ନଦୀ ପାର୍‌ ବେଳେ ଟାଣିନେଲା କୁମ୍ଭୀର: ୫ ଘଣ୍ଟା ପରେ ମଇଁଷିଆଳଙ୍କ ମୃତଦେହ ଉଦ୍ଧାର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ସାତଭାୟା ପ୍ରବେଶ ପଥରେ ରହିଛି ବାଉଁଶଗଡ଼ି ନଈ। ନଈଟି କମ୍‌ ଓସାରର ସିନା ପାଣି ଭିତରେ କୁମ୍ଭୀର ହାଉଯାଉ। ସେହି ନଈରେ ଆଜି ଜଣେ ମଇଁଷିଆଳଙ୍କୁ କୁମ୍ଭୀର ଟାଣି ନେଇଛି। ସେ ମଇଁଷି ଲାଞ୍ଜ ଧରି ନଦୀ ପାର୍‌ ହେଉଥିବାବେଳେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ, ସାତଭାୟା ଗାଁର ରଂଜନ ମହାନ୍ତି (୪୦ବର୍ଷ)। ୫ ଘଣ୍ଟା ପରେ ରଂଜନଙ୍କୁ ଉଦ୍ଧାର କରାଯାଇଥିବାବେଳେ ତାଙ୍କ ଗୋଟିଏ ଗୋଡ଼, ଗୋଟିଏ ହାତ ନଥିବା ଦେଖିବାକୁ ମିଳିଛି। ରାଜନଗର ବ୍ଲକ୍‌ ସାତଭାୟାର ରଂଜନ ମହାନ୍ତି ଓ ତାଙ୍କ ଭାଇ ବାସୁଆ ଗୁପ୍ତି ଓକିଲପାଳ ପଟୁ ମଇଁଷିମାନଙ୍କୁ ସାତଭାୟାକୁ ପାର କରାଉଥିଲେ। ରଂଜନଙ୍କ ବଡ଼ଭାଇ ବାସୁଆ ପ୍ରଥମେ ୩୦ଟି ମଇଁଷି ନଈରେ ପାର କରାଇବା ସହ ନିଜେ ଡଙ୍ଗାରେ ବସି ପାର ହୋଇଥିଲେ। ବାସୁଆ ଅଧାନଈରେ ହୋଇଥିବା ବେଳେ ସାନଭାଇ ରଂଜନ ଆଉ ୩୦ଟି ମଇଁଷିଙ୍କୁ ନେଇ ବାଉଁଶଗଡ଼ ଘାଟ ନିକଟରେ ପହଁଚିଥିଲେ। ନଈରେ ମଇଁଷିଙ୍କୁ ପାର କରାଇବା ପାଇଁ ପହଁରାଇବା ସହିତ ରଂଜନ ନିଜେ ଏକ ମଇଁଷିର ଲାଞ୍ଜ ଧରି ପହଁରିବା ଆରମ୍ଭ କରିଥିଲେ। ଘାଟିଆ କରୁଣାକର ବେହେରା ଏହା ଦେଖି ତାଙ୍କୁ ବାରଣ କରିଥିଲେ। ‘ମୁଁ ଛାଡି ଦେଇ ଫେରି ଆସୁଛି, ଅପେକ୍ଷା କର’ ବୋଲି କହିଥିଲେ ମଧ୍ୟ ରଂଜନ ଶୁଣି ନଥିଲେ। କୁମ୍ଭୀର କୁଆଡ଼େ ମଇଁଷିପଲ ନିକଟକୁ ଭୟରେ ଆସେ ନାହିଁ ବୋଲି ଏହି ଅଞ୍ଚଳରେ ଲୋକକଥା ରହିଛି। ସେହି ବିଶ୍ବାସରେ ରଂଜନ ମଇଁଷିର ଲାଞ୍ଜ ଧରି କୁମ୍ଭୀର ହାଉଯାଉ ବାଉଁଶଗଡ଼ ନଈରେ ପହଁରିବା ଆରମ୍ଭ କରିଥିଲେ। କୂଳଠୁଁ ମାତ୍ର ୨/୪ ଫୁଟ ଯିବା ପରେ ରଂଜନ ଆଉ ନଈରେ ଦେଖାଯାଇ ନଥିଲେ। ମଇଁଷି ସହିତ ରଂଜନ ନଥିବା ଦେଖି ସେ କୁଆଡେ ଗଲେ ବୋଲି ଘାଟିଆ କରୁଣାକର ଏଣେ ତେଣେ ନଜର ପକାଇଥିଲେ। ଏହି ସମୟରେ ଏକ ୧୬/୧୭ ଫୁଟ ଲମ୍ବର ବିରାଟକାୟ ବଉଳାକୁମ୍ଭୀର ରଂଜନଙ୍କୁ ଟାଣି ନେଇ କୃଷ୍ଣପ୍ରିୟାପୁର ପଟକୁ ଚାଲିଯାଉଥିବା ସେ ଦେଖିଥିଲେ। କରୁଣାକର ଚିତ୍କା‌ର କରିଥିଲେ ମଧ୍ୟ କୁମ୍ଭୀର ରଂଜନଙ୍କୁ ଟାଣି ନେଇ ପଳାଇଥିଲା। ସେତେବେଳେ ନଈରେ ପୂର୍ଣ୍ଣ ଜୁଆର ଥିବାରୁ ଓ ଜୁଆର ପାଣି ଭିତରକନିକା ଜଙ୍ଗଲ ସାରା ଉଛୁଳିକି ଥିବାରୁ ରଂଜନଙ୍କୁ ଖୋଜିବାରେ ସମୟ ଲାଗିଥିଲା। ବନବିଭାଗର ୨ଟି ବୋଟ୍‌ ସହାୟତାରେ ଫରେଷ୍ଟର ପଦ୍ମନାଭ ରାଉତ, ପ୍ରଦୀପ ସ୍ବାଇଁ, ମହନ୍ତ କୁମାର ମଲ୍ଲିକ ଫରେଷ୍ଟଗାର୍ଡ ରଂଜନ କୁମାର ପାଣି ଓ ସ୍ଥାନୀୟ ଲୋକେ ବାଉଁଶଗଡ଼ ନଈରେ ରଂଜନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ୫ଘଣ୍ଟା ପରେ ଅଙ୍ଗାରି କ୍ରିକ୍‌ ନିକଟରୁ ରଂଜନଙ୍କ ମୃତଦେହ ମିଳିଥିଲା। ତାଙ୍କ ବାମହାତ ଓ ଡାହାଣ ଗୋଡ଼କୁ କୁମ୍ଭୀର ସମ୍ପୂର୍ଣ୍ଣ ଛିଣ୍ଡାଇ ନେଇ ଯାଇଥିବା ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ଶବଟିକୁ କୂଳକୁ ଅଣାଯିବା ପରେ ପୁଲିସ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share Now:

Kalinga News Beuro

Next Post

ବାଃ ବାଃରେ ସେଲ୍‌ଫି ନିଶା: କାଠଯୋଡ଼ିକୁ ଖସିପଡ଼ିଲେ ମା ଝିଅ

Thu Jul 9 , 2020
ବାରଙ୍ଗ : ବେପରୱା ଭାବେ ଯେଉଁଠି ନାହିଁ ସେଠି ସେଲ୍‌ଫି ନେବା କେତେ ଯେ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ, ତାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି କଟକରେ। କାଠଯୋଡ଼ିରେ ଭାସି ଯାଉଯାଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା’ ଓ ଝିଅ। ପ୍ରଥମେ ଦୁହେଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ନେଇ ପ୍ରଚାର ହୋଇଥିଲା। ମହିଳା ହେଉଛନ୍ତି, ଅଞ୍ଜଳି ମହାନ୍ତି। ସେ ଭୁବନେଶ୍ବରର ଭିଏସ୍‌ଏସ୍‌ ନଗରରେ ରହୁଥିବା ବେ‌ଳେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial