ବହୁତଳ ପାର୍କିଂରେ ଆର୍ଥିକ ଜୁଲମ : ବିଏମ୍‌ସି ଧାର୍ଯ୍ୟ ଦରଠାରୁ ୩/୪ ଗୁଣ ଅଧିକ ଦେୟ

ବହୁତଳ ପାର୍କିଂରେ ଆର୍ଥିକ ଜୁଲମ

ଭୁବନେଶ୍ବର: କାର୍‌ ପାର୍କିଂ ପାଇଁ ଆଗରୁ ଦେବାକୁ ପଡ଼ୁଥିଲା ୨ ଘଣ୍ଟାକୁ ୨୦ ଟଙ୍କା। ଏବେ ଦେବାକୁ ପଡ଼ିବ ତିନି ଗୁଣ ଅର୍ଥାତ ୬୦ ଟଙ୍କା। ବାଇକ୍‌ର ପାର୍କିଂ ଦେୟ ଥିଲା ୫ ଟଙ୍କା। ଏବେ ଦେବାକୁ ପଡ଼ିବ ସିଧା ୪ ଗୁଣ ଅର୍ଥାତ ୨୦ ଟଙ୍କା। ବହୁତଳ କାର୍‌ ପାର୍କିଂରେ ଗାଡ଼ି ରଖିଲେ ଏମିତି ଚଢ଼ା ଦରରେ ପାର୍କିଂ ଫି ଦେବାକୁ ପଡ଼ିବ। ଭୁବନେଶ୍ବରକୁ ସ୍ମାର୍ଟ କରିବାକୁ ଅଣ୍ଟା ଭିଡ଼ିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ସାଧାରଣ ଜନତାଙ୍କ ଉପରେ ଏମିତି ଆର୍ଥିକ ଜୁଲମ ଆରମ୍ଭ କରିଛି। ଏହାକୁ ନେଇ ସହରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇବାକୁ ସରକାରୀ ଅଧିକାରୀମାନେ ଏମିତି ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହେଉଛି। ବିଏମ୍‌ସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଏପରି କାରବାର ସମ୍ପୂର୍ଣ୍ଣ ପ୍ରକ୍ରିୟାର ସ୍ବଚ୍ଛତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ବିଏମ୍‌ସି ଧାର୍ଯ୍ୟ ଦରଠାରୁ ୩/୪ ଗୁଣ ଅଧିକ ଦେୟ
ବିଏମ୍‌ସିର ପାର୍କିଂ ଫି ହେଉଛି ଦୁଇ ଘଣ୍ଟାକୁ କାର୍‌ ପିଛା ୨୦ ଟଙ୍କା, ୨ରୁ୩ ଘଣ୍ଟାକୁ ୪୦, ୩ରୁ ୪ ଘଣ୍ଟାକୁ ୫୦ ଓ ୪ରୁ ୫ ଘଣ୍ଟାକୁ ୮୦ ଟଙ୍କା। ସେହିଭଳି ବାଇକ୍‌ ପାଇଁ ୨ ଘଣ୍ଟାକୁ ୫ ଟଙ୍କା, ୨ରୁ ୩ ଘଣ୍ଟାକୁ ୧୫, ୩ରୁ ୪ ଘଣ୍ଟା ପାଇଁ ୨୫ ଓ ୪ରୁ ୫ ଘଣ୍ଟା ପାଇଁ ୩୫ ଧାର୍ଯ୍ୟ ହୋଇଛି। କିନ୍ତୁ ବହୁତଳ କାର୍‌ ପାର୍କିଂ ଫି ମନଇଚ୍ଛା ନିର୍ଦ୍ଧାରଣ କରାଯାଇଛି। କାର୍‌ ପାଇଁ ଏକ ଘଣ୍ଟାକୁ ୪୦ ଟଙ୍କା ରହିଥିବା ବେଳେ ୨ ଘଣ୍ଟାକୁ ୬୦ ଟଙ୍କା ଓ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ରହିଲେ ସର୍ବାଧିକ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ବାଇକ୍‌ ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଦୁଇ ଘଣ୍ଟା ରହିଲେ ୪୦ ଓ ୪ ଘଣ୍ଟାରୁ ଅଧିକ ସମୟ ରହିଲେ ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ଭୁବନେଶ୍ବର ପରି ସହରରେ ଏତେ ପରିମାଣରେ ପାର୍କିଂ ଫି ଆଦାୟ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ବହୁ ସଚେତନ ନାଗରିକ ମତ ଦେଇଛନ୍ତି। ରାସ୍ତା ଉପରୁ ପାର୍କିଂ ହଟାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ବହୁତଳ କାର୍‌ ପାର୍କିଂର ପରିକଳ୍ପନା କରାଯାଇଥିଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହାର ଦାୟିତ୍ବ ନେଇଥିଲା। ସହରବାସୀ ଏହି ପଦକ୍ଷେପକୁ ସ୍ବାଗତ କରିଥିଲେ। ବହୁ ପ୍ରତୀକ୍ଷା ପରେ ଗତ ସପ୍ତାହରେ ସହିଦନଗର ବହୁତଳ କାର୍‌ ପାର୍କିଂ କାର୍ଯ୍ୟକ୍ଷମ ହୋଇଥିଲା। ଆସନ୍ତାକାଲିଠାରୁ ରାଜମହଲ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେବ। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ସ୍ବାର୍ଥକୁ କର୍ତ୍ତୃପକ୍ଷ ଯେ ସମ୍ପୂର୍ଣ୍ଣ ଆଖି ବୁଜି ଦେବେ, ତାହା କେହି କଳ୍ପନା କରି ନଥିଲେ। ପୂର୍ବରୁ ବିଏମ୍‌ସି ଧାର୍ଯ୍ୟ କରିଥିବା ପାର୍କିଂ ଦର ତୁଳନାରେ ଏଠାରେ ଢେର୍‌ ଅଧିକ ପାର୍କିଂ ଫି ଧାର୍ଯ୍ୟ କରାଯାଇଛି। ଅଭିଯୋଗ ହେଉଛି ଯେ ବହୁତଳ ପାର୍କିଂର ଦାୟିତ୍ବ ନେଇଥିବା ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇ ଏମିତି ଏକ ନିଷ୍ପତ୍ତି ନିଆଯାଇଛି। ବହୁତଳ ପାର୍କିଂ ସ୍ଥଳରେ ଉପର ମହଲାରେ ହୋଇଥିବା‌ ଘର ବାଣିଜ୍ୟିକ ବ୍ୟବହାର ହେଉଛି। ଏଥିରୁ ଭଡ଼ା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଛି। ଏଣୁ ସାଧାରଣ ଲୋକଙ୍କ ଉପରେ ପାର୍କିଂ ଦେୟ ବୋଝ ନ ଲଦି ଦେଇ ବିଏମ୍‌ସି ଧାର୍ଯ୍ୟ ଦର ଅନୁଯାୟୀ ବିଏସ୍‌ସିଏଲ୍‌ ନେବା ଉଚିତ ବୋଲି କେତେକ ମତ ଦେଇଛନ୍ତି। ଗାଡ଼ି ରଖିବାକୁ ଲୋକମାନେ ଏଭଳି ଖର୍ଚ୍ଚାନ୍ତ ହେଲେ ରାସ୍ତା କଡ଼ରେ ବେଆଇନ ପାର୍କିଂ ବଢ଼ିବା ସହ ଏହି ପାର୍କିଂ ସ୍ଥଳ ନିର୍ମାଣ ଉଦ୍ଦେଶ୍ୟ ପୂରଣ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। କେବଳ ଦର ପାଇଁ ଅଭିଯୋଗ ନୁହେଁ, ବରଂ ପାକିଂ ସ୍ଥଳରୁ ସହିଦନଗରର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଶିକ୍ଷାନୁଷ୍ଠାନକୁ ଆସିବାକୁ ହେଲେ ବହୁ ଦୂର ପର୍ଯ୍ୟନ୍ତ ଚାଲିବାକୁ ହେଉଛି। ବରି‌ଷ୍ଠ ନାଗରିକଙ୍କ ପାଇଁ ଏହା ସମସ୍ୟା ହେଉଛି। ପାର୍କିଂ ସ୍ଥଳରୁ ଇ-ଅଟୋ କିମ୍ବା ମୋ ସାଇକେଲ୍‌ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ତେବେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଉଛି, ବାହାରେ ବା ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ହେଉଥିବା ଜାଗାରେ ଖରାବର୍ଷାରେ ଗାଡ଼ି ପଡ଼ି ରହୁଛି। ଅନେକ ସମୟରେ ବେପରୁଆ ଗାଡ଼ି ଚାଳନା ଯୋଗୁ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଗାଡ଼ି ଦୁର୍ଘଟଣାରେ ଭାଙ୍ଗି ରୁଜି ଯିବା ଆଶଙ୍କା ରହିଛି। ହଠାତ୍‌ ବର୍ଷାରେ ପାଣି ଜମିଗଲେ କ୍ଷୟକ୍ଷତିର ଆଶଙ୍କା ରହିଛି। ବହୁତଳ ପାର୍କିଂ ସ୍ଥଳରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଥିବା ବେଳେ ବିଶ୍ରାମ ନେବା ପାଇଁ ଚୌକିର ବ୍ୟବସ୍ଥା ରହିଛି। ସୁରକ୍ଷା କର୍ମୀଙ୍କ କଡ଼ା‌ ପହରା ସହ ସିସିଟିଭି ରହିଥିବାରୁ ଗାଡ଼ିର ସୁରକ୍ଷା ନିଶ୍ଚିତ କରାଯାଇଛି। ବଡ଼କଥା ହେଉଛି ଗାଡ଼ି ଘରୁ ବାହାରିବା ପୂର୍ବରୁ ଏଠାରେ ପାର୍କିଂ ଜାଗା ଅଗ୍ରୀମ ବୁକିଂ କରିବା ବ୍ୟବସ୍ଥା ରହିଛି। ସେହିଭଳି ନଗଦ ସହ ଅନ୍‌ଲାଇନ୍‌ ପେମେଣ୍ଟ ବ୍ୟବସ୍ଥା ରହିଛି। ଆସନ୍ତା ତିନିବର୍ଷ ଯାଏ ଦର ବଢ଼ିବା ଆଶଙ୍କା ମଧ୍ୟ ନାହିଁ। ଅପର ପକ୍ଷରେ ଯେଉଁ ଜାଗାରେ ବହୁତଳ କାର୍‌ ପାର୍କିଂ ହୋଇଛି ସେଠାରେ ରାସ୍ତା କଡ଼ରେ ପାର୍କିଂ ବନ୍ଦ କରିଛି ବିଏମ୍‌ସି। ଆଜି ଠାରୁ ସହିଦନଗର ଅଞ୍ଚଳରେ ପୁଲିସ ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆସନ୍ତାକାଲି ଠାରୁ ରାଜମହଲ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିପାଇଁ ୟୁନିଟ୍‌-୧ ଓ ୟୁନିଟ୍‌-୨ ଅଞ୍ଚଳରେ ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ବନ୍ଦ କରିବାକୁ ଠିକା ସଂସ୍ଥାଙ୍କୁ ବିଏମ୍‌ସି ଚିଠି ଲେଖିଛି। ଉଭୟ ପାର୍କିଂ ସ୍ଥଳ କିଭଳି ଶତପ୍ରତିଶତ କାର୍ଯ୍ୟକ୍ଷମ ହେବ, ବାହାରେ ବେଆଇନ ପାର୍କିଂ ହେବ ନାହିଁ ସେ ନେଇ ବିଏମ୍‌ସି ଜୋର୍‌ ଦେଇଛି।

Share Now:

Kalinga News Beuro

Next Post

ସୀମା ଟପିଲା ବର୍ବରତା : ଥାନା ଅଧିକାରୀଙ୍କ ନିସ୍ତୁକ ମାଡ଼ରେ କନ୍ଧମାଳର ବ୍ୟବସାୟୀ ଲହୁଲୁହାଣ

Fri Dec 2 , 2022
ଘୁ.ଉଦୟଗିରି: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପୁଲିସର ଅମାନବୀୟତା ଓ ବର୍ବରତା ସବୁ ସୀମା ଟପି ଯାଇଛି। କୌଣସି କାରଣ ନ ଥାଇ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କୁଆଡେ କିଛି ପୁଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହରର କନ୍ୟାଶ୍ରମ ରୋଡରେ ରହୁଥିବା କପଡ଼ା ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ […]
ସୀମା ଟପିଲା ବର୍ବରତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial