ଏଗାର ବର୍ଷରେ କମିସନରେଟ୍‌ ପୁଲିସ : ଏଥର ‘ଆମ ପୁଲିସ, ଆମ ସୁରକ୍ଷା’, ଆଜି ଦାୟିତ୍ୱ ନେବେ ଏସ୍‌ପିଓ

ଭୁବନେଶ୍ୱର : କମିସନରେଟ୍‌ ପୁଲିସକୁ ପୂରିଛି ୧୧ ବର୍ଷ। ୧୯୯୮ ମସିହାରେ ଏଥିପାଇଁ ଚିଠା ପ୍ରସ୍ତୁତ ହୋଇଥିବା ବେଳେ ୨୦୦୮ ନୂଆବର୍ଷ ଦିନ କାର୍ଯ୍ୟକ୍ଷମ ହୋଇଥିଲା। ୧୧ ବର୍ଷ ଧରି ଟୁଇନ ସିଟିର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ କମିସନରେଟ୍‌ ପୁଲିସ ଉଦ୍ୟମ ଅବ୍ୟାହତ ରଖିଛି। କେତେକାଂଶରେ ସଫଳ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଅପରାଧୀ ପୁଲିସକୁ ଚକ୍‌ମା ଦେଇଛନ୍ତି। ପ୍ରଥମ ପୁଲିସ କମିସନର ବିନୟ ବେହେରାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁ ଦିଗରେ ସଫଳ ‌ହେବାକୁ ଉଦ୍ୟମ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଯୋଜନା ହୋଇଛି। ହେଲେ କୌଣସି ଯୋଜନା ଉଲ୍ଲ‌େଖନୀୟ ସଫଳତା ପାଇ ନାହିଁ। ମହିଳାଙ୍କ ସୁରକ୍ଷା ପ‌ାଇଁ ପରିକଳ୍ପନା କରାଯାଇଥିବା ‘ନିର୍ଭୟା’ ଯୋଜନା ସଫଳ ହୋଇ ନ ଥିବା ବେଳେ ଆସନ୍ତାକାଲିଠାରୁ ‘ଏସ୍‌ପିଓ’(ସ୍ୱତନ୍ତ୍ର ପୁଲିସ ଅଫିସର) କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମହିଳାଙ୍କ ସୁରକ୍ଷା ନିମନ୍ତେ ୩ଶହ ଯୁବତୀ ନିଯୁକ୍ତି(ଅବୈତନିକ) ପାଇବା ସହ ଶପଥ ନେବାକୁ ଯାଉଥିବା କମିସନରେଟ୍‌ ପୁଲିସ ସୂଚନା ଦେଇଛି। ଅନ୍ୟପଟେ ‘ୱି କେୟାର, ୱି ଡେୟାର’ ସ୍ଲୋଗାନ୍‌ ନେଇ ଆରମ୍ଭ ହୋଇଥିବା କମିସନରେଟ୍‌ ପୁଲିସର ସ୍ଲୋଗାନ୍‌ ବଦଳିଛି। ଏହା ଏବେ ‘ଆମ ପୁଲିସ, ଆମ ସୁରକ୍ଷା’ ହୋଇଛି। ନିର୍ଭୟା ଯୋଜନାରେ ମହିଳା ଶିକ୍ଷାନୁଷ୍ଠାନ, ସପିଂ ମଲ୍‌, ବସ୍‌ ଷ୍ଟପ୍‌ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ପାଖାପାଖି ୨ହଜାର ସିସିଟିଭି କ୍ୟାମେରା ଖଞ୍ଜାଯାଇ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବା ସ୍ଥିର କରାଯାଇ ଥିଲା‌। ଏଥିପାଇଁ ଜାଗା ଚିହ୍ନଟ ମଧ୍ୟ ହୋଇଥିଲା। ସେହିଭଳି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସମର୍ପିତ ପିସିଆର ଭ୍ୟାନ୍‌ ‘ଶକ୍ତି’ କାର୍ଯ୍ୟକ୍ଷମ ହେବାକୁ ଯୋଜନା ଥିଲା। ଏଥିରେ ୫୦ ପ୍ରତିଶତ ମହିଳା ପୁଲିସ ରହିବାକୁ ବ୍ୟବସ୍ଥା ଥିଲା। ମହିଳାମାନେ କୌଣସି ବିପଦର ସମ୍ମୁଖୀନ ହେଲେ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଏହି ପିସିଆର ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ସ୍ଥିର କରାଯାଇଥିଲା। ମହିଳାଙ୍କ ପାଇଁ ଏକ ସମର୍ପିତ ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ମଧ୍ୟ ଥିଲା। ଆହୁତ(ମାନବ ଚାଲାଣ ନିରୋଧ ୟୁନିଟ୍‌), ମହିଳା ଥାନା ଓ ମାଧ୍ୟମ କାଉନ୍‌ସେଲିଂ କେନ୍ଦ୍ର ଭଳି ମହିଳା ସମସ୍ୟା ସମ୍ବନ୍ଧୀୟ ୟୁନିଟକୁ ଏକାଠି କରି ଗୋଟିଏ ଛାତ ତଳେ ରଖିବା ପାଇଁ ପରିକଳ୍ପନା କରାଯାଇଥିଲା। କିନ୍ତୁ ଏସବୁ କେବଳ ଯୋଜନାରେ ଅଟକିଛି। ଏବେ ୩ଶହ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ମହିଳାଙ୍କ ସୁରକ୍ଷା ପାଇଁ ଏସ୍‌ପିଓ ଭାବରେ ନିଯୁକ୍ତି ଦିଆଯାଇଛି। ଆସନ୍ତାକାଲି ଏମାନେ ବିଧିବଦ୍ଧ ଭାବରେ ଦାଇତ୍ୱ ଗ୍ରହଣ କରିବେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାଧାରଣ ଜନତାଙ୍କ ସୁରକ୍ଷା‌ ଓ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ନିରନ୍ତର ପ୍ରୟାସ ଜାରି ରଖିଛି। ଆଗକୁ ଆମ ପାଇଁ ଯେଉଁ ସମସ୍ୟା ରହିଛି ତାହା ହେଉଛି ଟ୍ରାଫିକ୍‌ ଓ ଆଇନ ଶୃଙ୍ଖଳା।

Share Now:

Kalinga News Beuro

Leave a Reply

Next Post

ମହାରାଷ୍ଟ୍ର ସରକାରରେ ବିଭାଗ ବଣ୍ଟନ:କନ୍ଦଳ ବଢ଼ିଲା

Fri Jan 3 , 2020
ମୁମ୍ବାଇ: ମହାରାଷ୍ଟ୍ରରେ ଗତ ସୋମବାର ଦିନ ମନ୍ତ୍ରିମଣ୍ଟଳ ସମ୍ପ୍ରସାରଣ ହେବାପରଠାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି। ୩ ଦଳର ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନା ମଧ୍ୟ ଆଜି ଏହା ସ୍ୱୀକାର କରିଛି। କଂଗ୍ରେସ ବିଧାୟକ ସଂଗ୍ରାମ ଥୋପ୍‌ତେଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାରୁ ଲୋକେ ପୁନେର କଂଗ୍ରେସ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଶିବସେନା ଏବଂ ଏନ୍‌ସିପିରେ ମଧ୍ୟ ଅସନ୍ତୋଷ ଦେଖିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial