ଟ୍ରକ୍‌ ମାଲିକ ସଂଘର ବିକ୍ଷୋଭ : ୨ ବର୍ଷର ଟିକସ ଛାଡ଼ ଦାବି

ଗର୍ଜିଲା ଟ୍ରକ୍‌ ମାଲିକ ସଂଘ

ପରିବହନ କମ୍ପାନି, ଖଣି ମାଲିକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ

ଭୁବନେଶ୍ବର: ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ଶିଳ୍ପ ଓ ଖଣି କାରବାର ଅଚଳ ହୋଇପଡ଼ିଥିବାରୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର ଟ୍ରକ୍‌ ମାଲିକମାନେ। ଟ୍ରକ୍‌ ଚଳାଚଳ ଏକ ପ୍ରକାର ବନ୍ଦ ହୋଇପଡ଼ିଥିବାରୁ ବିଭିନ୍ନ ଟିକସ, ବୀମା ଆଦି ପଇଠ କରିବାକୁ ଯାଇ ରାଜ୍ୟର ୮୦ ହଜାର ଟ୍ରକ୍‌ ମାଲିକ ହନ୍ତସନ୍ତ ହେଉଛନ୍ତି। ତେଣୁ ୬ ଦଫା ଦାବି ନେଇ ଗତକାଲି ରାଜ୍ୟ ଟ୍ରକ୍‌ ମାଲିକ ସଂଘ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ରୋଡ୍‌ ଟିକସ ଛାଡ଼, ଭିସିଆର୍‌ ଦୁଇ ବର୍ଷ ପାଇଁ ବନ୍ଦ, ସାରା ରାଜ୍ୟରେ ଗୋଟିଏ ଧାର୍ଯ୍ୟ ଭଡ଼ା ଲାଗୁ, ଟ୍ରକ୍‌ କର୍ମଚାରୀମାନଙ୍କୁ ମହାମାରୀକାଳୀନ ସହାୟତା ଆଦି ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁସାରେ ମାଲ୍‌ ପରିବହନ ବହୁ ମାତ୍ରାରେ କମିଯାଇଛି। ଜରୁରୀକାଳୀନ ମାଲ୍‌ ପରିବହନ ପାଇଁ କିଛି ଟ୍ରକ ଯାତାୟାତ କରୁଛନ୍ତି। ଖଣି ଖନନ ହ୍ରାସ ପାଇଥିବାରୁ ୭୦ ଭାଗ ମାଲ୍ ରେଳ ଦ୍ବାରା ପରିବହନ କରାଯାଉଛି। ତେଣୁ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ ଚଳାଚଳ ବନ୍ଦ ହୋଇଯିବାରୁ ଉଭୟ ମାଲିକ ଓ କର୍ମଚାରୀଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ଟ୍ରକ୍‌ ମାଲିକମାନେ ବ୍ୟାଙ୍କ କିସ୍ତି ପରିଶୋଧ କରିପାରୁନାହାନ୍ତି। ଏଥିସହିତ ରୋଡ୍‌ ଟିକସ, ବୀମା, ପରମିଟ୍‌, ପ୍ରଦୂଷଣ ପତ୍ର ବାବଦରେ ସେମାନଙ୍କୁ ମରିପଡ଼ି ହଜାର ହଜାର ଟଙ୍କା ଗଣିବାକୁ ପଡ଼ୁଛି। କେବଳ ବୀମା ବାବଦରେ ୮୫ ହଜାର ଟଙ୍କା ଗଣିବାକୁ ପଡ଼ୁଛି। ରୋଜଗାର ନଥିବା ବେଳେ ବ୍ୟାଙ୍କ କିସ୍ତି, ବୀମା ଓ ଟିକସ ବାବଦ ଲକ୍ଷ ଲକ୍ଷ ଟଙ୍କା ପଇଠ କରିବାକୁ ପଡ଼ୁଛି। ତେଣୁ ଟିକସ, ଜରିମାନା ଓ ଭିସିଆର୍ ୨ ବର୍ଷ ପାଇଁ ବନ୍ଦ କରାଯାଉ ବୋଲି ସଂଘ ଦାବି କରିଛି।
ଅପରପକ୍ଷରେ ଖଣି ମାଲିକମାନେ ବାହାର ଜିଲ୍ଲାର ଟ୍ରକ ମାଲିକମାନଙ୍କୁ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ଭଡ଼ା ଦେଉଛନ୍ତି। ଲୋଡିଂ ଓ ଅନ୍‌ଲୋଡିଂ ଖର୍ଚ୍ଚ ଖଣି ମାଲିକ ବା ପରିବହନକାରୀ ସଂସ୍ଥା ବହନ କରିବା ନିୟମ ଥିଲେ ମଧ୍ୟ ବାହାର ଟ୍ରକ୍‌ ମାଲିକଙ୍କଠାରୁ ଆଦାୟ କରାଯାଉଛି ବୋଲି ଅଭିଯୋଗ ହେଉଛି।। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବା ପାଇଁ ସଂଘ ଦାବି କରିଛି। ପ୍ରତି କିଲୋମିଟର କିମ୍ବା ପ୍ରତି ଟନ୍ ହିସାବରେ ଗାଡ଼ି ଭଡ଼ା ଦେବା, ଦୁଇ ବର୍ଷ ପାଇଁ ବ୍ୟାଙ୍କ କିସ୍ତିରେ ମୋରାଟୋରିୟମ ଲାଗୁ କରିବା ସହ ଫାଇନାନ୍ସ କର୍ମଚାରୀଙ୍କ ଗାଡ଼ି ଭିଡ଼ା ନୀତିକୁ ବନ୍ଦ କରିବା, ଟୋଲ୍‌ ଚାର୍ଜରେ ରିହାତି ଦେବା ଓ ଟ୍ରେନ୍‌ରେ ମାଲ୍‌ ପରିବହନ ବନ୍ଦ କରି ଟ୍ରକ ମାଲିକମାନଙ୍କୁ ପରିବହନ ସୁଯୋଗ ପ୍ରଦାନ ପାଇଁ ସଂଘ ଦାବି କରିଛି। ଏହି ଅବସରରେ ସଂଘ ସଭାପତି ପୁରଞ୍ଜନ ପାଢୀ କହିଛନ୍ତି ବନ୍ଦ ଥିବା ଖଣି ଖନନ ପୁଣି ଚାଲୁ କରିବା ସହ ପରିବହନ କମ୍ପାନି ଏବଂ ଖଲିମାଲିକଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

Share Now:

Kalinga News Beuro

Next Post

ଆଫଗାନ୍‌ ବାୟୁସେନାର ଆକ୍ରମଣ : ୧୦୦ ତାଲିବାନୀ ନିପାତ

Wed Aug 11 , 2021
ଆଫଗାନିସ୍ତାନ: ଆମେରିକା ସମର୍ଥିତ ଆଫଗାନ ବାୟୁସେନା ଗତ କାଲି ଦେଶର ବିଭିନ୍ନ ପ୍ରଦେଶରେ ତାଲିବାନମାନେ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ​​ଏଥିରେ ୧୦୦ ରୁ ଅଧିକ ତାଲିବାନୀ ନିପାତ ହୋଇଛନ୍ତି। ସୋମବାର ହେଲମାନ୍ଦ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ରାତିରେ ଡାନ୍ଦ, ଜେରିଆ, ତାଖଟାପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରରେ ଥିବା ଏଏନଡିଏସଏଫ ଅପରେସନକୁ ସମର୍ଥନ କରି […]
ଆଫଗାନ୍‌ ବାୟୁସେନାର ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial