୩୧ରେ ବଡ଼ କାଳବୈଶାଖୀ: ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବିଜୁଳି,ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ କମିବାରେ ଲାଗିଥିବା ବେଳେ କାଳବୈଶାଖୀ ତାଣ୍ଡବ ଆରମ୍ଭ ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୩୧ ତାରିଖ ଦିନ ବଡ଼ କାଳବୈଶାଖୀର ସମ୍ଭାବନା ରହିଛି। ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ଆଶଙ୍କା କରାଯାଉଛି। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଦିନ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ମେ’ ୩୦, ଜୁନ୍‌ ୧ ଓ ୨ତାରିଖ, ୩ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ରାଜ୍ୟର ତାପମାତ୍ରା ଧୀରେଧୀ‌‌ରେ କମିବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କିନ୍ତୁ ତାପମାତ୍ରା ୪୦ଡିଗ୍ରି ଉପରେ ରହିବ। ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଶନିବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ୩୧ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଖୋର୍ଧା ଓ କନ୍ଧମାଳ ଆଜି ଜିଲ୍ଲାରେ ଜୋର୍‌ରେ ପବନ ବହିବା ସହ ବର୍ଷା ହେବ। ଏଥିସହ ଗଜପତି, ଗଞ୍ଜାମ, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କା‌ନାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। କାଳବୈଶାଖୀଜନିତ କ୍ଷୟକ୍ଷତି ନେଇ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯିବା ସହ ଏ‌ସବୁ ଜିଲ୍ଲାରେ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ଜୁନ୍‌୧ ଓ ୨ତାରିଖରେ ଯଥାକ୍ରମେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଏବଂ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତରାତିର କାଳବୈଶାଖୀ ଯୋଗୁଁ ଆଜି ଖୋର୍ଧା, କଟକ ଓ ପୁରୀ ଜିଲ୍ଲାର ତାପମାତ୍ରା କମିଛି। ଆଜି ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୩.୩ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରି ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବା ସହ ଝଡ଼ବର୍ଷା ହେବାର ବି ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

‘ବନ୍ଦେ ଉତ୍କଳ ଜନନୀ’ ପାଇଁ କମିସନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି : ୩ ମିନିଟ୍‌ ପୂର୍ବରୁ ଟ୍ରାଫିକ ପୋଷ୍ଟରେ ରେଡ୍ ସିଗନାଲ୍‌

Sat May 30 , 2020
ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲାଗି ଆଜି ଅପରାହ୍‌ଣ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ବ୍ୟାପକ ପ୍ରସ୍ତୁତି ହୋଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ସବୁ ପ୍ରମୁଖ ଟ୍ରାଫିକ ଛକରେ ସଙ୍ଗୀତ ଗାନ କରାଯିବ। ଠିକ୍ ଏହାର ୩ ମିନିଟ ପୂର୍ବରୁ ଅର୍ଥାତ୍ ୫ଟା ୨୭ରେ ଟ୍ରାଫିକ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial