କଳିଙ୍ଗନଗର ହେବ ଇସ୍ପାତ ରାଜଧାନୀ :ମୁଖ୍ୟମନ୍ତ୍ରୀ

ଯାଜପୁର ପୌରପାଳିକାର ଦେଢ଼ଶହ ବର୍ଷ ପୂର୍ତ୍ତିି ଉତ୍ସବ
ଜିଲ୍ଲା ପାଳିଲା ରୌପ୍ୟ ଜୟନ୍ତୀ, ଲକ୍ଷାଧିକ ଲୋକ ସାମିଲ

ଯାଜପୁର : ଯାଜପୁର ଏକ ଗୁରୁତ୍ଵପୂର୍ଣ୍ଣ ଜିଲ୍ଲା। ଯାଜପୁର ଜିଲ୍ଲାରେ କୃଷି ଓ ଶିଳ୍ପର ବିକାଶ ହୋଇଛି। ବିଜୁବାବୁ ବିକାଶ ପାଇଁ ନୂତନ ଜିଲ୍ଲା ଗଠନ କରିବା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାପନ କରିଥିଲେ। ସେ ଯେଉଁ ଛୋଟ ଗଛ ଲଗାଇଥିଲେ, ତାହା ଆଜି ବିରାଟ ଦ୍ରୁମରେ ପରିଣତ ହୋଇଛି। କଳିଙ୍ଗନଗର ଆଜି ୩୫ ଶତକଡ଼ା ଇସ୍ପାତ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଇସ୍ପାତ ରାଜଧାନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଯାଜପୁର ପୌରପାଳିକାର ୧୫୦ତମ ବାର୍ଷିକ ଉତ୍ସବ ଓ ୨୫ତମ ଜିଲ୍ଲା ପ୍ରତିଷ୍ଠା ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଉଦ୍‌ଘାଟନ କରି ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍‌ଣରେ ମିନିଷ୍ଟାଡ଼ିୟମ୍‌ରେ ପହଞ୍ଚିବା ପରେ ଏକକାଳୀନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶିଶୁ ଓ ପ୍ରସୂତି କାଳୀନ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର(ସଠିପୁର), ଅତ୍ୟାଧୁନିକ ବସ୍‌ଟର୍ମିନାଲ୍‌, ନୂତନ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଶିଳାନ୍ୟାସ କରିଥିଲେ। ପରେ କୁସୁମା ପୋଖରୀ ଓ ପ୍ରମୋଦ ଉଦ୍ୟାନକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁସୁମାର ସୌନ୍ଦର୍ଯ୍ୟମୟ ପରିବେଶ ବୁଲି ଦେଖିଥିଲେ। ପରେ ଯାଜପୁର ପୌରପାଳିକାର ୧୫୦ତମ ସ୍ମାରକୀକୁ ଉନ୍ମୋଚନ କରିିଥିଲେ। ବାଳାଶ୍ରମ ପଡ଼ିଆରେ ଆୟୋଜିତ ପୂର୍ତ୍ତିି ଉତ୍ସବକୁ ଶେଷରେ ଉଦ୍‌ଘାଟନ କରିଥିଲେ।

ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ଆଜିର ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଓ ପରିଚାଳକ ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଶାସକ ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ଶତପଥୀ, ସାଂସଦ ରୀତା ତରାଇ, ବିଂଝାରପୁର ବିଧାୟିକା ପ୍ରମିଳା ମଲିକ, ବରୀ ବିଧାୟକ ଦେବାଶିଷ ନାୟକ, ସୁକିନ୍ଦା ବିଧାୟକ ଇଂଜିନିୟର ପ୍ରୀତିରଂଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଜିଲ୍ଲା ପରିଷଦ ସଭାପତି ନରେଶ ମହାନ୍ତି ପ୍ରମୁଖ ଯୋଗଥିଲେ।

ଏହି ବ୍ୟାପକ ଓ ବିଶାଳ କାର୍ଯ୍ୟକ୍ରମ ଦ୍ଵାରା ପୌରାଣିକ ଓ ଐତିହ୍ୟ ପୀଠ ଯାଜପୁର ସହିତ ଆଧୁନିକତା ଓ ବିକାଶ ଯୋଡି ହୋଇଯାଇଛି। ଯାଜପୁରରେ ଆରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟକ୍ରମ ରାଜ୍ୟର ନମୁନା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉତ୍ସବକୁ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଓ ଗୁନୁଗୁନୁ ସଂଯୋଜନା କରିଥିଲେ। ଉତ୍ସବରେ ଯାଜପୁର ଜିଲ୍ଲା ସଂପର୍କିତ ତଥ୍ୟ ଭିତ୍ତିକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟଅତିଥିଙ୍କ ସହିତ ସମ୍ମାନିତ ଅତିଥିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ।
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ମ୍ୟୁନିସ୍‌ପାଲଟିର ଚେୟାରମ୍ୟାନ ଭବ ପ୍ରସାଦ ଦାସ, ବରିଷ୍ଠ ପାରିଷଦ ସନ୍ତୋଷ ମଲିକ, ବିଜୟ ମହାନ୍ତିଙ୍କ ସମେତ ସମସ୍ତ କାଉନ୍‌ସିଲର, ସ୍ୱେଚ୍ଛାସେବୀ ପରିଚାଳନାରେ ସହଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହଜାର ହଜାର ପୁରୁଷ, ମହିଳା ଓ ଯୁବକ/ଯୁବତୀ ରାସ୍ତା କଡ଼ରେ ଛିଡ଼ା ହୋଇ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାଂସ୍କୃତିକ ସଂଗଠନ ସାମିଲ ହୋଇ ନୃତ୍ୟଗୀତ ପରିବେଷଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ସତର୍କ ସୂଚନା ଦେଲେ ମନ୍ତ୍ରୀ : ଆଳୁ ଦର ୪୦ ଛୁଇଁପାରେ

Mon Mar 26 , 2018
ଭୁବନେଶ୍ୱର : ସପ୍ତାହକ ତଳେ ଆଳୁ ଦର ଥିଲା ୭/୮ ଟଙ୍କା। ଏବେ ଦୁଇ ଗଣ ବଢ଼ି ୧୫ ଛୁଇଁଲାଣି। ଏତିକିରେ ସୀମିତ ରହିବନି ଆଳୁ ଦର। ଆହୁରି ବଢ଼ିବ। ଏପରିକି ୩/୪ ମାସ ଭିତରେ ୪୦ ଛୁଇଁଯାଇପାରେ। ଖୋଦ୍‌ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏପରି ଆଶଙ୍କା ପ୍ରକଟ କରିଛନ୍ତି। ଏହି ଦର ବୃଦ୍ଧି ସମ୍ପର୍କରେ ଆଗୁଆ ସରକାର ସଚେତନ ଅଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial