ଆରମ୍ଭ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା:ଇତିହାସ ଓ ସଂସ୍କୃତିର ସଙ୍ଗମ

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଇନ୍ସଲ୍ୟାଣ୍ଡ ପ୍ରଦେଶର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ବୁଧବାର ଅପରାହ୍ନରେ ହୋଇଯାଇଛି। ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ ଆଜି ଔପଚାରିକ ଭାବେ ଏହି ୭୧ ଦଳୀୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୬,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୭୫ ଖେଳବର୍ଗରେ ପ୍ରତିଦ୍ୱନ୍ଦିତା ହେବ। ପ୍ରତିଯୋଗିତାର ମୁଖ୍ୟ ପଡ଼ିଆ କରାରା ଷ୍ଟାଡିୟମରେ ଅନୁଷ୍ଠିତ ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବରେ ସମସ୍ତ ୭୧ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ଅଷ୍ଟ୍ରେଲିଆର ଆଦିମ ଇତିହାସ ସହ ସେଠାକାର ପରମ୍ପରା ଓ ସଂସ୍କୃତିକୁ ନିଖୁଣ ଭାବେ ଦର୍ଶାଯାଇଥିଲା। ନାଚଗୀତ ଏବଂ ଆତସବାଜୀ ସହ ଲେଜର ଲାଇଟର ସତରଙ୍ଗୀ ଖେଳ ମଧ୍ୟରେ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। କୁଇନ୍ସଲାଣ୍ଡର ନୌ ଚାଳନା ପରମ୍ପରା ମଧ୍ୟ ଉଦ୍‌ଘାଟନୀ ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା। ତେବେ ଅଷ୍ଟ୍ରେଲିଆରେ ବ୍ରିଟିସ୍‌ ଉପନିବେଶବାଦକୁ ବିରୋଧ କରି ସେଠାକାର ଆଦିମ ଅଧିବାସୀଙ୍କ ବିକ୍ଷୋଭ, ଅଦିନିଆ ବର୍ଷା ଏବଂ ପରିବହନ ସମସ୍ୟା ଅବଶ୍ୟ ଉଦ୍‌ଘାଟନୀ ଉତ୍ସବର ଚମକକୁ ଟିକିଆ କମାଇ ଦେଇଥିଲା। ତଥାପି ଷ୍ଟାଡିୟମରେ ଥିବା ୨୫ ହଜାର ଦର୍ଶକଙ୍କ ସହ ଟେଲିଭିଜନ ପରଦାରେ କୋଟି କୋଟି କ୍ରୀଡ଼ାପ୍ରେମୀ ଏହି ଉଦ୍‌ଘାଟନୀ ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ପଡ଼ିଆ ବାହାରେ ଅତୀତର ବ୍ରିଟିସ୍‌ ଶାସନକୁ ବିରୋଧ କରି ବିକ୍ଷୋଭ ଚାଲିଥିଲା ବେଳେ ପଡ଼ିଆ ଭିତରେ ୧୧ ବର୍ଷୀୟା ବଳିକା ଇସାବେଲା ବ୍ରାହାମ ସ୍ମାର୍ଟଫୋନ୍‌ରେ ପ୍ରତିଯୋଗୀ, ପ୍ରଶଂସକ ଓ ଅଧିକାରୀଙ୍କୁ ସ୍ୱାଗତ ବାର୍ତା ସହ ଅବଗଣନା ଆରମ୍ଭ କରିଥିଲେ। ଆଦିବାସୀ ସଂଗୀତଜ୍ଞ ଏବଂ ପିଲାମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରିନ୍ସ ଚାର୍ଲସ, ତାଙ୍କ ପତ୍ନୀ କାମିଲା ପାର୍କର ଏବଂ ସ୍ଥାନୀୟ ନେତା ଟେଡ୍‌ ଓ୍ଵିଲିୟମ୍ସ ଓ ପାଟ୍ରିକା ଓ କର୍ନର ସମସ୍ତ ପ୍ରତିଯୋଗୀ, ଅଧିକାରୀ ଏବଂ ପ୍ରଶଂସକଙ୍କୁ କୁଇନ୍ସଲାଣ୍ଡକୁ ସ୍ୱାଗତ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ପୂର୍ବତନ ବିଶ୍ୱ ବାଧାଦୌଡ଼ ବିଜୟିନୀ ସାଲି ପିଅରସନ୍‌ ପ୍ରିନ୍ସ ଚାର୍ଲସଙ୍କୁ ୩୮୮ ଦିନ ଏବଂ ୨୩୦୦୦୦ କିଲୋମିଟର ଯାତ୍ରା କରିଥିବା ରାଣୀଙ୍କ ମସାଲକୁ ହସ୍ତାନ୍ତର କରିଥିଲେ। ଏହା ପରେ ପ୍ରିନ୍ସ ଚାର୍ଲସ ବ୍ରିଟେନ୍‌ ରାଣୀଙ୍କ ବାର୍ତା ପଢ଼ି ପ୍ରତିଯୋଗିତା ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍‌ଘାଟନ ବୁଧବାର ହୋଇଥିଲେ ମଧ୍ୟ ଗୁରୁବାରଠାରୁ ଖେଳାଳିମାନେ ମଇଦାନକୁ ଓହ୍ଲାଇବେ।

ସିନ୍ଧୁ ନେଲେ ଭାରତର ନେତୃତ୍ୱ
ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ତିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ବୁଧବାର ଖେଳାଳି ମାର୍ଚପାଷ୍ଟ ବେଳେ ସର୍ବପ୍ରଥମେ ସ୍କଟଲାଣ୍ଡ ଦଳ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲା। ଏହାପରେ ଇଂଲଣ୍ଡ, ସାଇପ୍ରସ୍‌ ଏବଂ ଜିବ୍ରାଲେଟର ଦଳ ଆସିଥିଲେ। ଭାରତୀୟ ଦଳ ଏସିଆ ମହାଦେଶର ତୃତୀୟ ଦଳ ଭାବେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲା। ଭାରତ ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ୨୧୫ ଜଣିଆ ଦଳ ପଠାଇଛି। ସେଥିରେ ୮ ଜଣ ଓଡ଼ିଆ ଅଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ପୋଷାକ ପରିବର୍ତେ ବ୍ଲେଜର ଏବଂ ପାଇଜାମା ପିନ୍ଧିଥିଲେ। ଗ୍ଲାସ୍‌ଗୋଠାରେ ଆୟୋଜିତ ଗତ ସଂସ୍କରଣରେ ଭାରତ ୧୫ ସ୍ୱର୍ଣ୍ଣ ସହ ୬୪ ପଦକ ଜିତିଥିଲା। ଏଥର ଏହି ସଂଖା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
୧୨ ବର୍ଷ ପରେ ପଦକ ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ
ଭାରତୀୟ ମହିଳା ହକି ଦଳର ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଗୁରୁବାରଠୁ ଆରମ୍ଭ ହେବ। ଏଥିରେ ୧୨ ବର୍ଷର ପଦକ ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ରଖିଛି ଭାରତ। ୨୦୦୨ରେ ସ୍ୱର୍ଣ୍ଣ ଜିତିବା ପରେ ୨୦୦୬ରେ ଭାରତ ରୌପ୍ୟ ପଦକ ଜିତିଥିଲା। ହେଲେ ଏହାପରଠୁ ଭାରତୀୟ ମହିଳାଙ୍କ ପାଇଁ ପଦକ ମରୁଡ଼ି ହୋଇଯାଇଛି। ତେଣୁ ଏଠାରେ ୧୨ ବର୍ଷ ପରେ ପୁନର୍ବାର ପଦକ ଜିତି ନୂଆ ଇତିହାସ ରଚିବା ଲାଗି ରାଣୀଙ୍କ ନେତୃତ୍ୱରେ ଭାରତ ପଡ଼ିଆକୁ ଓହ୍ଲାଇବ। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତର ପ୍ରଥମ ମୁକାବିଲା େଓ୍ଵଲ୍‌ସ ସହ ହେବ। ଏହା ପରେ ୫ ତାରିଖରେ ମାଲେସିଆ, ୮ ତାରିଖରେ ଅଲିମ୍ପିକ୍ସ ବିଜେତା ଇଂଲଣ୍ଡ ଏବଂ ଶେଷରେ ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ। ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। କଷ୍ଟସାଧ୍ୟ ଗ୍ରୁପ୍‌ରେ ରହିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରି ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବୁ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଏଠାରେ ଆମେ ଦୁଇଟି ଅଭ୍ୟାସ ମ୍ୟାଚ୍‌ରୁ କୁଇନ୍ସଲାଣ୍ଡ୍‌ ବିପକ୍ଷରେ ୫-୦ ଗୋଲ୍‌ରେ ଜିତିଥିଲା ବେଳେ କାନାଡାଠୁ ୧-୩ରେ ହାରି ଯାଇଥିଲୁ। କାନାଡ଼ା ବିପକ୍ଷରେ ପ୍ରଥମ କ୍ୱାର୍ଟର୍‌ରେ ଭଲ ଖେଳିଥିଲୁ। କିନ୍ତୁ କିଛି ଭୁଲ ପାଇଁ ମ୍ୟାଚ୍‌ ହାତଛଡ଼ା କଲୁ। ଏଥିରୁ ଆମ ଝିଅମାନେ କିଛି ଶିଖି ନେଇଛନ୍ତି। ତ୍ରୁଟି ସୁଧାରି ଆଗକୁ ବଢ଼ିବେ ବୋଲି ଆଶା ରହିଛି। ଗୋଟିଏ ସପ୍ତାହ ଧରି ଭାରତୀୟ ଦଳ ଗୋଲଡ୍‌କୋଷ୍ଟରେ ରହି ପାଣିପାଗ ସହ ଅଭ୍ୟସ୍ତ ହୋଇଯାଇଛି। େଓ୍ଵଲ୍‌ସ ବିପକ୍ଷରେ ମଧ୍ୟ ଭାରତର କୀର୍ତି ଭଲ ରହିଛି। ଫଳରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରାଣୀଙ୍କ ଦଳ ରହିଛି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ: ବିଜେତା "ଗୁରୁରାଜ"

Thu Apr 5 , 2018
ନୂଆଦିଲ୍ଲୀ: ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ଗୁରୁରାଜ ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଉଦ୍‌ଘାଟନୀ ଦିବସରେ ଏହା ହେଉଛି ଭାରତ ପାଇଁ ପ୍ରଥମ ପଦକ। ପ୍ରଥମ ପର୍ଯ୍ୟାୟରେ ୧୧୧ କେ. ଜି. ଭାର ଉତ୍ତୋଳନ କରି ୨୮ ବର୍ଷିୟ ଗୁରୁରାଜ ନିଜର ତୃତୀୟ ପ୍ରଚେଷ୍ଟାରେ ସମୁଦାୟ ୨୪୯ କେ. […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial