚଳରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାର କିପରି ମୁକାବିଲା କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ପୌରାଞ୍ଚଳରେ ଥିବା ଡ୍ରେନ୍‌ଗୁଡ଼ିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଟକ, ଭୁବନେଶ୍ୱର ସମେତ ଅନ୍ୟ ସହରାଞ୍ଚଳରେ କିପରି ସହରାଞ୍ଚଳ ବନ୍ୟା ପରିଚାଳନା ଠିକ୍ ଭାବେ ହେବ ସେଥିପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ଭୁବନେଶ୍ୱରରେ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ବିଏମ୍‌ସି କର୍ତ୍ତୃପକ୍ଷ ୨୦୦କୋଟି ଟଙ୍କାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଜଳସଂପଦ ବିଭାଗ ରାଜ୍ୟରେ ଥିବା ସମସ୍ତ ଦୁର୍ବଳ ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି କରି‌ବେ। ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ବର୍ଷା ଦିନେ ସାପ କାମୁଡ଼ାର ଅଧିକ ସମ୍ଭାବନା ଥିବାରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରହିବ। ବୈଠକରେ ନିଷ୍ପତ୍ତି ହୋଇଛି ଯେ ଓଡ୍ରାଫ୍‌କୁ ଏକ ଉତ୍ସର୍ଗୀକୃତ ବାହିନୀ କରାଯିବା ସହ ଏହାର ଆଉ ୧୦ୟୁନିଟ ନୂଆ ସୃଷ୍ଟି କରାଯିବ। ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି। ଏଥିପାଇଁ ଆଉ ୨୦୦କୋଟି ଟଙ୍କା ବ୍ୟବସ୍ଥା କରାଯିବ। ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୫ଟି ଆଞ୍ଚଳିକ ଅଗ୍ନିଶମ ସେବା ହବ୍ ତୁରନ୍ତ କାର୍ଯ୍ୟକ୍ଷମ ହେବ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ନ ଯାଏ ସେଥିପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ଼ କରିବାକୁ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା‌ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ଜନସାଧାରଣଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ସାଂସଦ, ବିଧାୟକ ଓ ଅନ୍ୟ ସଦସ୍ୟମାନେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।

Share Now:

Kalinga News Beuro

Next Post

ଜୁଲାଇ ୨୨ରୁ ସଂସଦର ବଜେଟ୍ ଅଧିବେଶନ : ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

Sat Jul 6 , 2024
ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବୃଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା। ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତ […]
୨୩ରେ କେନ୍ଦ୍ର ବଜେଟ୍

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial