ରହସ୍ୟରେ ରତ୍ନ ଭଣ୍ଡାର ଚାବି ? ଖୋଲିଲାନି ଭିତର ଭଣ୍ଡାର

ବିବାଦକୁ ଡରି ଭିତରକୁ ପଶିଲେନି

ଭୁବନେଶ୍ୱର/ପୁରୀ : ସମଗ୍ର ରାଜ୍ୟବାସୀଙ୍କର ନଜର ରହିଥିଲା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ। ଆଶା କରିଥିଲେ, ୩୩ ବର୍ଷ ପରେ ଖୋଲିବ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର। ଯଦିଓ ଯାଞ୍ଚ ପାଇଁ ଏହା ଖୋଲାଯାଇଥାନ୍ତା, ତଥାପି ସବୁ ମହଲରେ ଲାଗି ରହିଥିଲା ଉତ୍କଣ୍ଠା। ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିଛି। ଭିତର ଭଣ୍ଡାର ଖୋଲିପାରିନାହିଁ। ସାପ କିମ୍ବା କୌଣସି ଅଲୌକିକ କାରଣରୁ ନୁହେଁ, ବରଂ ଭଣ୍ଡାର ଘରର ଚାବି ହିଁ ଥିଲା ବିଭ୍ରାଟର ମୂଳ କାରଣ। ଏମିତି ଯେ ପ୍ରଶାସନ ଡରିଲା, ଆଉ ବାହାର ଭଣ୍ଡାରରୁ ପ୍ରାରମ୍ଭିକ ଯାଞ୍ଚ କାର୍ଯ୍ୟ ସାରିବାକୁ ସମସ୍ତେ ବାଧ୍ୟ ହେଲେ। ୮ ଦିନର ପରିଶ୍ରମ, ଯୋଜନାର ୪୫ମିନିଟ୍‌ ମଧ୍ୟରେ ଅନ୍ତଃ ଘଟିଲା। ପ୍ରତିନିଧି ଦଳ ଅପରାହ୍ନ ସାଢେ ଦୁଇଟାରେ ବେହରଣ ଦ୍ୱାର ଦେଇ ପ୍ରବେଶ କଲେ ଓ ୩ଟା ୧୫ମିନିଟ୍‌ରେ ଫେରିଆସିଲେ।

କାହିଁକି ଭିତର ଭଣ୍ଡାର ଖୋଲା ଯାଇପାରିଲା ନାହିଁ, ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ତାର ବକ୍ତବ୍ୟ ରଖିଛି। ବାହାର ଭଣ୍ଡାରରୁ ଭିତର ଜଳ ଜଳ ଦିଶୁଥିବା ପରିପ୍ରେକ୍ଷୀରେ ତାଲା ଖୋଲିବାକୁ ଆଉ ପଡିଲାନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଭିତର ଭଣ୍ଡାରର ଚାବି ହିଁ ପ୍ରଶାସନର ସବୁ ପ୍ରସ୍ତୁତିରେ ପାଣି ପକାଇ ଦେଇଥିଲା। କାଳେ ନୂଆ ବିବାଦ ସୃଷ୍ଟି ହେବ, ତାକୁ ଡରି ପ୍ରତିନିଧିମାନେ ବାହାର ଭଣ୍ଡାରରୁ ହିଁ ଯାଞ୍ଚ କାମ ସାରିବାକୁ ବାଧ୍ୟ ହେଲେ। ଆଇନ ଅନୁସାରେ, ବାହାର ଭଣ୍ଡାରର ଚାବି ଗଜପତି ମହାରାଜ, ଭଣ୍ଡାର ମେକାପ ଓ ଶ୍ରୀମନ୍ଦିର ପ୍ରଶାସନ ରଖିଥାନ୍ତି। କିନ୍ତୁ ଭିତର ଭଣ୍ଡାର ଖୋଲିବା ଲାଗି ସରକାରଙ୍କ ଅନୁମତି ଆବଶ୍ୟକ ଏବଂ ଏହାର ଚାବି ଜିଲ୍ଲା ଟ୍ରେଜେରିରେ ଥାଏ। ଭିତର ରତ୍ନଭଣ୍ଡାର ଖୋଲିବା ଲାଗି ରାଜ୍ୟ ସରକାର ଗତ ସପ୍ତାହ ଅନୁମତି ଦେଇସାରିଥିଲେ। କିନ୍ତୁ ଦେଖାଯାଇଥିଲା ଯେ ଜିଲ୍ଲା ଟ୍ରେଜେରିରେ ଏହି ଚାବି ନଥିଲା। ଏଣୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବା ପାଞ୍ଚ ଗୋଚ୍ଛା ଚାବି ମଧ୍ୟରେ ଭିତର ରତ୍ନଭଣ୍ଡାର ଚାବି ଥାଇପାରେ ବୋଲି ଅନୁମାନ କରି ପ୍ରଶାସନ ଆଜି ଅନୁଧ୍ୟାନ କରିବା ଲାଗି ସଜବାଜ ଆରମ୍ଭ କରିଥିଲେ।

ପ୍ରତିନିଧିମଣ୍ଡଳୀର ଜଣେ ସଭ୍ୟ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଭିତର ଭଣ୍ଡାର କବାଟ ଜେଲ୍‌ ଝରକା ସଦୃଶ। ଏକଥା ସତ ଯେ ବାହାର ଭଣ୍ଡାରର ଲାଇଟ୍‌ରେ ଭିତର ଭଣ୍ଡାର ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଦେଖାଯାଇଥିଲା ଯେ ବିଶ୍ୱନିୟନ୍ତାଙ୍କ ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡିଥିଲା। ଏ ମଧ୍ୟରୁ ଗୋଟିକରେ ଜଉମୁଦ ଦିଆଯାଇଥିଲା। କେହି ଜାଣିପାରିନଥିିଲେ ଯେ ନିର୍ଦିଷ୍ଟ କେଉଁ ଚାବିରେ ଖୋଲିବେ। କେହି କେହି ଚାବି ଭାଙ୍ଗି ପଶିବା ପାଇଁ ପରାମର୍ଶ ଦେଇଥିଲେ। ଏ ଦ୍ୱନ୍ଦ୍ୱ ଦୂର ହୋଇନଥିଲା ବେଳେ ଦେଖାଗଲା ଯେ ଭିତର ଭଣ୍ଡାରର ଅଧିକାଂଶ ସିନ୍ଦୁକରେ ଚାବି ନାହିଁ। ଏଣୁ ଏତେ ଲୋକଙ୍କୁ ଭିତରକୁ ପୂରାଇବାକୁ ପ୍ରଶାସନ ଅମଙ୍ଗ ହୋଇଥିଲା। ବରଂ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରିବାକୁ ସ୍ଥିର ହୋଇଥିଲା। ଏଣୁ ବାହାରୁ ବାହାରୁ ପ୍ରତିନିଧି ଦଳ ଯାଞ୍ଚ କରି ଫେରିଆସିଥିଲେ।

ଏବେ ପ୍ରଶ୍ନ ଉଠୁଛି, ଭିତର ଭଣ୍ଡାର ଚାବି କାହା ପାଖରେ ରହିଛି? କାହିଁକି ଟ୍ରେଜେରିରେ ରଖାଯାଇନାହିଁ? ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବା ଚାବିରୁ ନିର୍ଦିଷ୍ଟ କେଉଁଟି ଭିତର ଭଣ୍ଡାରର ନ ଜାଣି, ପ୍ରତିନିଧିମଣ୍ଡଳୀ ଯାଉଥିଲେ କେମିତି? ଏବେ ଏ ପାଞ୍ଚ ଗୋଚ୍ଛା ଚାବି ମଧ୍ୟରୁ ନିର୍ଦିଷ୍ଟ କେଉଁ ଚାବିଟି ଭିତର ରତ୍ନଭଣ୍ଡାରର ଏକଥା କେମିତି ଜଣାପଡିବ? ୧୯୮୫ ମସିହାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୩ ବର୍ଷ ବିତିଲାଣି। କେତେ ପ୍ରଶାସକ, ମୁଖ୍ୟ ପ୍ରଶାସକ ଗଲେଣି। କେହି କେମିତି ଏ କଥାକୁ ନିଘା ରଖିନାହାନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ନବକଳେବର ବ୍ରହ୍ମ ବିଭ୍ରାଟକୁ ନେଇ ବିବାଦ ଥମିନି। ଏବେ ଯାଞ୍ଚ ବେଳେ ଚାବି ବିଭ୍ରାଟ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ କେତେ ସତର୍କ ଓ ଦାୟିତ୍ୱବାନ୍‌ ଏହା ଏକ ସଙ୍କେତ ହୋଇପାରେ।

Share Now:

Kalinga News Beuro

Leave a Reply

Next Post

ଆଜିଠୁ ବଢ଼ିଲା ବସ ଭଡା

Thu Apr 5 , 2018
ଭୁବନେଶ୍ୱର : ଆଜିଠାରୁ ଘରୋଇ ବସ୍‌ ଭଡ଼ା ବଢ଼ିଛି। ସ୍ୱୟଂକ୍ରିୟ ବ୍ୟବସ୍ଥା ଜରିଆରେ ଏଭଳି ଭଡ଼ା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏହି ଭଡ଼ା ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏଣିକି ଯାତ୍ରୀଙ୍କୁ ଅର୍ଡିନାରୀ ବସ୍‌ରେ କି.ମି. ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ହେବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କି.ମି. ପିଛା ୭୦ରୁ ୭୧ ପଇସା, ଡିଲକ୍ସ ବସ୍‌ରେ ୯୫ରୁ ୯୭ ପଇସା, ଏସି ଡିଲକ୍ସ ବସ୍‌ରେ ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial